ନ୍ୟୁୟର୍କ,୧୧।୧୧: ଡୋନାଲ୍ଡୋ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରିଥିବା ବ୍ୟକ୍ତିର ଜଘନ୍ୟ କାଣ୍ଡ। ନିଜ ପରିବାରର ୪ ସଦସ୍ୟଙ୍କ ହତ୍ୟା ପରେ ନିଜେ କରିଛି ଆତ୍ମହତ୍ୟା।ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ୭ ନଭେମ୍ବରରେ ଏହି ମାମଲା ସାମନାକୁ ଆସିଥିଲା, ଯେତେବେଳେ ଆମେରିକାର ମିନିସୋଟା ସ୍ଥିତ ଏକ ଘରୁ ଶବ ଜବତ କରାଯାଇଥିଲା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତର ଏକ୍ସ ପାର୍ଟନର ଏରିନ୍ ଆବ୍ରାମସନ୍ ଓ ତା’ର ପୁଅ ଜ୍ୟାକବ୍ ନେଫ୍ୟୁର ଶବ ଜବତ କରାଯାଇଥିଲା। ଏହାଛଡା ନିକଟରେ ଥିବା ଆଉ ଏକ ଆପାର୍ଟମେଣ୍ଟରୁ ପତ୍ନୀ କ୍ୟାଥରିନ୍ ନେଫ୍ୟୁ ଓ ଅନ୍ୟ ଏକ ପୁଅ ଓଲିଭର ନେଫ୍ୟୁର ମୃତଦେହ ଜବତ କରାଯାଇଥିଲା।
ଏହାପରେ ପୋଲିସକୁ ଘରୁ ୪୬ ବର୍ଷର ଆନ୍ଥୋନି ନେଫ୍ୟୁଙ୍କ ମୃତଦେହ ଜବତ କରିଥିଲା। ପୋଲିସ ତଦନ୍ତ ବେଳେ ଜଣାପଡିଛି ସେ ନିଜକୁ ଗୂଳି କରି ଆତ୍ମହତ୍ୟା କରିଛି। ପୋଲିସ ମୁଖ୍ୟ ମାଇକ୍ ସେନୋଭା କହିଛନ୍ତି, ପରିବାରକୁ ମାରି ନିଜେ ନିଜର ଜୀବନ ନେଇଥିବା ଆଣ୍ଟୋନି ନେଫ୍ୟୁ ମାନସିକ ଅବସାଦଗ୍ରସ୍ତ ଥିଲା। ସେ ଲଗାତାର ସୋସିଆଲ ମିଡିଆରେ ଅନେକ ଗୁଡିଏ ପୋଷ୍ଟ କରିଥିଲା। ଯେଉଁଥିରେ ସେ ବାମପନ୍ଥୀ ଓ ଡୋନାଲ୍ଡୋ ଟ୍ରମ୍ପ ବିରୋଧି ବିଚାର ଲେଖିଥିଲା।
ଜୁଲାଇରେ ନେଫ୍ୟୁ ଏକ ପୋଷ୍ଟ କରିଥିଲେ, ସେ କହିଥିଲେ ମୋର ମାନସିକ ସ୍ବାସ୍ଥ୍ୟ ଓ ଦୁନିଆରେ ଶାନ୍ତି ଏକା ସାଙ୍ଗରେ ରହିପାରିବନି। ଏହାର କାରଣ ହେଉଛି ଧର୍ମ।’ ନେଫ୍ୟୁ କହିଛନ୍ତି, ମୁଁ ଧାର୍ମିକ କଟ୍ଟରପନ୍ଥୀଙ୍କଠାରୁ ଭୟଭୀତ ରହିଛି, ଯାହାକି ମୋର ପରିବାର ଉପରେ ଚାପ ପକାଉଛି। ନେଫ୍ୟୁ ଲେଖିଛନ୍ତି, ମୁଁ ଚାହିଁବି ଯେ ସତ କହିବା ପାଇଁ ମୋତେ ମଧ୍ୟ କ୍ରୁସ ଉପରେ ଚଢାଇ ଦିଆଯିବ। ପ୍ରକୃତରେ ଲୋକ ବୁଝିପାରିବେ ଯେ ମୁଁ ଓ ମୋ ପିଲାମାନେ ସଇତାନ ଓ ଇଶାଇ ବିରୋଧି।