ମୁମ୍ବାଇ,୧୮।୧୧: ‘ତାରକ ମେହେତା କା ଉଲଟା ଚଷମା’ ଦୀର୍ଘ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛି। ଏହା ଭିତରେ ଏହାର ବହୁ ବଡ କଳାକାର ଶୋ’ ଛାଡି ଯାଇ ସାରିଛନ୍ତି। ଦିଲ୍ଲୀପ ଯୋଶୀ ଶୋ’ର ଲିଡ୍ ଆକ୍ଟରଙ୍କ ଭିତରେ ଅଛନ୍ତି। ସେ ଜେଠାଲାଲ ଭୂମିକାରେ ଅଭିନୟ କରୁଛନ୍ତି। ଏବେ ଶୋ’ ସହ ଜଡିତ କିଛି ସୁତ୍ରରୁ ଖବର ମିଳିଛି ଯେ, ଦିଲ୍ଲୀପ ଯୋଶୀ ଓ ଅସିତ ମୋଦିଙ୍କ ଭିତରେ ମଧ୍ୟ ଜୋରଦାର ବିବାଦ ଆରମ୍ଭ ହୋଇଛି। ଏପରିକି କଥା ହାତାହାତି ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଦିଲ୍ଲୀପ ଶୋ’ ଛାଡିବାକୁ ଧମକ ଦେଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ଓ ଅସିତ ମୋଦିଙ୍କ ଭିତରେ ବିବାଦ ଅଗଷ୍ଟ ମାସରୁ ଆରମ୍ଭ ହୋଇଛି। ଦୁହିଁଙ୍କ ଭିତରେ ଛୁଟିକୁ ନେଇ ଯୁକ୍ତିତର୍କ ହୋଇଥିଲା। ଦିଲ୍ଲୀପ ତାଙ୍କ ସହ କଥା ହେବାକୁ ଅପେକ୍ଷା କରିଥିଲେ, କିନ୍ତୁ ସେ ଏନେଇ କଥା ହେବାକୁ ରାଜି ହୋଇନଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଦିଲ୍ଲୀପ।
ପ୍ରଡକ୍ସନ ସୁତ୍ରରୁ ଜଣାପଡିଛି ଯେ, କୁଶ ଶାହଙ୍କ ସୁଟିଂର ଶେଷ ଦିନରେ ଏଭଳି ହୋଇଥିଲା। ଦିଲ୍ଲୀପ ଓ ଅସିତଙ୍କ ସହ ଛୁଟି ବିଷୟରେ କଥା ହେବାକୁ ଅପେକ୍ଷା କରିଥିଲେ। କିନ୍ତୁ ଅସିତ ସିଧା କୁଶଙ୍କୁ ଭେଟିବାକୁ ପହଁଞ୍ଚିଥିଲେ। ଦିଲ୍ଲୀପଙ୍କୁ ଭଲ ଲାଗିନଥିଲା। ସେ ରାଗି ଯାଇଥିଲେ। ଫଳରେ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଦିଲ୍ଲୀପ ରାଗରେ ଅସିତଙ୍କ ସାର୍ଟର କଲର ଧରି ନେଇଥିଲେ ଓ ତାଙ୍କୁ ଶୋ’ ଛାଡିବାକୁ ଧମକ ଦେଇଥିଲେ। ତେବେ ଅସିତ ପରେ ଦିଲ୍ଲୀପଙ୍କୁ ଶାନ୍ତ କରିଥିଲେ। ତେବେ ଦୁହିଁଙ୍କ ଝଗଡା କିଏ ସମାଧାନ କରିଥିଲେ ତାହା ଜଣାପଡିନି। ଏ ସମ୍ପର୍କରେ ଦିଲ୍ଲୀପ କିମ୍ବା ଅସିତଙ୍କ ପକ୍ଷରୁ କୌଣସି ଅଫିସିଆଲ କମେଣ୍ଟ ମିଳିପାରିନି।
ଶୋ’କୁ ନେଇ ଅସିତଙ୍କ ସହ କେବଳ ଦିଲ୍ଲୀପ ଯୋଶୀ ନୁହଁନ୍ତି, ଅନ୍ୟ କଳାକାରଙ୍କ ବିବାଦ ଖୁବ୍ ଚର୍ଚ୍ଚାରେ ରହିଥିଲା। ତାରକା ମେହେତା ଭୂମିକାରେ ଅଭିନୟ କରୁଥିବା ଶୈଳେଶ ଲୋଢା, ଜେନିଫର ମିସ୍ତ୍ରୀ(ମିସେସ୍ ସୋଡି),ପଲକ୍ ସିଧଓ୍ବାନୀ (ସୋନୁ), ଦିଶା ଭକାନୀ(ଦୟା ଭାବି) ,ନେହା କେ ମେହେଟା(ମିସେସ୍ ତାରକ ମେହେଟା), ଭବ୍ୟା ଗାନ୍ଧୀ(ପ୍ରଥମ ତପୁ), ରାଜ ଅନାଦକଟ୍( ଦ୍ବିତୀୟ ତପୁ), ଗୁରୁଚରଣ ସିଂହ(ସୋଡି) ଏବଂ ଆହୁରି ଅନେକ କଳାକାରଙ୍କ ଅସିତଙ୍କ ସହ ବିବାଦ ଯୋଗୁଁ ଶୋ’ ଛାଡିଛନ୍ତି।