ନୂଆଦିଲ୍ଲୀ,୦୫/୧୧: ଆମେରିକା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିରହିଛି ସମଗ୍ର ବିଶ୍ୱ । ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିରେ ନିର୍ବାଚନ ଫଳାଫଳ ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ  କରିବା ସ୍ୱାଭାବିକ । ଏଭଳି ସ୍ଥିତିରେ ଆଶଙ୍କାରେ ଅଛନ୍ତି ବଜାର ନିବେଶକ । ବିଶ୍ୱ ବଜାରଗୁଡ଼ିକ  ରିପବ୍ଲିକାନ୍‌ ପାର୍ଟି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପଙ୍କ ବିଜୟ ନେଇ ପ୍ରସ୍ତୁତ ହେଉଛନ୍ତି । କାହାର ବିଜୟ ବଜାର ପାଇଁ କିଭଳି ରହିବ ତାହାକୁ ନେଇ ବିଭିନ୍ନ ପ୍ରକାର  ମତ ଦେଉଛନ୍ତି ବଜାର ବିଶେଷଜ୍ଞ ।  

ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କମଳା ହାରିସ୍‌ଙ୍କ  ବିଜୟ ଅର୍ଥନୀତି, ଇକ୍ୱିଟି ଏବଂ ଅନ୍ୟାନ୍ୟ ଆସେଟ୍‌ କ୍ଲାସ୍‌ଗୁଡ଼ିକ ପାଇଁ ନ୍ୟୁଟ୍ରାଲ ରହିବ । କରଣ  ବର୍ତ୍ତମାନ ଯାହା ଢ଼ାଞ୍ଚା ରହିଛି ତାହାକୁ କମଳା  ଜାରି ରଖିବେ । କିନ୍ତୁ ଟ୍ରମ୍ପଙ୍କ ବିଜୟ ବିକାଶମୁଖୀ  ବଜାର, ଇକ୍ୱିଟି ଏବଂ କରେନ୍ସିଗୁଡ଼ିକ ଉପରେ  ପ୍ରଭାବ ପକାଇବ ।  ଆଇସିଆଇସିଆଇ ବ୍ୟାଙ୍କର ଅର୍ଥନୈତିକ  ଗବେଷଣା ମୁଖ୍ୟ ସମୀର ନାରଙ୍ଗ କୁହନ୍ତି, ଯଦି  ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ  ସୁଧ ହାର ବଢ଼ିବ, ସୁନା ମହଙ୍ଗା ହେବ ଏବଂ  ଡଲାରର ପ୍ରଭାବ ବୃଦ୍ଧି ପାଇବ । ଅନ୍ୟପକ୍ଷରେ,  ଅଶୋଧିତ ତୈଳ ଦର କମିପାରେ । ସେହିଭଳି  କମଳା ହାରିସ୍‌ଙ୍କ ବିଜୟ ଦ୍ୱାରା ସୁଧ ହାର କମିବ  ଏବଂ ଡଲାର ଫ୍ଲାଟ୍‌ ରହିପାରେ ।  

ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ବିଜୟ  ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।  ଏହାର କାରଣ ହେଉଛି ଭାରତର ଘରୋଇ ଚାହିଦା-ପରିଚାଳିତ ଅଭିବୃଦ୍ଧି ମଡେଲ  ।  କମୋଡିଟି ଦର ହ୍ରାସ, ସପ୍ଲାଏ ଚେନ୍‌ ସିଫ୍ଟ  ଏବଂ ବୈଦେଶିକ ନୀତିର ସୁବିଧା ଭାରତକୁ  ମିଳିବ। ଅଶୋଧିତ ତୈଳ ଦର କମିବା ଦ୍ୱାରା  ବିପିସିଏଲ୍‌, ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌  ଭଳି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପାଇଁ ଟ୍ରମ୍ପଙ୍କ ବିଜୟ ସକାରାତ୍ମକ ରହିବ । 

ଅନ୍ୟପକ୍ଷରେ,  ଓଏନ୍‌ଜିସି, ଅଏଲ୍‌ ଇଣ୍ଡିଆ ଏବଂ ଗେଲ୍‌ ପାଇଁ  ଏହା ନକାରାତ୍ମକ ରହିବ । ଟ୍ରମ୍ପଙ୍କ ସୁରକ୍ଷାବାଦୀ  ନୀତି ଏବଂ ବାଣିଜ୍ୟିକ କଟକଣା ଆମେରିକାର  ଅଭିବୃଦ୍ଧିକୁ ମଜଭୂତ କରିପାରେ ।  ଅନ୍ୟପକ୍ଷରେ, କମଳା ହାରିସ୍‌ଙ୍କ ବିଜୟ  ଉଭୟ ବିଶ୍ୱ ଏବଂ ଆମେରିକା ଅର୍ଥନୀତି ଢ଼ାଞ୍ଚାକୁ  ଅପ୍ରଭାବିତ କରିପାରେ । ଇକ୍ୱିଟି ବଜାର, ଶକ୍ତି  ଦର, ସୁନା ଦର, ମୂଳ ଧାତୁ ଦର ଏବଂ ବିଶ୍ୱ  ୟୁଏସ୍‌ଡି ଉପରେ ପ୍ରଭାବ ନ୍ୟୁଟ୍ରାଲ ରହିବ ।