କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଆଜି ଶୁଣାଣି ହୋଇଛି। ପାର୍ବଣରେ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଛି। ଦୁର୍ଗାପୂଜା ଓ ମୂର୍ତ୍ତି ଭସାଣି ବେଳେ ବି ଡିଜେ ମନା। ପାର୍ବଣ ଶବ୍ଦ ପ୍ରଦୂଷଣ ରୋକିବାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ୬୫ ଡେସିବଲରୁ ଅଧିକ ଶବ୍ଦ ଉତ୍ପର୍ଣ୍ଣ ହେବାକୁ ଦିଆଯିବନାହିଁ। ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଏ ନେଇ ଅବଗତ କରାଇଛନ୍ତି କଟକ ଡିସିପି।

ପାର୍ବଣ ପ୍ରସ୍ତୁତି ନେଇ କଟକ ଜିଲ୍ଲାପାଳ ଗୁରୁବାର ସତ୍ୟପାଠ ଦାଖଲ କରିଛନ୍ତି। ସମସ୍ତ ପୂଜା ମଣ୍ଡପ ପାଇଁ ଏସଓପି ଜାରି ହୋଇଛି। ତେବେ ଏସଓପିରେ କିଛିଟା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସାଜସଜ୍ଜା ଓ ତୋରଣ ନିର୍ମାଣ କାମ ରାତିରେ ହେବ। ପର୍ବ ସରିବା ମାତ୍ରେ ତୋରଣ ଖୋଲିବାକୁ ହେବ ବୋଲି ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଗା ପୂଜା ପାଇଁ ଐତିହାସିକ କଟକ ସହରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ତିଆରି ଚାଲିଛି। ତେବେ କେମିତି ପାର୍ବଣ ଶୃଙ୍ଖଳାର ସହ ସୁବ୍ୟବସ୍ଥିତ ଢଙ୍ଗରେ ହେବ ସେ ଉପରେ ହାଇକୋର୍ଟଙ୍କ ସହ କଟକ ଜିଲ୍ଲା ପ୍ରଶାସନ ଗୁରୁତ୍ଵାରୋପ କରିଛନ୍ତି। ପରିମଳ ସ୍ଵଚ୍ଛତା ନେଇ ସିଏମସି ଅଣ୍ଟା ଭିଡ଼ିଛି।