ମାଲକାନଗିରି, ୨୦/୨(ଆପ୍ର ) : ଜନୈକ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ଜଣେ ଆୟୂଷ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଆୟୁଷ ଡାକ୍ତର ଜଣକ ହେଲେ ଅମିତ କୁମାର ସାହୁ (୩୧)।
ସୂଚନାଯୋଗ୍ୟ ଯେ, ମୋଟୁ ଡାକ୍ତରଖାନାରେ ଆୟୁଷ ଡାକ୍ତର ଭାବରେ ନିଯୁକ୍ତି ପାଇଥିବା ଡାକ୍ତର ଅମିତ କୁମାର ସାହୁଙ୍କ ସଂସ୍ପର୍ଶରେ ଯୁବତୀ ଜଣକ ଆସିଥିଲେ। ତା’ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ଡାକ୍ତର ରଖିଥିଲେ। ଯେତେବେଳେ ପୀଡିତା ବିବାହ ପାଇଁ ଡାକ୍ତରଙ୍କୁ କହିଥିଲେ, ସେ ଅପେକ୍ଷା କରିବାକୁ କହିଥିଲେ । ଡାକ୍ତର ଜଣକ ଏହାରି ଭିତରେ ମାଲକାନଗିରି ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାକୁ ତାଙ୍କର ବଦଳି ପ୍ରକ୍ରିୟା କରିଥିଲେ। ଗତ ୨୭.୧୦.୨୦୨୪ ରେ ଅମିତଙ୍କ କୋରକୁଣ୍ଡା ସ୍ଥିତ ସରକାରୀ କାର୍ଯ୍ୟାଳୟକୁ ଯାଇ ବିବାହ ପାଇଁ ଯୁବତୀ ଜଣକ ଅନୁରୋଧ କରିଥିଲେ। ଡାକ୍ତର ଜଣକ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଗତ ୩୦.୧୦.୨୦୨୪ ରେ ଡାକ୍ତର ଜଣକ ପୀଡିତାଙ୍କ ଘରକୁ ଯାଇ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କପାଳରେ ସିନ୍ଦୁର ଲଗାଇଥିଲେ । ପୀଡିତା ଅଜାଣତରେ ତାଙ୍କ ନୂତନ ପୋଷ୍ଟିଂ ସ୍ଥାନ ସମ୍ବଲପୁର ଡାକ୍ତର ଚାଲି ଯାଇଥିଲେ । ଯିବା ପରେ ତାଙ୍କର ସମସ୍ତ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ । ପୀଡିତାଙ୍କ ସହିତ ଯୋଗାଯୋଗ ରଖି ନଥିଲେ। ଏହି ସମୟ ମଧ୍ୟରେ, ୧୭.୦୨.୨୦୨୫ ରେ ଅଭିଯୁକ୍ତ ଜଣକ ଅନ୍ୟ ଜଣେ ମହିଳାଙ୍କ ସହିତ ବିବାହ କରିଥିଲେ। ଖବର ପାଇ ଯୁବତୀ ଜଣକ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ବିବାହର ଗୋଟିଏ ଦିନ ପରେ ପୁଲିସ ଟିମ ସମ୍ବଲପୁର ଯାଇ ଡାକ୍ତରଙ୍କୁ ଗିରଫ କରିଥିଲା।