ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋକୁ ଆଗାମୀ ମାସ ସୁଦ୍ଧା ଚୀନ ସହିତ ସିଧାସଳଖ ବିମାନ ସେବା ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବ୍ଲୁମବର୍ଗ ରିପୋର୍ଟ କରିଛି। କୋଭିଡ-୧୯ ମହାମାରୀ ଏବଂ ୨୦୨୦ ଗାଲୱାନ ଉପତ୍ୟକା ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ, ଏବେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ହେବା ସହ ଏହି ସେବା ପୁନଃ ଆରମ୍ଭ କରିବା ପାଇଁ ଆଲୋଚନା ଜାରି ରହିଛି।
ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ। ପୂର୍ବରୁ ଚୀନ ଯାଉଥିବା ବିମାନଗୁଡ଼ିକରେ ୯୦% ପର୍ଯ୍ୟନ୍ତ ଯାତ୍ରୀ ସଂଖ୍ୟା ରହୁଥିବାରୁ ଏହା ଏୟାରଲାଇନ୍ସ ପାଇଁ ମଧ୍ୟ ଲାଭଜନକ ହେବ ବୋଲି ଅନୁମାନ କାରଯାଉଛି। ନୂଆଦିଲ୍ଲୀ, ମୁମ୍ବାଇ ଏବଂ ବେଜିଂ, ସାଙ୍ଘାଇ ପରି ସହରଗୁଡ଼ିକୁ ସଂଯୋଗ କରିବା ପାଇଁ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ବିମାନ ସେବା ପୁଣି ଆରମ୍ଭ ପାଇଁ ଏୟାରଲାଇନ୍ସଗୁଡ଼ିକୁ ସ୍ଲଟ୍ ବଣ୍ଟନ, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଚୁକ୍ତି ଏବଂ ଅନ୍ୟାନ୍ୟ ନିୟାମକ ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ଏହା ବ୍ୟତୀତ, ଚୀନରେ ମାନବସମ୍ପଳ ଏବଂ ସ୍ଥାନୀୟ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତି ନେଇ ମଧ୍ୟ ଆବଶ୍ୟକତା ରହିଛି। ଏହି ସେବା ପୁନଃ ଆରମ୍ଭ ହେଲେ ଏହା ଉଭୟ ଦେଶର ଅର୍ଥନୀତି ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଯୋଗ ବୃଦ୍ଧି ହେବ।
କୋଭିଡ ପୂର୍ବରୁ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା ନିୟମିତ ଚାଲୁଥିଲା। ଯେଉଁଥିରେ କୋଲକାତା, ମୁମ୍ବାଇ ଏବଂ ଗୁଆଙ୍ଗଝୁ, ସାଙ୍ଘାଇ ପରି ସହରଗୁଡ଼ିକ ସାମିଲ ଥିଲା। ତେବେ, କୋଭିଡ ମହାମାରୀ ଏବଂ ସୀମାରେ ଉତ୍ତେଜନା ଯୋଗୁଁ ଏହି ସେବା ବନ୍ଦ ହୋଇଥିଲା। ବର୍ତ୍ତମାନ, ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧାର ହେବା ସହ ଏହି ସେବା ପୁନଃ ଆରମ୍ଭ ପାଇଁ ପଥ ପ୍ରସ୍ତୁତ ହୋଇଛି।