ଚେନ୍ନାଇ,୨୫/୧୦: ତାମିଲନାଡୁର ଶାସକ ଡିଏମ୍‌କେ  ବିରୋଧରେ ବିଜେପି ଦେଶଦ୍ରୋହର ଅଭିଯୋଗ ଆଣିଛି । ତାର କାରଣ ହେଉଛି ଡିଏମ୍‌କେର ଏନ୍‌ଆରଆଇ ଶାଖା ପକ୍ଷରୁ ନିଜ ସୋସିଆଲ ମିଡିଆ ଏକ୍ସରେ ଭାରତର ମାନଚିତ୍ର ପ୍ରକାଶ କରାଯାଇଛି । ଯେଉଁଥିରେ  ଅକ୍ସାଇ ଚୀନ୍‌ ଓ ପିଓକେ ଗାୟବ ରହିଛି । ଏହାକୁ ନେଇ ବିବାଦ ବଢ଼ିବା  ପରେ ଡିଏମ୍‌କେ ପକ୍ଷରୁ ଉକ୍ତ ମାନଚିତ୍ରକୁ ସୋସିଆଲ ମିଡିଆରୁ  ହଟାଇ ଦିଆଯାଇଛି । ଏହା ପୂର୍ବରୁ ତାମିଲନାଡୁ ବିଜେପି ପକ୍ଷରୁ ଏକ୍ସରେ  ଲେଖାଯାଇଥିଲା କି ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ଠାରୁ ଆରମ୍ଭ କରି ଉତ୍ତର-ଦକ୍ଷିଣ ବିଭାଜନ କଥା କହି ଅଶାନ୍ତି ସୃଷ୍ଟି କରିବା ଏବଂ  ଇସ୍ରୋ ରକେଟରେ ଚୀନ୍‌ ପତାକା ଲଗାଇବା ପର୍ଯ୍ୟନ୍ତ ଲଜ୍ଜାଜନକ ଘଟଣା ଭିଆଇବା ଭଳି ଘଟଣା ଡିଏମ୍‌କେର ଭାରତ ବିରୋଧୀ ଗତିବିଧି  ଆମେ ଦେଖିଆସିଛୁ । ବର୍ତ୍ତମାନ ଡିଏମ୍‌କେ ଭାରତର ଭୁଲ ମାନଚିତ୍ର  ପ୍ରଦର୍ଶନ କରିଛି । ସେଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ  କ୍ଷମା ମାଗନ୍ତୁ ବୋଲି ରାଜ୍ୟ ବିଜେପି ନେତା ଏଚ୍‌ ରାଜା ଦାବି କରିଛନ୍ତି ।