ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଦ୍ବିପାକ୍ଷିକ ବାଣିଜ୍ୟ, ସମ୍ଭାବ୍ୟ ସଂକଟ, ଶାନ୍ତି ଏବଂ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟିକ୍‌ଟକ୍‌କୁ ନେଇ ଦୁଇ ନେତା ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ।  ତେବେ ଜିନପିଙ୍ଗଙ୍କ ସହ ଗଠନମୂଳକ ଆଲୋଚନା ହୋଇଥିବା ବେଳେ ଭବିଷ୍ୟତରେ ଏହା ଫଳପ୍ରଦ ହେବ ବୋଲି ଟ୍ରମ୍ପ ଆଶା ପ୍ରକଟ କରିଛନ୍ତି । 

ସୋସିଆଲ ମିଡିଆରେ ଟ୍ରମ୍ପ ଲେଖିଛନ୍ତି, ‘ଏହି କଲ୍‌ ଚୀନ୍‌ ଏବଂ ଆମେରିକା ପାଇଁ ଖୁବ ଭଲ। ଅଧିକାଂଶ ସମସ୍ୟାର ସମାଧାନ ଆମେ ଆଲୋଚନା ମାଧ୍ୟମରେ କରିପାରିବୁ ବୋଲି ଆଶା କରୁଛି । ଆମେ ସନ୍ତୁଳିତ ବାଣିଜ୍ୟ, ଫେଣ୍ଟାଇଲ୍‌, ଟିକ୍‌ଟକ୍‌ ଭଳି ବହୁ ପ୍ରସଙ୍ଗରେ ଆଲୋଚନା ହୋଇଛି ।’ ଏକତା ଉପରେ ଗୁରୁତ୍ବ ଦେବା ସହ ଟ୍ରମ୍ପ ଲେଖିଛନ୍ତି, ରାଷ୍ଟ୍ରପତି ଜିନପିଙ୍ଗ ଏବଂ ମୁଁ ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଯଥା ସମ୍ଭବ ଚେଷ୍ଟା କରିବୁ । 

ସେପଟେ ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଆଲୋଚନା ସଂପର୍କରେ ଚୀନ୍‌ର ସରକାରୀ ଗଣମାଧ୍ୟମ ଜିନୁହା ସୂଚନା ଦେଇଛି । କିନ୍ତୁ ସେମାନେ କଣ ଆଲୋଚନା କରିଛନ୍ତି ସେନେଇ କିଛି ସୂଚନା ଦେଇନାହିଁ ।  ଏହା ପୂର୍ବରୁ ଜାନୁଆରୀ ୬ରେ ସି ଜିନିପିଙ୍ଗଙ୍କ ସହିତ ଆଲୋଚନା କରିବାକୁ ପ୍ରକ୍ରିୟା ଚାଲିଛି ବୋଲି କହିଥିଲେ ଟ୍ରମ୍ପ । ସେପଟେ ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ ଯୋଗ ଦେବେ ନାହିଁ ବୋଲି ବେଜିଂ ସ୍ପଷ୍ଟ କରିଥିବା ବେଳେ ଏଥିପାଇଁ ଉପ ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗଙ୍କୁ ଦାୟିତ୍ବ ଦିଆଯାଇଛି ।