ପୁରୀ, ୧୯।୨: ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦୋଳପୂର୍ଣ୍ଣିମା । ସେ ଦିନ କେତୁଗ୍ରସ୍ତ ଗ୍ରହଣ । ଏଥିସାଙ୍ଗକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳପୂର୍ଣ୍ଣମୀର ନୀତି ବହୁଳତା । ପୂର୍ବ ଦିନ ଅଗ୍ନିଉତ୍ସବ ତଥା ଠାକୁରଙ୍କ ମେଣ୍ଢା ପୋଡ଼ି ନୀତି । ପ୍ରସ୍ତୁତିରେ ତତ୍ପରତା ରହିଲେ ହିଁ ଗ୍ରହଣ ସାଙ୍ଗକୁ ଏସବୁ ଦୋଳ ନୀତିକୁ ସୁଚାରୁରୁପେ ପରିଚାଳନା କରିହେବ । ଏଣୁ ୧ ତାରିଖରୁ ନୀତିକୁ ଗୁରୁତ୍ୱ ଦିଆଯିବ । ୨ ତାରିଖ ଅଗ୍ନି ଉତ୍ସବ ଓ ପରଦିନ ଦୋଳପୂର୍ଣ୍ଣିମାରେ ଠାକୁରଙ୍କ ଦ୍ୱାର ଫିଟା ହେବ ରାତି ୩ଟାରୁ । ଏନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇ ଏସବୁ ଆପାତଃ ଧାର୍ଯ୍ୟ ହୋଇଛି । ଏହାପରେ ଶ୍ରୀମନ୍ଦିର ନୀତି ସବ୍କମିଟି ଓ ଛତିଶା ନିଯୋଗ ବୈଠକରେ ଏସବୁ ଆଲୋଚନା ହୋଇ ନିଷ୍ପତ୍ତି ଚୂଡ଼ାନ୍ତ ହେବ । ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି ଶୃଙ୍ଖଳା ଓ ନୂତନ ପାଞ୍ଜିକୁ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର କମାଣ୍ଡରଙ୍କ ସମେତ ଦେଉଳକରଣ, ତଢ଼ାଉକରଣ, ପୂଜାପଣ୍ଡା ଓ ସିଂହାରୀ ନିଯୋଗର କର୍ମକର୍ତ୍ତା, ମୁକ୍ତିମଣ୍ଡପ ପ୍ରତିନିଧି ଓ ରାଜଜ୍ୟୋତିଷଙ୍କ ସମେତ ବରିଷ୍ଠ ସେବକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହା ବି ପଢ଼ନ୍ତୁ... ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ, ଗୁଣ୍ଡିଚା ଓ ବାହୁଡ଼ା ପାଇଁ ପୃଥକ ଚାରମାଳ
୩ ତାରିଖ ଗ୍ରହଣ ସାଙ୍ଗକୁ ଠାକୁରଙ୍କ ଦୋଳପୂର୍ଣ୍ଣିମା ନୀତି ରହିଛି । ବଡ଼ଦେଉଳ ପରମ୍ପରା ଅନୁସାରେ ଗ୍ରହଣ ଲାଗିଲେ ଠାକୁରଙ୍କ ନୀତି ଆରମ୍ଭ ହୁଏ । ଏଣୁ ଅପରାହ୍ଣ ପ୍ରାୟ ୪ଟାରୁ ଠାକୁରଙ୍କ ନୀତି ଆରମ୍ଭ ହେବାକୁ ପ୍ରସ୍ତାବ ରହିଛି । ଭଅଣ୍ଡ ସରିଲା ବେଳକୁ ରାତି । ସେ ଦିନ ବହୁ ନୀତି ରହିଛି । ଠାକୁରଙ୍କ ଦୋଳପୂର୍ଣ୍ଣିମା ନୀତି ସରିଲା ବେଳକୁ ରାତି ପାହିବ । ଦୋଳପୂର୍ଣ୍ଣିମାରେ ଶ୍ରୀବିଗ୍ରହ ସୁନା ବେଶ ଅନୁଷ୍ଠିତ ହେବ । ରାତି ୮ଟାରୁ ଠାକୁରଙ୍କ ସୁନା ବେଶ ଆରମ୍ଭ ହୋଇ ସାଢ଼େ ୯ଟାରେ ସରିବ । ପରଦିନ ପ୍ରାତଃ ସାଢ଼େ ୪ଟାରେ ବେଶ ମଇଲମ ହେବ । ୨ ତାରିଖରେ ଅନୁଷ୍ଠିତ ହେବ ମେଣ୍ଢାପୋଡ଼ି ଉତ୍ସବ । ଏନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଗ୍ରହଣ ସ୍ପର୍ଶ ଅପରାହ୍ଣ ୩ଟା ୨୦ମିନିଟ୍ ୧୭ ସେକେଣ୍ଡ, ସର୍ବମୋକ୍ଷ ସନ୍ଧ୍ୟା ୬ଟା ୪୭ମିନିଟ୍ ୧୩ ସେକେଣ୍ଡ । ତେବେ ଆସନ୍ତା ଛତିଶା ନିଯୋଗ ବୈଠକରେ ଦୋଳପୂର୍ଣ୍ଣିମା ଓ ମେଣ୍ଢାପୋଡ଼ି ନୀତି ନିର୍ଘଣ୍ଟ ଚୁଡ଼ାନ୍ତ ହେବ ବୋଲି ସୂଚନା ରହିଛି ।