ନୂଆଦିଲ୍ଲୀ: ଆମେରିକା ଆନ୍ତର୍ଜାତୀୟ ବିକାଶ ସଂସ୍ଥା (USAID) ବାଂଲାଦେଶରେ ଏହାର ସମସ୍ତ ସହାୟତା ଏବଂ ପ୍ରକଳ୍ପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ଶକ୍ତ ଝଟକା ବୋଲି ବିବେଚନା କରାଯାଉଛି।

ଆମେରିକାରେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ବଡ଼ ପଦକ୍ଷେପ, ଯାହା ଯୋଗୁଁ ବିକାଶ କାର୍ଯ୍ୟ ପାଇଁ ବାଂଲାଦେଶକୁ ସହାୟତା ବନ୍ଦ ହେବାକୁ ଯାଉଛି। USAID ଏହାର ନିଷ୍ପତ୍ତିରେ ସମସ୍ତ ପ୍ରକାରର କାର୍ଯ୍ୟ ଅର୍ଡର, ଚୁକ୍ତିନାମା ଏବଂ କ୍ରୟ ପ୍ରକ୍ରିୟା ଉପରେ ରୋକ ଲଗାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅର୍ଥନୈତିକ ସଂସ୍କାର ଭଳି କ୍ଷେତ୍ରରେ USAID ବାଂଲାଦେଶକୁ ବ୍ୟାପକ ସହାୟତା ପ୍ରଦାନ କରିଆସୁଛି। ଆଉ ଏବେ ଏହି ନିଷ୍ପତ୍ତି ସେଠାରେ ଚାଲିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବାଧା ଦେଇପାରେ।

ପାଣ୍ଠି ସ୍ଥଗିତ କରିବା ସମ୍ପର୍କରେ USAID ଏହାର ଚିଠିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଉଦ୍ଧୃତ କରି କହିଛି ଯେ, "ଏହି ଚିଠି ସମସ୍ତ USAID/ବାଂଲାଦେଶ କାର୍ଯ୍ୟକାରୀ ଅଂଶୀଦାର ମାନଙ୍କୁ ନିର୍ଦ୍ଦେଶ ଦେଉଛି ଯେ ଆପଣଙ୍କର USAID/ବାଂଲାଦେଶ ଚୁକ୍ତିନାମା, କାର୍ଯ୍ୟ ନିର୍ଦ୍ଦେଶ, ଅନୁଦାନ, ସମବାୟ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ କରନ୍ତୁ। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଶୁକ୍ରବାର ଏକ ବ୍ୟାପକ ଆଦେଶରେ ଇସ୍ରାଏଲ ଏବଂ ମିଶର ବ୍ୟତୀତ ୟୁକ୍ରେନକୁ ସମସ୍ତ ବିଦେଶୀ ସହାୟତାକୁ ବନ୍ଦ କରିଦେଇଛି। ଏହି ଆଦେଶ ସାଧାରଣ ସହାୟତା ଠାରୁ ଆରମ୍ଭ କରି ସାମରିକ ସହାୟତା ପର୍ଯ୍ୟନ୍ତ ସବୁ କିଛିକୁ ପ୍ରଭାବିତ କରିବ। ଇସ୍ରାଏଲ ଏବଂ ମିଶରକୁ କେବଳ ଜରୁରୀକାଳୀନ ଖାଦ୍ୟ ସହାୟତା ଏବଂ ସାମରିକ ସହାୟତା ଏଥିରୁ ବାଦ ଦିଆଯାଇଛି।