ୱାଶିଂଟନ,୦୩/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୋଜ ଗାର୍ଡେନଠାରେ ‘ମେକ୍‌ ଆମେରିକା  ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ଭାଷଣ ଦେଇ ନୂଆ ଆମଦାନି ଟାରିଫ୍‌  ଘୋଷଣା କରିଛନ୍ତି । ବିଭିନ୍ନ ଦେଶ ଉପରେ ‘ଯେସାକୁ ତେସା’ ନୀତିରେ  ଏହି ଟାରିଫ୍‌ ଘୋଷଣା ହୋଇଛି । ତାଙ୍କ ଘୋଷଣା ଅନୁସାରେ ଭାରତୀୟ ସାମଗ୍ରୀ  ଉପରେ ଆମେରିକା ୨୬% ଟାରିଫ୍‌  କଷିବ । ଏହାଛଡ଼ା ଦକ୍ଷିଣ କୋରିଆ  ଉପରେ ୨୫%, ଜାପାନ ଉପରେ ୨୪%,  ତାଇୱାନ ଉପରେ ୩୨% ଶୁଳ୍କ ଲାଗୁ  କରାଯାଇଛି । ତେବେ ଆମେରିକାକୁ ଯେ  କୌଣସି ଦେଶରୁ ଆମଦାନି ହେଉଥିବା  ସମସ୍ତ ଦ୍ରବ୍ୟ ଉପରେ ଅନ୍ୟୂନ ୧୦%  ଟାରିଫ୍‌ ଲାଗୁ କରାଯିବ ବୋଲି ଟ୍ରମ୍ପ୍‌  କହିଛନ୍ତି । ଏହା ବାଦ୍‌ ବିଭିନ୍ନ ଦେଶର  ଉତ୍ପାଦ ଉପରେ ଭିନ୍ନ ଭିନ୍ନ ଶୁଳ୍କ ଲାଗୁ  ହେବ । ଅଟୋମୋବାଇଲ କ୍ଷେତ୍ର ଉପରେ  ୨୫% ଶୁଳ୍କ ଲାଗୁ ହେବ । 

ବ୍ରିଟେନ୍‌ ଉପରେ ୧୦%,  ଭିଏତନାମ ଉପରେ ୪୬%, ସ୍ୱିଜରଲାଣ୍ଡ  ଉପରେ ୩୪%, କାମ୍ବୋଡିଆ ଉପରେ  ୪୯%, ଦକ୍ଷିଣ ଆଫ୍ରିକା ଉପରେ ୩୦%,  ଇଣ୍ଡୋନେସିଆ ଉପରେ ୩୨%, ବ୍ରାଜିଲ  ଉପରେ ୧୦% ଏବଂ ସିଙ୍ଗାପୁର ଉପରେ  ୧୦% ଟାରିଫ୍‌ ଲାଗୁ ହେବ । ଚୀନ୍‌ର  ସାମଗ୍ରୀ ଉପରେ ୩୪% ଶୁଳ୍କ  ଲାଗୁ ପାଇଁ ଟ୍ରମ୍ପ୍‌ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ  ୟୁରୋପୀୟ ସଂଘଠାରୁ ଆମେରିକା ଆମଦାନି କରୁଥିବା  ସାମଗ୍ରୀ ଉପରେ ୨୦% ଟାରିଫ୍‌ ଲାଗୁ କରାଯିବ । 

ଏହି ପରିପ୍ରେକ୍ଷୀରେ ଟ୍ରମ୍ପ୍‌ କହିଛନ୍ତି, ବିଶ୍ୱ ବାଣିଜ୍ୟ  ଆମେରିକୀୟ ଅର୍ଥନୀତିକୁ ଲୁଟିଛି । ଆମ ଦେଶ ଅନ୍ୟ  ରାଷ୍ଟ୍ରଗୁଡ଼ିକ ଦ୍ୱାରା ଲୁଟ୍‌ର ଶିକାର ହୋଇଛି । ତେବେ  ଟାରିଫ୍‌ ଦ୍ୱାରା ଆର୍ଥିକ ସଂକଟ ଆସିବ ନାହିଁ ବୋଲି  ସେ କହିଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ବିଦେଶରେ ନିର୍ମିତ ଅଟୋମୋବାଇଲ ଉପରେ ୨୫% ଟାରିଫ୍‌ ଲାଗୁ ହେବ । 

ଆମେରିକା ପାଇଁ ଆଜି ଐତିହାସିକ ଦିନ ବୋଲି ଟ୍ରମ୍ପ୍‌ କହିଛନ୍ତି । ଏହାକୁ ‘ଲିବରେସନ ଡେ’  ଭାବେ ମଧ୍ୟ ସେ ଅଭିହିତ କରିଛନ୍ତି । ଭାରତୀୟ  ସମୟ ଅନୁସାରେ ବୁଧବାର ବିଳମ୍ବିତ ରାତି  ପ୍ରାୟ ୧ଟା ୩୦ରେ ଟ୍ରମ୍ପ୍‌ ସାମ୍ବାଦିକ ସମ୍ମିଳନୀକୁ  ସମ୍ବୋଧନ କରିଥିଲେ । ଅନ୍ୟପକ୍ଷରେ ଏହାକୁ  ନେଇ ଭାରତ ସରକାର ଦେଶରେ କଣ୍ଟ୍ରୋଲ ରୁମ୍‌  ବନାଇଥିଲେ । ବାଣିଜ୍ୟ ତଥା ଶିଳ୍ପ ମନ୍ତ୍ରଣାଳୟ  ଅଧିକାରୀ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିବେ ।  ଆମେରିକା ଟାରିଫ୍‌ ଦ୍ୱାରା ଭାରତୀୟ ବାଣିଜ୍ୟ ଉପରେ  କି ପ୍ରଭାବ ପଡ଼ିବ, ତାହାର ମୂଲ୍ୟାୟନ କରିବେ ।