ବ୍ରହ୍ମପୁର,୧୪/୧୧: ବର୍ଡର୍‌ ସିକ୍ୟୁରିଟି ଫୋର୍ସ  (ବିଏସ୍‌ଏଫ୍‌) ପକ୍ଷରୁ ପ୍ରଥମ ଥର ମହିଳା ଯବାନଙ୍କୁ ନେଇ ଗଙ୍ଗୋତ୍ରୀ  ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ରାପ୍ଟିଙ୍ଗ୍‌ (ଦୁଃସାହାସିକ ନୌଚାଳନା) ଅଭିଯାନ ଆୟୋଜିତ ହୋଇଛି । ନଭେମ୍ବର ୨ରୁ ଆରମ୍ଭ ହୋଇ  ଡିସେମ୍ବର ୨୪ରେ ସରିବାକୁ ଥିବା ଏହି ଅଭିଯାନରେ ଦୁଇଟି ଟିମ୍‌ରେ  ୨୦ ଜଣ ମହିଳା ଥିବା ବେଳେ ଓଡ଼ିଶାର ୬ ଜଣ ସାମିଲ ଅଛନ୍ତି ।  

ଦୁଇ ଏସ୍‌ଆଇ ଏହାର ନେତୃତ୍ୱ ନେଉଥିବା ବେଳେ ଗୋଟିଏ ଟିମ୍‌ର  ନେତୃତ୍ୱ ନେଉଛନ୍ତି ଦୀପ୍ତିମୟୀ ତରାଇ । ସେ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଓରା ଗ୍ରାମର ବାସିନ୍ଦା ତଥା ବ୍ରହ୍ମପୁରସ୍ଥିତ ସାମନ୍ତରାୟ ଏକାଡେମୀର ପ୍ରଶିକ୍ଷାର୍ଥୀ । ଅନ୍ୟ ଓଡ଼ିଆମାନେ ହେଲେ ଶୁକମଣି ଖଡିଆ, କ୍ରାନ୍ତି ଭେଙ୍ଗରା, ଲକ୍ଷ୍ମୀପ୍ରିୟା, ମୀନତି କର୍ଣ୍ଣ ଓ ଜୟନ୍ତୀ ଭୂମି ।  ମୋଟ ୨୫୦୦ କିଲୋମିଟର ନଦୀ ପଥରୁ ଏଯାବତ୍‌ ସେମାନେ ୫୦୦ କିମି ଅତିକ୍ରମ କରିଲେଣି । ଗଙ୍ଗାକୁ ସ୍ୱଚ୍ଛ ରଖିବା ଓ ମହିଳା  ସଶକ୍ତିକରଣର ବାର୍ତ୍ତା ପ୍ରଚାର ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।  ପ୍ରତ୍ୟହ ସକାଳ ୮ଟାରୁ ଏହି ଟିମ୍‌ ଗଙ୍ଗା ନଦୀ ମଧ୍ୟରେ ଅଭିଯାନ  ଆରମ୍ଭ କରିଥାନ୍ତି । ସନ୍ଧ୍ୟା ସୁଦ୍ଧା ବିଏସଏଫ୍‌ ପକ୍ଷରୁ ଦିଆଯାଇଥିବା  ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଦୀପ୍ତିମୟୀ ୨୦୨୧ରେ ବିଏସଏଫ୍‌ରେ  ସ୍ଥାନ ପାଇଥିଲେ । 

ସେ କହିଛନ୍ତି ଯେ- ଓଡ଼ିଆ ମହିଳା ଯବାନ୍‌ ଭାବେ  ନେତୃତ୍ୱ ନେବାର ସୁଯୋଗ ପାଇଛି । ବୁଧବାର ସୁଦ୍ଧା ଆମେମାନେ  ଫରିଦାବାଦରେ ପହଞ୍ଚିଛୁ । ପ୍ରତିଦିନ ପାଣି ମଧ୍ୟରେ ନୂଆ ପ୍ରତିବନ୍ଧକର  ସମ୍ମୁଖୀନ ହେଉଛୁ, ତଥାପି ତାହାକୁ ପାର କରି ଦିଆଯାଇଥିବା ଲକ୍ଷ୍ୟ  ସ୍ଥଳରେ ପହଞ୍ଚିଥାଉ । ଏହା ଆମ ପାଇଁ ଗର୍ବର ବିଷୟ ।