କଟକ, ୨୧/୦୯: ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରା କେବଳ ତଳ ପଡ଼ିଆରେ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି । ଯାହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ହୋଇଛି । କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚିଠି ଲେଖି ଉପର ପଡିଆରେ ଆୟୋଜନ କରିବା ପାଇଁ ନିବେଦନ କରିଛନ୍ତି। ଶହ ଶହ ବର୍ଷର ପରମ୍ପରା ବଜାୟ ରଖି ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କହିଛନ୍ତି। ଏହା ସହ ଦଶହରା ଭସାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କ୍ଷମତା ବଳରେ ସମୟ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଦଶହରା ସମୟରେ ପୂଜା ମଣ୍ଡପ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ସୁକାନ୍ତଙ୍କ ସହ ବିଜେପିର ବହୁ ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଅନୁରୋଧ କରିଛନ୍ତି।

​​​​​​​ଅନ୍ୟପକ୍ଷରେ ମହାନଗର ଶାନ୍ତି କମିଟି ଓ ମହାନଗର ପୂଜା କମିଟି ପ୍ରଶାସନର ଏ ନିଷ୍ପତ୍ତିକୁ ବିରୋଧ କରିଛି । ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ବାଲିଯାତ୍ରା ଉତ୍ସବ ପାଇଁ ସ୍ଥାନ ଚିହ୍ନଟ କଲାବେଳେ ସମ୍ପୂର୍ଣ୍ଣ ଭାବେ ଉପର ପଡ଼ିଆରୁ ଏହି ଯାତ୍ରାକୁ ତଳ ପଡ଼ିଆକୁ ସ୍ଥାନାନ୍ତର କରିବା କଟକବାସୀ ତଥା ଓଡ଼ିଶାର ଜନସାଧାରଣଙ୍କ ଭାବବେଗକୁ ଗଭୀର ଆଘାତ ଦେଇଥିବା କମିଟି ପକ୍ଷରୁ ଦର୍ଶାଯାଇଛି । କୁହାଯାଇଛି କି’ ଉପର ପଡ଼ିଆକୁ ବାଲିଯାତ୍ରା ସହିତ ଯୋଡ଼ିବା ପାଇଁ ପ୍ରଶାସନ ଚିନ୍ତା କରୁ । ଅନ୍ତତଃପକ୍ଷେ ରୌପ୍ୟନଗରୀ କଟକ ମହାନଗରର ହସ୍ତଶିଳ୍ପୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ବସିବାର ସୁବିଧା ଦିଆଯାଉ । ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମର କେତେକ ଅଂଶ ଉପର ପଡ଼ିଆରେ ସ୍ଥାନିତ ହେଉ ବୋଲି କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସମ୍ପାଦକ ଭିକାରୀ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସିହ୍ନା ଓ ନୃସିଂହ ଚରଣ ଚୌଧୁରୀ, ଉପସଭାପତି ତାପସ ପ୍ରହରାଜ ଓ ଧର୍ମେଶ ନାୟକ, ସଂଗଠନ ସମ୍ପାଦକ ଦେବାଶିଷ ରାୟ, କୋଷାଧ୍ୟକ୍ଷ ନରେଶ କୁମାର ସାହୁ ଏବଂ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଉପରପଡ଼ିଆକୁ ନେଇ ସହରବାସୀ ଓ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଏ ବାବଦରେ ପୁନଶ୍ଚ ସଫେଇ ଦେବାକୁ ଚେଷ୍ଟା କରାଯାଇଛି । ଏନ୍‌ଜିଟିଙ୍କ ଆଦେଶ ସହ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଯାତ୍ରା ଆୟୋଜନ ନିମନ୍ତେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସୁପରିଚାଳନା ପାଇଁ ଏହାକୁ ତଳପଡ଼ିଆରେ କରାଯିବା ପାଇଁ ପ୍ରସ୍ତୁତି ହେଉଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ବାଲିଯାତ୍ରାର ବର୍ଦ୍ଧିତ କଳେବରକୁ ଦୃଷ୍ଟିରେ ରଖି ଏଥର ଅଧିକ ସ୍ଥାନରେ ଏହା ଆୟୋଜନ କରାଯିବ । ବିଶେଷକରି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣକୁ ବିଚାରକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।