ନୂଆଦିଲ୍ଲୀ: ସୁଦାନରେ ୧୫ ଏପ୍ରିଲ୍ ୨୦୨୩ ରେ ଆରମ୍ଭ ହୋଇଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ସୁଦାନ ସେନା ଏବଂ ଅର୍ଦ୍ଧସାମରିକ ବଳ ରାପିଡ୍ ସପୋର୍ଟ ଫୋର୍ସ (RSF) ମଧ୍ୟରେ ଏହି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ବହୁ ସଂଖ୍ୟକ ଲୋକ କଷ୍ଟକର ପରିସ୍ଥିତିରେ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି। ଲକ୍ଷାଧିକ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି, ଏବଂ କୁପୋଷଣ ବୃଦ୍ଧି ପାଉଛି।
RSF ଯୋଦ୍ଧାମାନେ ନିରୀହ ଲୋକଙ୍କୁ ବାରମ୍ବାର ଆକ୍ରମଣ କରୁଛନ୍ତି। ପରିସ୍ଥିତିରେ ଉନ୍ନତିର କୌଣସି ସଙ୍କେତ ଦେଖାଯାଉନାହିଁ। ଏପରି ପରିସ୍ଥିତିରେ, ଆମେରିକା ରାଷ୍ଟ୍ରପତି ଏବେ ଆଗକୁ ଆସିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁଦାନରେ ଯୁଦ୍ଧବିରତି ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପଙ୍କ ପ୍ରସ୍ତାବ ଅନୁଯାୟୀ, ତିନି ମାସର ଯୁଦ୍ଧବିରତି କାର୍ଯ୍ୟକାରୀ ହେବ । ସୁଦାନରେ ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଣ ତୁରନ୍ତ ଆରମ୍ଭ ହେବ । ୯ ମାସ ମଧ୍ୟରେ ଦେଶରେ ଏକ ବେସାମରିକ ସରକାର ଗଠନ ହେବ ଏବଂ ବିଦେଶୀ ଦେଶରୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହୋଇଯିବ।
ସେପଟେ ସୁଦାନୀ ସେନା ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପଙ୍କ ପ୍ରସ୍ତାବ ପାଇଁ ସେନା କୃତଜ୍ଞତା ପ୍ରକାଶ କରିଛି । କିନ୍ତୁ ଯୁଦ୍ଧ ଜାରି ରଖିବ ବୋଲି କହିଛି । ସୁଦାନ ସେନା ସ୍ପଷ୍ଟ କରିଛି ଯେ, ଆରଏସଏଫ ଆତଙ୍କବାଦୀ ସଂଗଠନ ବୋଲି ମାନିଆସିଛି । ସେନା ଜେନେରାଲ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆରଏସଏଫ ଦଖଲ କରିଥିବା ଅଞ୍ଚଳରୁ ବିତାଡ଼ିତ ନହୁଏ ସେପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ । ସୁଦାନ ସେନା ଜେନେରାଲ କହିଛନ୍ତି ଯେ, ତାଙ୍କ ପ୍ରତି ଦେଶର ଲୋକଙ୍କ ସମର୍ଥନ ରହିଛି।