ପାଟଣାଗଡ଼,୯/୧୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ତହସିଲ ଅଧିନସ୍ଥ ଗୁହୁରିଆମୁଣ୍ଡା ଓ ରୁଗୁଡ଼ିମୁଣ୍ଡା ଗାଁରେ ରାସ୍ତା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ଏହାର ସମାଧାନ କରିବା ପାଇଁ ନୁଆଁଖାଇ ସମୟରେ ଉଭୟ ଗାଁର ଅସବର୍ଣ୍ଣ ପରିବାର ଉପଜିଲ୍ଲାପାଳ ଓ ତହସିଲଦାର ପାଟଣାଗଡ଼ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ନ କରିବାରୁ ପୁଣି ବିବାଦ ଉଗ୍ର ରୂପ ନେଇଛି।

  • ଗୁହୁରିଆମୁଣ୍ଡା ଓ ରୁଗୁଡ଼ିମୁଣ୍ଡା ଗାଁରେ ରାସ୍ତାକୁ ନେଇ ସବର୍ଣ୍ଣ ଅସବର୍ଣ୍ଣ ବିବାଦ
  • ଲିଖିତ ଅଭିଯୋଗ ପରେ ମଧ୍ୟ ସ୍ଥାୟୀ ସମାଧାନ କଲାନି ପ୍ରଶାସନ
  • ସ୍ଥାୟୀ ସମାଧାନ ଦାବି ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ

ଯାହାକୁ ନେଇ ମଙ୍ଗଳବାର ଅସବର୍ଣ୍ଣଙ୍କ ପକ୍ଷରୁ ଏଲଡିଏ ଫାଉଣ୍ଡର ଲବ ସୁନାଙ୍କ ନେତୃତ୍ୱରେ ଉଭୟ ଗାଁର ଅସବର୍ଣ୍ଣ ପରିବାର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିଭିନ୍ନ ସରକାର ବିରୋଧୀ ନାରାବାଜି ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି କାର୍ଯ୍ୟାଳୟ ଘେରାଉ କରିବାସହ ଏକ ପ୍ରତିବାଦ ସଭା କରିଥିଲେ। କୌଣସି କାରଣରୁ ତହସିଲଦାର ଉପସ୍ଥିତ ନ ଥିବାରୁ ଆନ୍ଦୋଳନକାରୀ ମାନେ ରାସ୍ତା ବିବାଦର ସ୍ଥାୟୀ ସମାଧାନ ନ ହେଲେ ପନ୍ଦର ଦିନ ପରେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଫେରିଆସିଥିଲେ।​​​​​​​

ଅଭିଯୋଗନୁସାରେ ଗୁହୁରିଆମୁଣ୍ଡା ଗାଁରେ ପ୍ରଥମେ ଜଣେ ଅସବର୍ଣ୍ଣ ବ୍ୟକ୍ତି ପଞ୍ଚାୟତକୁ ଚାଉଳ ନେଇ ଆସିଥିବା ସମୟରେ ଜଣେ ସବର୍ଣ୍ଣଙ୍କ ସହ ଝଗଡା ହୋଇଥିଲା। ଏହାପରେ ଅସବର୍ଣ୍ଣ ଲୋକେ ଗାଁର ଉକ୍ତ ସବର୍ଣ୍ଣକୁ ମାଡ଼ ମାରିବାରୁ ଥାନାରେ ଅଭିଯୋଗ ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା।ପରେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା।ଯାହାକୁ ନେଇ ସବର୍ଣ୍ଣ ପକ୍ଷରୁ ଜଣେ ବ୍ୟକ୍ତି ତାଙ୍କ ରୟତି ଜମି ଯାହାକି ଗାଁକୁ ଆସୁଥିବା ରାସ୍ତାକୁ ଗଛ ପକାଇ ଅବରୋଧ କରିଥିଲେ।ଏହାକୁ ନେଇ ଅସବର୍ଣ୍ଣ ପରିବାର ଲୋକେ ଉପଜିଲ୍ଲାପାଳ ଓ ତହସିଲଦାର ପାଟଣାଗଡ଼ଙ୍କ ଦ୍ୱାରସ୍ଥ ହେବାପରେ ଅବରୋଧ ହଟିଥିଲା । କିନ୍ତୁ ଏହାର ସ୍ଥାୟୀ ସମାଧାନ କରାଗଲାନାହିଁ।ଏବେ ସେଠାରେ ରାସ୍ତା ଉନ୍ନତି କରଣ ପାଇଁ ପାଞ୍ଚ ଲକ୍ଷ ତେୟାନବେ ହଜାର ଟଙ୍କା ଆସିଥିବାବେଳେ ସବର୍ଣ୍ଣ ଲୋକେ କାର୍ଯ୍ୟ କରାଇଦେଉନଥିବା ଅଭିଯୋଗ ଆଣିଛନ୍ତି ଅସବର୍ଣ୍ଣ ଲୋକେ ।ଅନୁରୂପ ଭାବରେ ରୁଗୁଡ଼ିମୁଣ୍ଡା ଅସବର୍ଣ୍ଣ ବସ୍ତିରୁ ଗାଁ ପୋଖରୀକୁ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦେଇ ଯାଉଥିବା ରାସ୍ତା କୁ ରାସ୍ତା ଉନ୍ନତି କରଣ କାମ ସରିବାପରେ ଉକ୍ତ ବ୍ୟକ୍ତି ଅବରୋଧ କରିଛନ୍ତି।ଏହାକୁ ନେଇ ସେମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଯାହା ଦ୍ୱାରା ବିଶେଷତ ଅସବର୍ଣ୍ଣ ବସ୍ତିର ମହିଳାମାନେ ସ୍ନାନ,ଶୌଚ ଆଦି ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି।