ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ବିଦେଶୀ ନାଗରିକଙ୍କ ନିର୍ବାସନ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇ ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ପ୍ରଶାସନ ଦୁର୍ନୀତିକୁ ଶେଷ କରିବା ପାଇଁ ଠକ, ଗୁଣ୍ଡା ଏବଂ 'ଡିପ୍ ଷ୍ଟେଟ୍' ଅମଲାଙ୍କୁ (ସରକାରୀ ନିଷ୍ପତ୍ତିକୁ ପ୍ରଭାବିତ କରିପାରୁଥିବା ବାହାର ଶକ୍ତି) ଘରକୁ ପଠାଉଛି। ଟ୍ରମ୍ପ ଅବୈଧ ପ୍ରବାସୀ ମାନଙ୍କୁ ବଡ ଆକାରର ନିର୍ବାସନକୁ ତାଙ୍କର ପ୍ରାଥମିକ ନୀତି କରିଛନ୍ତି।
ୱାଶିଂଟନ ବାହାରେ କଞ୍ଜରଭେଟିଭ ପଲିଟିକାଲ୍ ଆକ୍ସନ୍ କନଫରେନ୍ସ (ସିପିଏସି)କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, "ପ୍ରତାରକ, ମିଥ୍ୟାବାଦୀ, ଅସାଧୁ ଲୋକ, ବିଶ୍ୱବାଦୀ ଏବଂ ଡିପ୍ ଷ୍ଟେଟ୍ ବ୍ୟୁରୋକ୍ରାଟ ମାନଙ୍କୁ ବାହାରକୁ ପଠାଯାଉଛି।" ସେ କହିଥିଲେ, “ଅବୈଧ ବିଦେଶୀ ଅପରାଧୀଙ୍କୁ ଘରକୁ ପଠାଯାଉଛି। ଆମେ ଦୁର୍ନୀତିକୁ ଦୂର କରୁଛୁ ଏବଂ ଲୋକଙ୍କ ଶାସନ ପୁନଃସ୍ଥାପନ କରୁଛୁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆମେରିକୀୟ ପ୍ରବାସୀ ବ୍ୟବସ୍ଥାର କିଛି ଅଂଶକୁ ସଂଶୋଧନ କରିବା ଆରମ୍ଭ କରିଛନ୍ତି ଏବଂ "ସାମୁହିକ ନିର୍ବାସନ" ଏବଂ ଗିରଫଦାରୀର ପ୍ରତିଶ୍ରୁତି ଦେଇଛନ୍ତି।