ନୂଆଦିଲ୍ଲୀ: ଏବେ ବିଶ୍ବରେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ଡାୟର ଉଲ୍‌ଫ । ୧୨,୫୦୦ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯାଇଥିବା ଏହି ଗଧିଆ ପ୍ରଜାତି ପୁନର୍ଜୀବନ ନେଇଛି । ଆଉ ଏହି ଅବିଶ୍ବସନୀୟ କାରନାମା କରିଛନ୍ତି ବୈଜ୍ଞାନିକମାନେ ।ଡାୟର ଉଲ୍‌ଫର ଡିଏନଏକୁ ବର୍ତ୍ତମାନର ଧୂସର ଗଧିଆଙ୍କ ଜେନେଟିକ୍ କୋଡ୍ ସହ ମିଶାଇ ବୈଜ୍ଞାନିକମାନେ ଡାୟର ଉଲ୍‌ଫ ପ୍ରଜାତିର ୩ଟି ଶାବକ ସୃଷ୍ଟି କରିଛନ୍ତି । ଲୋକପ୍ରିୟ ଟିଭି ସିରିଜ୍‌ ‘ଗେମ୍‌ ଅଫ ଥ୍ରୋନ୍‌ସ’ରେ ପ୍ରଦର୍ଶିତ ହେବା ପରେ ଚର୍ଚ୍ଚାକୁ ଆସିଥିବା ଡାୟର ଉଲ୍‌ଫ ଏବେ ସତରେ ପୃଥିବୀପୃଷ୍ଠକୁ ଫେରିଆସିଛି । ଦୁଇଟି ଅଣ୍ଡିରା ଶାବକଙ୍କୁ ରୋମୁଲସ୍‌ ଏବଂ ରେମସ୍‌ ନାଁ ଦିଆଯାଇଥିବା ବେଳେ ମାଈ ଶାବକର ନାଁ ଖଲିସି ଦିଆଯାଇଛି ।ଏହି ଚମତ୍କାର କୋଲୋସାଲ ବାୟୋସାଇନ୍ସେସ୍‌ର ବୈଜ୍ଞାନିକମାନେ କରିଛନ୍ତି । 

 ଇଏ ଖବର  ସମସ୍ତଙ୍କୁ ଚିକିତ କରିଥିବା ବେଳେ କୌତୁହଳ ବି ସୃଷ୍ଟି କରିଛି । କିନ୍ତୁ କିଛି ବିଶେଷଜ୍ଞଙ୍କୁ ବୈଜ୍ଞାନିକଙ୍କ ଏହି ଉପଲବ୍ଧି ଚିନ୍ତାରେ ପକାଇ ଦେଇଛି । ଜୁରାସିକ୍‌ ପାର୍କ ଭଳି ସ୍ଥିତି ପୃଥିବୀରେ ସୃଷ୍ଟି ହୋଇପାରେ ବୋଲି ସେମାନେ ଅନୁମାନ କରୁଛନ୍ତି । କୋଲୋସାଲ ସିଇଓ ତଥା ସହ-ପ୍ରତିଷ୍ଠାତା ବେନ ଲାମ କହିଛନ୍ତି ଯେ, ‘ଆମ ଦଳ ୧୩୦୦୦ ବର୍ଷ ପୁରୁଣା ଦାନ୍ତ ଏବଂ ୭୨୦୦୦ ବର୍ଷ ପୁରୁଣା ଖପୁରୀରୁ DNA ନେଇ ଡାୟର ଗଧିଆ ଛୁଆ ତିଆରି କରିଛି ।’ ସେପଟେ ଗଧିଆ ଶାବକଙ୍କୁ ଜଙ୍ଗଲରେ ଛାଡ଼ିବାର କୌଣସି ଯୋଜନା ନଥିବା ଜଣାପଡ଼ିଛି । ସେମାନଙ୍କୁ ଏକ ବଡ଼ ଏନକ୍ଲୋଜରରେ ରଖାଯିବ ଏବଂ ତଦାରଖ କରାଯିବ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି  ଯଦି ସେମାନେ କୌଣସି ମତେ ମୁକ୍ତ ହୋଇଯାଆନ୍ତି, ତେବେ ପରିଣାମ କଣ ହେବ ? ଏହା ଜୁରାସିକ୍ ପାର୍କ ଭଳି ଏକ ଭୟଙ୍କର ପରିସ୍ଥିତ ସୃଷ୍ଟି କରିବନି ତ ?

 ଭୟଙ୍କର ବିଲୁପ୍ତ ପ୍ରାଣୀକୁ ପୁନର୍ଜୀବିତ କରିବାକୁ ନେଇ ଲୋକେ ଆଶଙ୍କାରେ ପଡ଼ିଯାଇଛନ୍ତି ।ଏପରିକି ଡାଇନାସୋରକୁ ନେଇ ନିର୍ମିତ ଚଳଚ୍ଚିତ୍ର ଜୁରାସିକ୍‌ ପାର୍କର କାହାଣୀ ସହିତ ବୈଜ୍ଞାନିକଙ୍କ କାରନାମାକୁ ଯୋଡ଼ୁଛନ୍ତି । ବିଲୁପ୍ତଙ୍କୁ ପୁନର୍ଜୀବନ, ଏଆଇ ରୋବୋଟ୍‌ , ସ୍ବୟଂ ଚାଳିତ କାର ଭଳି ବୈଜ୍ଞାନିକଙ୍କ ଉଦ୍ଭାବନ ବିନାଶ ଆଣିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି । ବୈଜ୍ଞାନିକମାନେ ଏଭଳି ଫିଲ୍ମ କେବେ ଦେଖିନାହାନ୍ତି କି ବୋଲି ନେଟିଜେନ୍ସ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ୟୁଜର୍ସଙ୍କ ଏଭଳି ମନ୍ତବ୍ୟକୁ ଦେଇ ଜୁରାସିକ୍‌ ପାର୍କ ଫ୍ରାଞ୍ଚାଇଜ୍‌ ମଧ୍ୟ ଏହି ବିତର୍କରେ ସାମିଲ ହୋଇଛି ।ଟାଇମ ମ୍ୟାଗାଜିନ୍‌ର ଏକ କଭର ଷ୍ଟୋରି ଉପରେ ଫ୍ରାଞ୍ଚାଇଜ୍‌ କମେଣ୍ଟ କରି ଲେଖିଛି, ଏହା ଦ୍ବାରା କିଛି ଭୁଲ୍‌ ହୋଇପାରେ ବୋଲି ଆମେ ଭାବୁନାହୁଁ। 

 ସେପଟେ ଭୟଙ୍କର ଗଧିଆକୁ ପୁନର୍ଜୀବନର ପରିଣାମ ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଉଛନ୍ତି। ଓଟାଗୋ ୟୁନିଭର୍ସିଟିର ପାଲିଓଣ୍ଟୋଲୋଜିଷ୍ଟ ନିକ୍ ରାୱଲେନ୍ସ ‘ମେଲ୍ ଅନଲାଇନ’କୁ କହିଛନ୍ତି ଯେ, ଯଦି ଅଧିକ ଜନସଂଖ୍ୟା ପ୍ରତିଷ୍ଠା ପାଇଁ ବହୁ ସଂଖ୍ୟାରେ ପୁନର୍ଜୀବିତ ଜନ୍ତୁଙ୍କୁ ମୁକ୍ତ କରାଯାଏ, ତେବେ ଏହି ନୂତନ ଗଧିଆ ଧୂସର ଗଧିଆଙ୍କ ଶିକାରଠାରୁ ଅଧିକ ଶିକାର କରିପାରନ୍ତି ।ଏପରକି ମଣିଷ ଏବଂ ଗଧିଆ ସଂଘର୍ଷର ସୂତ୍ରପାତ ଘଟିପାରେ । ଆମେରିକାରେ ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳେ । ଯଦିଓ ଗ୍ରେ ବା ଧୂସର ଗଧିଆ ଆକ୍ରମଣରେ ମଣିଷ ମୃତ୍ୟୁସଂଖ୍ୟା ଖୁବ କମ ତଥାପି ଏଭଳି ଘଟଣା ବଢ଼ିଚାଲିଛି ।