କଟକ, ୩୧।୧: ଘରୋଇ ରନ୍ଧନ ଗ୍ୟାସ୍ (ଏଲ୍ପିଜି) ମିଳିବାରେ ଏବେ ସାଂଘାତିକ ସମସ୍ୟା ହେଉଛି । ତିନିରୁ ଚାରିଦିନ ମଧ୍ୟରେ ମିଳୁଥିବା ଏହି ସିଲିଣ୍ଡର ଏବେ ବୁକିଂ ହେବାର ୧୫ ଦିନ ପରେ ବି ପହଞ୍ଚୁନି । ଏଚ୍ପି ଗ୍ୟାସ୍ରେ ଏହି ସମସ୍ୟା ମାସେ ହେଲା ଲାଗିଥିବା ବେଳେ ଏବେ ଇଣ୍ଡେନ୍ ଗ୍ୟାସ୍ରେ ବି ସମାନ ସମସ୍ୟା ଦେଖାଦେଇଛି । ବାହାଘର ଋତୁ ଏହି ସମସ୍ୟାକୁ ଦୁଇଗୁଣା କରିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ସାଧାରଣ ଖାଉଟି ସିଲିଣ୍ଡର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ କିନ୍ତୁ ଚୁପ୍ ହୋଇ ବସିଛି । ସେଭଳି କିଛି ସମସ୍ୟା ନାହିଁ ବୋଲି ଯୋଗାଣ ବିଭାଗ କହୁଛି । କଟକ ସହରରେ ସବୁଠାରୁ ଅଧିକ ଘରୋଇ ଗ୍ୟାସ୍ ସଂଯୋଗ ଏଚ୍ପି ଗ୍ୟାସ୍ ପାଖରେ ଅଛି । ଏନେଇ ସହର ମଧ୍ୟରେ ପ୍ରାୟ ୧୫ଟି ଗ୍ୟାସ୍ ଏଜେନ୍ସି ଅଛି । ଏହା ପଛକୁ ସହରରେ ଇଣ୍ଡେନ୍ର ପ୍ରାୟ ୧୧ଟି ଗ୍ୟାସ୍ ଏଜେନ୍ସି ରହିଛି । ସେହିପରି ଭାରତ ଗ୍ୟାସ୍ର ୪ଟି ଏଜେନ୍ସି ରହିଛି ।
ତେବେ ଏଚ୍ପି ଗ୍ୟାସ୍ କଟକ ସହରର ପ୍ରାୟ ୪୫ ପ୍ରତିଶତ ଘରୋଇ ଗ୍ୟାସ୍ ସଂଯୋଗ ପ୍ରଦାନ କରିଛି । ଏହାବାଦ୍ ୪୦ ପ୍ରତିଶତ ଇଣ୍ଡେନ୍ ପାଖରେ ଓ ବାକି ଭାରତ ଗ୍ୟାସ୍ ପାଖରେ ସଂଯୋଗ ରହିଛି । ତିନି ମାସ ତଳୁ ଏଚ୍ପି ଗ୍ୟାସ୍ରେ ପ୍ରଥମେ ଏହି ସମସ୍ୟା ଦେଖାଦେଇଥିଲା । ତାର ସିଲିଣ୍ଡର ରିଫିଲିଂ ପ୍ଲାଣ୍ଟରେ ବୈଷୟିକ ସମସ୍ୟା ଦେଖାଦେବାରୁ ଯୋଗାଣ ପ୍ରଭାବିତ ହେଲା । ଧିରେ ଧିରେ ଏହି ସମସ୍ୟା ବଢ଼ିଲା । ତେବେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏହି ସମସ୍ୟା ରହିବା ପରେ ହଠାତ୍ ସଂସ୍ଥା ପକ୍ଷରୁ ଅଡିଟ୍ ଆରମ୍ଭ ହେଲା । ଏହା ସମସ୍ୟାକୁ ଦୁଇ ଗୁଣା ବଢ଼ାଇଲା । ବୁକିଂର ୩ରୁ ୪ ଦିନରେ ମିଳୁଥିବା ଗ୍ୟାସ୍ ୧୦ରୁ ୧୨ ଦିନ ପରେ ମିଳିଲା । ଏବେ ସ୍ଥିତି ଆହୁରି ଗମ୍ଭୀର । ବୁକିଂଗୁଡ଼ିକ ବେଳକୁ ବେଳ ପିଛିଲା ଭାବେ ଗଡ଼ିଗଡ଼ି ଯାଉଥିବାରୁ ଗୋଟିଏ ଗୋଟିଏ ଏଜେନ୍ସି ପାଖରେ ୧୦ରୁ ୧୨ ହଜାର ବୁକିଂ ଡେଲିଭରି ନହୋଇ ପଡ଼ିରହିଛି । ଏହା ଭିତରେ ବାହାଘର ଋତୁ ଆରମ୍ଭ ହୋଇଥିବାରୁ ଡିମାଣ୍ଡ ବା ଆବଶ୍ୟକତା ମଧ୍ୟ ବଢ଼ିଯାଇଛି । ଜାନୁଆରୀ ମାସ ଶେଷ ସପ୍ତାହ ବେଳକୁ ଗ୍ୟାସ୍ ସମସ୍ୟା ଉତ୍କଟ ହୋଇଛି । ଏଚ୍ପିର ବିଭିନ୍ନ ଏଜେନ୍ସି ପ୍ରତିଦିନ ଗୋଟିଏ ଟ୍ରକ୍ ସିଲିଣ୍ଡର ପାଉଥିବାବେଳେ ଏବେ ୩ ଦିନରେ ଗୋଟିଏ ଟ୍ରକ୍ ଆସୁଛି । ୧୫ ଦିନ ପୂର୍ବରୁ କରିଥିବା ବୁକିଂରେ ଲୋକ ସିଲିଣ୍ଡର ପାଇ ନାହାନ୍ତି । ଏଜେନ୍ସି ପାଖରେ ଥିବା ଡେଲିଭରି ବୟ ବାଧ୍ୟ ହୋଇ ଫୋନ୍ ବନ୍ଦ ରଖୁଛନ୍ତି । ଅତି ଆବଶ୍ୟକ ପଡ଼ୁଥିବାରୁ ଲୋକେ ଗ୍ୟାସ୍ ଗୋଦାମ ପାଖରେ ଯାଇ ଲାଇନ୍ ଲଗାଉଛନ୍ତି । ହୋ’ ହଲ୍ଲା ମଧ୍ୟ କରୁଛନ୍ତି । କିଛି ଏଜେନ୍ସି କାର୍ଯ୍ୟାଳୟରେ ମଧ୍ୟ ଲୋକ ପାଟିତୁଣ୍ଡ କରୁଛନ୍ତି ।
ତେବେ ଏଚ୍ପି ଗ୍ୟାସ୍ରେ ଏହି ସମସ୍ୟା ଦେଖାଦେଇଥିବା ବେଳେ ଗଲା ସପ୍ତାହେ ହେବ ଇଣ୍ଡେନ୍ ମଧ୍ୟ ଗ୍ୟାସ୍ ଯୋଗାଣ ବିଳମ୍ବ ହେଉଥିବା ଅଭିଯୋଗ ଆସିଛି । ସପ୍ତାହେରୁ ଅଧିକ ସମୟ ହେବ ଲୋକ ସିଲିଣ୍ଡର ପାଇନାହାନ୍ତି । ବହୁ ଗ୍ରାହକ ଇଣ୍ଡେନ୍ ଗୋଦାମ ପାଖରେ ଯାଇ ଛିଡ଼ା ହୋଇ ସିଲିଣ୍ଡର ଆଣୁଛନ୍ତି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କେ. ଚନ୍ଦ୍ରଶେଖର ପାତ୍ର କିନ୍ତୁ ଏହି ଅଭାବୀ ଯୋଗାଣକୁ ସ୍ୱୀକାର କରିବାକୁ ରାଜି ନୁହନ୍ତି । ସବୁ ଠିକ୍ ଅଛି । ଯେଉଁ ସମସ୍ୟା ଦେଖାଦେଉଛି ତାହା ଗ୍ରାହକଙ୍କ ପାଇଁ ସମସ୍ୟା କରୁନଥିବା ସେ କହିଛନ୍ତି । ତେବେ ଖୋଦ୍ ଏଚ୍ପି ଓ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ମାଲିକମାନେ କିନ୍ତୁ ଏହି ସମସ୍ୟା ଆହୁରି କିଛି ଦିନ ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ।