ନୂଆଦିଲ୍ଲୀ,୨।୯: ଚୀନ୍ର ତିୟାନଜିନ୍ରେ ଚାଲିଛି ଏସ୍ସିଓ ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କେମେଷ୍ଟ୍ରୀ ଦେଖିଲା ସାରା ବିଶ୍ବ । ଗୋଟିଏ ମଞ୍ଚରେ ତ୍ରିଶକ୍ତିଙ୍କୁ ଦେଖି ଆମେରିକା କିନ୍ତୁ ରାଗରେ ଛଟପଟ । ଗତକାଲି ନିଜ ପ୍ରତିକ୍ରିୟାରେ ଭାରତ ଉପରେ ଦୋଷ ଲଦିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ଏବେ ତାଙ୍କ ପରେ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ଟାର୍ଗଟ କରିଛନ୍ତି। ସେ କହିଛନ୍ତି ପୁଟିନ୍ ଓ ଜିନପିଙ୍ଗ ଓ ମୋଦିଙ୍କ ସାକ୍ଷାତ ଲଜ୍ଜାଜନକ।
ଏସସିଓ ସମ୍ମିଳନୀରେ ରୁଷ, ଭାରତ ଓ ଚୀନ୍ର ଏକତା ଦେଖି ବଢିଲା ଆମେରିକାର ଚିନ୍ତା। ନିଜର ସ୍ଥିତି ଦୁବର୍ଳ ହେବା ଆଶଙ୍କାରେ ଭାରତକୁ କରିଛି କଡ଼ା ସମାଲୋଚନା। ଆମେରିକା ରାଷ୍ଟ୍ରପତି ଟ୍ରମଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ପିଏମ୍ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋଦିଙ୍କୁ ରୁଷ ବଦଳରେ ଆମେରିକା, ୟୁରୋପ ଏବଂ ୟୁକ୍ରେନ ସହ ରହିବା ଦରକାର। ଏହା ଖୁବ୍ ଚିନ୍ତା ଓ ଲଜ୍ଜାଜନକ ଯେ ବିଶ୍ବର ସବୁଠାରୁ ବଡ଼ ଲୋକତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ମୋଦି ଏବେ ପୁଟିନ୍ ଓ ଜିନ୍ପିଙ୍ଗଙ୍କ ଭଳି ଦୁଇ ଏକଛତ୍ରବାଦୀ ନେତାଙ୍କ ସହ ଘନିଷ୍ଠତା ବଢାଇଛନ୍ତି। ମୁଁ ବୁଝି ପାରୁନି ମୋଦି କ’ଣ ଭାବୁଛନ୍ତି। ବିଶେଷ କରି ସେତେବେଳେ, ଯେଉଁ ସମୟରେ ଚୀନ୍ ସହ ଦୀର୍ଘ ଦଶକ ଧରି ବିବାଦ ଜାରି ରହିଛି। ଏପରିକି କେବେ କେବେ ଯୁଦ୍ଧ ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଚାଲିଯାଇଛି। ଆମେ ଆଶା କରୁଛି ଭାରତୀୟ ନେତା ଏହାକୁ ବୁଝନ୍ତୁ। ତାଙ୍କୁ ରୁଷ ବଦଳରେ ଆମେରିକା, ୟୁରୋପ ଓ ୟୁକ୍ରେନ ସହ ରହିବା ଦରକାର। ଦିନକ ତଳେ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଭାରତ ସହିତ ବାଣିଜ୍ୟ ସମ୍ପର୍କ ନେଇ ଏକ ପୋଷ୍ଟ ସେୟାର କରିଥିଲା । ଟ୍ରମ୍ପ କହିଥିଲେ, ଭାରତ ବହୁ ଦଶନ୍ଧି ଧରି ଆମ ସହ ଏକତରଫା ବାଣିଜ୍ୟ କରୁଥିଲା। ଆମେରିକାକୁ ବିପୁଳ ପରିମାଣର ସାମଗ୍ରୀ ବିକ୍ରି କରୁଥିଲା ଭାରତ। ଏହା ସହ ଅଧିକ ଟାରିଫ୍ ମଧ୍ୟ ଲଗାଉଥିଲା। କିନ୍ତୁ ଆମେରିକାର ବହୁତ କମ୍ ସାମଗ୍ରୀ ଭାରତରେ ବିକ୍ରି କରଯାଉଥିଲା।
କେବଳ ସେତିକି ନୁହେଁ ଏହା ପୂର୍ବରୁ ନଭାରେ ଭାରତକୁ ‘ଟାରିଫ୍ର ମହାରାଜା’ କହି ସମାଲୋଚନା କରିଥିଲା। ସେ କହିଥିଲେ ଭାରତ ସବୁଠାରୁ ଅଧିକ ଟାରିଫ୍ ଲଗାଇଥାଏ, କିନ୍ତୁ ଏହାକୁ ସ୍ବୀକାର କରେନି। ଆମର ସାମଗ୍ରୀ ଭାରତ ସେଠାରେ ବିକ୍ରି କରିବାକୁ ଦିଏନି, ଫଳରେ ଆମର ଶ୍ରମିକ ଓ ଟିକସଦତାଙ୍କୁ କ୍ଷତି ସହିବାକୁ ପଡୁଛି। ରୁଷରୁ ତେଲ କିଣି ଭାରତରେ କେବଳ ବ୍ରାହ୍ମଣମାନଙ୍କୁ ଲାଭ ମିଳୁଛି। ତାଙ୍କର ସେହି ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ଦଳର ନେତାଙ୍କଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତି ନାଭାରୋଙ୍କୁ ନିନ୍ଦା କରିଛନ୍ତି।