ନୂଆଦିଲ୍ଲୀ,୦୩/୦୭: କ୍ରୀଡ଼ା ଜଗତରୁ ଦୁଃଖଦ ଖବର ଆସିଛି । ଲିବରପୁଲ ପାଇଁ ଖେଳୁଥିବା ପର୍ତ୍ତୁଗାଲର ଫୁଟବଲ ପ୍ଲେୟାର ଡିଓଗୋ ଜୋଟାଙ୍କର ପରଲୋକ ହୋଇଛି । ସଡ଼କ ଦୁର୍ଘଟଣାରେ ମାତ୍ର ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଡିଓଗୋଙ୍କ ଭାଇ ଆନ୍ଧ୍ରେ ସିଲଭା ମଧ୍ୟ ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି । ୧୦ ଦିନ ତଳେ ତାଙ୍କର ବିବାହ ହୋଇଥିଲା । ପର୍ତ୍ତୁଗାଲ ଫୁଟବଲ ମହାସଂଘ ସୋସିଆଲ ମିଡ଼ିଆରେ ଘଟଣା ନେଇ ପୃଷ୍ଟି କରି ଡିଓଗୋଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।

୨୦୨୪-୨୫ ସିଜିନରେ ଜୋଟାଙ୍କ କ୍ୟାରିୟର ନୂଆ ଶିଖର ଛୁଇଁଥଲା । ଜୁରଗେନ୍‌ କ୍ଲୋପଙ୍କ ନେତୃତ୍ୱରେ ସେ  ଏଫଏ କପ୍‌ ଓ ଲିଗ୍‌ କପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଲିଭରପୁଲର ଆଟାକିଙ୍କ ସେଟ୍ଅପ୍‌ରେ ନିଜକୁ ପ୍ରମାଣିତ କରିଥିଲେ । ୨୦୨୯ ଓ ୨୦୨୫ରେ ୟୁଇଏଫଏ ନେସନ୍ସ ଲିଗରେ ପର୍ତ୍ତୁଗାଲ ବିଜୟୀ ଦଳରେ ସାମିଲ ହୋଇଥିଲେ ।  ଜୋଟା ତାଙ୍କର ଉପସ୍ଥିତ ବୁଦ୍ଧି, ବିପକ୍ଷ ଦଳ ଉପରେ ଚାପ ପକାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ସ୍କୋର କରିବାରେ ଦକ୍ଷତା ପାଇଁ ଜଣାଶୁଣା ଥିଲେ । ୨୮ ବର୍ଷୀୟ ଖେଳାଳି ପର୍ତ୍ତୁଗାଲର ସବୁଠାରୁ ନିର୍ଭରଯୋଗ୍ୟ ଫରୱାର୍ଡ ମଧ୍ୟରେ ଜଣେ ଖ୍ୟାତି ଅର୍ଜନ କରିଥିଲେ ।

ଡିଓଗୋ ଜୋଟାଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛି ପର୍ତ୍ତୁଗାଲ ଫୁଟବଲ ମହାସଂଘ । ସେ ଲେଖିଛନ୍ତି, ଡିଓଗୋ ଜୋଟା ଓ ତାଙ୍କ ଭାଇ ଆନ୍ଧ୍ରେ ସିଲଭାଙ୍କ ଦେହାନ୍ତ ହୋଇଛି । ଏହି ଖବର ଆମକୁ ମର୍ମାହତ କରିଛି । ନ୍ୟାସନାଲ ଟିମ୍‌ ପାଇଁ ସେ ପ୍ରାୟ ୫୦ ମ୍ୟାଚ ଖେଳିଛନ୍ତି । ସେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ସବୁ ସାଥୀ ଖେଳାଳି ଏବଂ ବିପକ୍ଷ ଟିମ୍‌ର ଖେଳାଳି ସମ୍ମାନ କରୁଥିଲେ । ସେ ଖୁସି ମିଜାଜର ବ୍ୟକ୍ତିତ୍ୱ ଥିଲେ ।''