ଭୁବନେଶ୍ୱର ୧୦/୦୧: ପ୍ରାୟତଃ ଶୁଣିଥିବେ ନିଶ୍ଚୟ! ଅଧିକ ମଇଦା ଖାଇଲେ ଶରୀର ପାଇଁ କ୍ଷତିକାରକ । କାରଣ ଏହା ଅନ୍ତଃନଳୀରେ ଲାଗି ରହିଥାଏ । ଚାଲନ୍ତୁ ବିଶେଷଜ୍ଞଙ୍କଠାରୁ ଜାଣିବା ଏହା କେତେଦୂର ସତ । ନ୍ୟୁଟ୍ରିସ୍‌ନିଷ୍ଟ ଅମ୍ବିକ ଦତ୍ତ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମଇଦା ବିଷୟରେ ଥିବା ଭ୍ରମକୁ ଦୂର କରିବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି, ମଇଦା ପେଟ ବା ଅନ୍ତଃନଳୀରେ ଲାଗି ଯାଇ ନଥାଏ । କାରଣ ଆମେ ଏହାକୁ କଞ୍ଚା ଖାଇ ନଥାଉ । ତେଣୁ ମଇଦାରେ ପ୍ରସ୍ତୁତ ଖାଦ୍ୟ ସରଳ ଭାବେ କାର୍ବୋହାଇଡ୍ରେଟ୍‌ ରୂପରେ ଶରୀରରେ ଅବଶୋଷିତ ହୋଇଥାଏ । 

ହଜମ ପାଇଁ କେତେଦୂର ଠିକ୍‌ :

କମ୍‌ ଫାଇବର : ମଇଦାରେ ଫାଇବର ମାତ୍ରା ଖୁବ୍‌ କମ୍‌ ରହିଥାଏ । କିନ୍ତୁ ପାଚନ ତନ୍ତ୍ର ପାଇଁ ଫାଇବରର ଆବଶ୍ୟକତା ଅଧିକ । ତେଣୁ ଅଧିକ ମଇଦାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଯଥା ଏସିଡିଟି, ବଦ୍‌ହଜମୀ ଓ କବ୍ଚ ଆଦି ଉପୁଜିଥାଏ । 

ଉଚ୍ଚ କ୍ୟାଲୋରୀ : ମଇଦାରେ ଅଧିକ ମାତ୍ରାର କାର୍ବୋହାଇଡ୍ରେଟ୍‌ ରହିଥାଏ । କିନ୍ତୁ ଅନ୍ୟ ପୋଷକ ତତ୍ତ୍ୱ ପ୍ରୋଟିନ୍‌, ଭିଟାମିନ୍‌ ଓ ମିନେରାଲ୍‌ର ମାତ୍ରା କମ୍‌ ରହିଥାଏ । ତେଣୁ ମଇଦାକୁ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି । ଅଧିକ ମଇଦା ଖାଇବା ଦ୍ୱାରା ଓଜନ ବଢିବା ସହ ମୋଟପଣ ବଢିବାର ଆଶଙ୍କା ଅଧିକ ।

ରକ୍ତରେ ଶର୍କରା ସ୍ତର : ମଇଦାରେ ଥିବା କାର୍ବୋ ହାଇଡ୍ରେଟ୍‌ ଜଲଦୀ ହଜମ ହୋଇଯାଇଥାଏ, ଯାହାଦ୍ୱାରା ରକ୍ତରେ ଶର୍କରା ସ୍ତର ତୀବ୍ର ବେଗରେ ବଢିଥାଏ । ତେଣୁ ମଇଦା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।