ଗୁଣୁପୁର,୧୪।୩ (ଆପ୍ର): ଦୁର୍ଗମ ଅଞ୍ଚଳର ଜଣେ ଉଚ୍ଚ ଶିକ୍ଷିତ ଲାଞ୍ଜିଆ ସୌରା ଯୁବକଙ୍କ ସ୍ବପ୍ନ ଥିଲା ଅନେକ କିନ୍ତୁ ଦଇବ ସାଜିଲା ଦାଉ। ଘରୁକୁ ଫେରୁଥିବା ବେଳେ ଯୁବକଙ୍କ ସ୍ବପ୍ନ ଭାଙ୍ଗିଦେଲା ଟ୍ରେନ୍ ଦୁର୍ଘଟଣା। ଦୁଇଟି ଗୋଡ ହରାଇବା ପରେ ସଂଘର୍ଷମୟ ଜୀବନ କାଟୁଛନ୍ତି ଯୁବକ। କେତେବେଳେ ହାତରେ ତୁଳି ଧରି ଆବାସ ଯୋଜନା ଘର କାନ୍ଥରେ ନାମଫଳକ ଲେଖୁଛନ୍ତି ତ କେତେ ବେଳେ ମୂଳ ଲାଗୁଥିବା ଦେଖିବାକୁ ମିଳୁଛି।
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଶଗଡା ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ଅଞ୍ଜରସିଂ ଗ୍ରାମରେ ରହୁଛନ୍ତି ସନ୍ତୋଷ ଶବର। ବିଏସି ପାଠ ସାରି ବର୍ତ୍ତମାନ ଆନ୍ଧ୍ରରେ ବିଏଡ ପଢୁଛନ୍ତି। ଗୁଣୁପୁର ଠାରେ ରହି ଗଜପତି ଜିଲ୍ଲା କାଶିନଗର ଶ୍ରୀରାମ କଲେଜ୍କୁ ଯୁକ୍ତ ୩ ବିଜ୍ଞାନ ବିଭାଗରେ ଶିକ୍ଷା ଅର୍ଜନ କରୁଥିଲେ। ୨୦୧୮ ମସିହା ସେପ୍ଟେମ୍ବର ୧ ତାରିଖରେ କାଶିନଗର ନିକଟରୁ ଟ୍ରେନ୍ ଯୋଗେ ଗୁଣୁପୁର ଅଭିମୁଖେ ଆସୁଥିଲେ। ଦୁର୍ଭାଗ୍ୟବଶତଃ କାଶିନଗର ନିକଟରେ ଟ୍ରେନ୍ ରୁ ଖସିପଡିଥିଲେ। ସେଠାରେ ସନ୍ତୋଷ ଙ୍କ ଗୋଡ ଟ୍ରେନ୍ ରେ କଟିଯାଇଥିଲା। ସେତେବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଗୋଡ ଦୁଇଟି ହରାଇଛନ୍ତି। ବର୍ତ୍ତମାନ ସେ ସରକାରୀ ଯୋଜନାରେ ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି। ଟ୍ରାଇ ସାଇକେଲ ଖଣ୍ଡେ ମିଳିଛି। କିନ୍ତୁ ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବାରୁ ଟ୍ରାଇ ସାଇକଲରେ ଯାତାୟତ କରିବା ଭାରି କଷ୍ଟ ହୋଇପଡିଛି। ଦୁର୍ଗମଅଞ୍ଚଳ ହୋଇଥିବାରୁ ଟ୍ରାଇସାଇକଲ ରେ ବୁଲିବା କାମ କରିବା କଷ୍ଟ ହେଉଛି। ସରକାରୀ ଯୋଜନାରେ ଯଦି ଇ - ସ୍କୁଟି ପ୍ରଦାନ କରାଇଲେ ସବୁଦିଗରେ ମୋତେ ସହାୟତା ହୋଇପାରିବ ବୋଲି ପ୍ରଶାସନ ପାଖରେ ନିବେଦନ କରିଛନ୍ତି।।
ଆନ୍ଧ୍ର ରେ ବିଏଡ ଶିକ୍ଷା ଅର୍ଜନ କରୁଥିବାରୁ ଜଣକର ସାହାରା ହେବାକୁ ପଡୁଛି। ପାଠପଢିବା ଦିନଠୁ ସ୍ବପ୍ନ ରହିଛି ଶିକ୍ଷକତା। ଭଲ ଗୋଟେ ଶିକ୍ଷକ ହୋଇ ଦୁର୍ଗମ ଅଞ୍ଚଳରେ ଶିକ୍ଷା ଆଲୋକରୁ ଦୂରରେ ଥିବା ପିଲାଙ୍କୁ ଶିକ୍ଷା ପ୍ରଦାନ କରି ଆଲୋକ ପ୍ରଦାନ କରିବାର ସ୍ବପ୍ନ ଥିଲା। କିନ୍ତୁ ଦଇବ ଦାଉ ସାଜିବାରୁ ଜଣକ ଉପରେ ସାହାରା ହେବାକୁ ପଡୁଛି। ସରକାର ଯଦି ଗୋଟେ ଇ ସ୍କୁଟି ପ୍ରଦାନ କଲେ ମୋର ଶିକ୍ଷା ଭଲ ହେବା ସହ ଜଣକ ଉପରେ ଆଉ ସାହାର ନେବାକୁ ପଡିବନାହିଁ। ସନ୍ତୋଷ ନିଜେ ବର୍ତ୍ତମାନ ଶିକ୍ଷା ଅର୍ଜନ କରୁଥିବା ବେଳେ ଆର୍ଥିକ ସ୍ବଛଳ ହେବା ପାଇଁ ନିଜେ ଦିନ ମଜୁରିଆ କାମ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ସେ ଜଣେ ଭଲ ଚିତ୍ରକାର। ଗ୍ରାମକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ହେଉ କି ଆବାସ ଘରର ନାମଫଳକ ଲେଖିବା ହେଉ ସବୁକିଛି ସନ୍ତୋଷ ହାତରେ ତୁଳି ଓ କଲର ଧରି ଲେଖନ୍ତି। ଭିନ୍ନକ୍ଷମ ସନ୍ତୋଷଙ୍କୁ ଇ - ସ୍କୁଟି ପ୍ରଦାନ ପାଇଁ ସନ୍ତୋଷ ଦାବି କରୁଥିବା ବେଳେ ଗ୍ରାମବାସୀ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।
ତାଙ୍କୁ ପ୍ରଶାସନ ସହଯୋଗର ହାତବଢାଇବା ସହ ଇ-ସ୍କୁଟିର ବ୍ୟବସ୍ଥା କରିବା ଦିଗରେ ଆଲୋଚନା କରିବେ ବୋଲି ଗୁଣୁପୁର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ କହିଛନ୍ତି। ଗୁଣୁପୁର ବ୍ଲକ୍ ବିଡିଓ ସ୍ବସ୍ତିକ ଜମାଦାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତି।