ନୂଆଦିଲ୍ଲୀ: ଶେଷ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ଏବେ ଜାତିସଂଘକୁ ଏକ ଚିଠି ଲେଖିଛନ୍ତି। ଜାତିସଂଘକୁ ଲେଖାଯାଇଥିବା ଏହି ଚିଠିରେ, ବ୍ୟକ୍ତି ଜଣକ ଔରଙ୍ଗଜେବଙ୍କ ସମାଧିର ଉଲ୍ଲେଖ କରିଛନ୍ତି ଏବଂ ଏହାର ସୁରକ୍ଷା ପାଇଁ ଦାବି କରିଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ୟାକୁବ ହବିବୁଦ୍ଦିନ ଟୁସି। ତେବେ ବର୍ତମାନ ସମୟରେ ଔରଙ୍ଗଜେବଙ୍କ ସମାଧି ସହ ଜଡିତ ବିବାଦ ବହୁତ ଚର୍ଚ୍ଚାରେ ରହିଛି। ଗତ ମାସରେ ନାଗପୁରରେ ଏକ ରାଲିରେ ହିଂସା ପରିସ୍ଥିତି ଉପୁଜିଥିଲା,ଯେଉଁଥିରେ ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବି ହୋଇଥିଲା। ଔରଙ୍ଗଜେବଙ୍କ ସମାଧି ଛତ୍ରପତି ସମ୍ଭାଜିନଗର ଜିଲ୍ଲାର ଖୁଲଦାବାଦରେ ରହିଛି। ସୂଚନାଥାଉକି, ଛତ୍ରପତି ସମ୍ଭାଜିନଗର  ଜିଲ୍ଲା ପୂର୍ବରୁ ଔରଙ୍ଗାବାଦ ନାମରେ ଜଣାଶୁଣା ଥିଲା।

ୟାକୁବ ହବିବୁଦ୍ଦିନ ଟୁସି ଦାବି କରନ୍ତି ଯେ ସେ ମୋଗଲ ମାନଙ୍କ ବଂଶଧର। ଟୁସି ନିଜେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ଏକ ଚିଠି ଲେଖିଛନ୍ତି। ଟୁସି ତାଙ୍କ ଚିଠିରେ ଦାବି କରିଛନ୍ତି ଯେ, ସେ ଔରଙ୍ଗଜେବଙ୍କ ସମାଧିସ୍ଥଳ ଥିବା ୱାକଫ ସମ୍ପତ୍ତିର ମୁତାୱାଲ୍ଲୀ (ଦେଖାଶୁଣାକାରୀ)। ସେ କହିଛନ୍ତି ଯେ ସମାଧିସ୍ଥଳକୁ ରାଷ୍ଟ୍ରୀୟ ମହତ୍ବର ସ୍ମାରକୀ' ଭାବରେ ଘୋଷଣା କରାଯାଇଛି ଏବଂ ଏହା ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଆଇନ ୧୯୫୮ ଅଧୀନରେ ସଂରକ୍ଷିତ ରହିଛି । 

ଅନ୍ତର୍ଜାତୀୟ ଆଇନକୁ ଉଦାହରଣ ଦେଇ ବାହାଦୁର ଶାହ ଜାଫରଙ୍କ ବଂଶଧର ଏହାର ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି କି,"ଫିଲ୍ମ, ଗଣମାଧ୍ୟମ ଏବଂ ସାମାଜିକ ମଞ୍ଚ ମାଧ୍ୟମରେ ଐତିହାସିକ ତଥ୍ୟର ଭୁଲ ଉପସ୍ଥାପନା ଯୋଗୁଁ, ଲୋକଙ୍କ ଭାବନା ସହିତ ଖେଳାଯାଇଛି, ଯାହା ଦ୍ଵାରା ଅଯଥା ପ୍ରତିବାଦ କରାଯାଇଛି ।  

"ଏପରି ସ୍ମାରକୀ ଗୁଡ଼ିକର ଧ୍ୱଂସ, ଅବହେଳା କିମ୍ବା ବେଆଇନ ପରିବର୍ତ୍ତନ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ହେବ ବୋଲି ୟାକୁବ ହବିବୁଦ୍ଦିନ ଟୁସି ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ଭାରତ ୧୯୭୨ ମସିହାରେ ବିଶ୍ୱ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଉପରେ ୟୁନେସ୍କୋ ସମ୍ମିଳନୀ ସ୍ୱାକ୍ଷର କରିଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି।

ଟୁସି ଏହି ମାମଲା ଉପରେ ଧ୍ୟାନ ଦେବାକୁ ଜାତିସଂଘ ମହାସଚିବଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି। ସେମାନେ ଜାତିସଂଘର ମହାସଚିବଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି ଯେ ସେମାନେ କେନ୍ଦ୍ର ସରକାର ଏବଂ ASIକୁ ନିର୍ଦ୍ଦେଶ ଦିଅନ୍ତୁ ଯେ ଔରଙ୍ଗଜେବଙ୍କ ସମାଧିକୁ "ଜାତୀୟ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ପୂର୍ଣ୍ଣ ଆଇନଗତ ସୁରକ୍ଷା ଏବଂ ସଂରକ୍ଷଣ" ପ୍ରଦାନ କରାଯିବ।