ଭୁବନେଶ୍ବର: ଦୀପାବଳି ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ଧନତେରସ୍‌ ସହ ବଜାରରେ ଚମକ ଫେରିଛି । ଲୋକେ କିଣାକିଣି କରୁଛନ୍ତି । ସବୁଠି ଭଳିକି ଭଳି ଆଲୋଅରେ ସାଜସଜ୍ଜା କରାଯାଇଛି । ତେବେ କେବଳ ଭାରତ ନୁହେଁ ଦୀପାବଳିକୁ ନେଇ ବିଦେଶରେ ମଧ୍ୟ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଆମେରିକା, ଜାପାନ ଭଳି ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି ।  

 ୧. ଆମେରିକାରେ ଦୀପାବଳି

କେବଳ ଭାରତୀୟ ନୁହେଁ ଆମେରିକୀୟ ମଧ୍ୟ ଅତି ଖୁସିର ସହିତ ଦୀପାବଳି ପାଳନ କରନ୍ତି । ଏପରିକି ଏହି ଦିନ ଛୁଟି ଘୋଷଣା କରାଯାଏ । ମହାଶକ୍ତି ଆମେରିକାରେ ବିଶେଷ କରି ଭାରତୀୟ ବଂଶୋଦ୍ଭବମାନେ ଦୀପାବଳି ପାଳନ କରନ୍ତି । କିନ୍ତୁ ଏହାର କ୍ରେଜ୍‌ ଏବେ ମୂଳ ଆମେରିକୀୟଙ୍କୁ ମଧ୍ୟ ପ୍ରଭାବିତ କରିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦୀପାବଳି ଅବସରରେ ଭାରତୀୟ ବଂଶୋଦ୍ଭବଙ୍କୁ ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।  

୨. ଜାପାନରେ ଦୀପାବଳି ସେଲିବ୍ରେସନ୍‌

ଆମେରିକା ଭଳି ଜାପାନରେ ଦୀପାବଳି ପାଳନ କରାଯାଏ । ଏହି ଦିନ ଲୋକେ ନିଜ ବଗିଚାରେ ଆଲୋକ ସଜ୍ଜା କରୁଥିବା ଦେଖିବାକୁ ମିଳେ । ନାଚ ଗୀତ ସହିତ ଭଳିକି ଭଳି ଖାଦ୍ୟର ମଜା ନିଅନ୍ତି ଲୋକେ । 

୩. ଶ୍ରୀଲଙ୍କାରେ ଦୀପାବଳି

ଏସୀୟ ଦେଶ ଶ୍ରୀଲଙ୍କାରେ ଦୀପାବଳି ବଡ଼ ଧୁମଧାମରେ ପାଳନ କରାଯାଏ । ଏହି ଦିନ ଶ୍ରୀଲଙ୍କାରେ ମାଟି ତିଆରି ଦୀପ ଜାଳିବାର ପରମ୍ପରା ରହିଛି । ଲୋକେ ପରସ୍ପରକୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଥାନ୍ତି । ସେଠାରେ ନିଆରା ଢ଼ଙ୍ଗରେ ଦୀପୋତ୍ସବ ମଧ୍ୟ ପାଳନ କରାଯାଏ । 

୪. ଦୀପାବଳି ପାଳେ ଥାଇଲ୍ୟାଣ୍ଡ

ଥାଇଲ୍ୟାଣ୍ଡରେ ପାଳନ ହେଉଥିବା ଦୀପାବଳିକୁ ଦେଖିବା ଜରୁରି ବୋଲି କୁହାଯାଏ । ସେଠାରେ ଏହି ଉତ୍ସବକୁ ‘କ୍ରିୟୋନ୍ଧ’ ନାମରେ ଜଣାଯାଏ । ସେଠାକାର ଲୋକେ କଦଳୀ ପତ୍ରରେ ଦୀପ ତିଆରି କରି ଏହାକୁ ରାତିରେ ନଦୀରେ ଭସାନ୍ତି । ଆଉ ଏହି ସମୟର ଦୃଶ୍ୟ ଅତ୍ୟନ୍ତ ମନୋରମ ।