ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । ୱାଶିଂଟନରେ ଆୟୋଜିତ ‘ବୋର୍ଡ ଅଫ୍ ପିସ୍’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଟ୍ରମ୍ପ ଗାଜାର ପୁନର୍ନିମାଣ ପାଇଁ ୧୦ ବିଲିୟନ ଡଲାରର ସହାୟତା ରାଶି ଘୋଷଣା କରିଛନ୍ତି । କିନ୍ତୁ, ଏହି ଗମ୍ଭୀର ଆଲୋଚନା ମଧ୍ୟରେ ଟ୍ରମ୍ପଙ୍କ ଏକ ମଜାଦାର ବୟାନ ସଭାରେ ଉପସ୍ଥିତ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରିଦେଇଥିଲା ।

"ମୋତେ ପୁରୁଷ ନୁହେଁ, ମହିଳା ପସନ୍ଦ": ଟ୍ରମ୍ପ

କାର୍ଯ୍ୟକ୍ରମରେ ପରାଗୁଏର ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ସ୍ୱାଗତ କରିବା ସମୟରେ ଟ୍ରମ୍ପ ତାଙ୍କର ପ୍ରଶଂସା କରି କହିଥିଲେ, "ଯୁବକ ଏବଂ ହ୍ୟାଣ୍ଡସମ୍ ହେବା ଭଲ କଥା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଆପଣଙ୍କୁ ପସନ୍ଦ କରିବୁ । ସତ କହିବାକୁ ଗଲେ ମୋତେ ଯୁବକ ବା ହ୍ୟାଣ୍ଡସମ୍ ପୁରୁଷ ପସନ୍ଦ ନୁହଁନ୍ତି, ମୁଁ କେବଳ ମହିଳାମାନଙ୍କୁ ପସନ୍ଦ କରେ । ପୁରୁଷଙ୍କ ପ୍ରତି ମୋର କୌଣସି ଆଗ୍ରହ ନାହିଁ ।" ୪୭ ବର୍ଷୀୟ ସାଣ୍ଟିଆଗୋ ପେନା ପରାଗୁଏର ସବୁଠାରୁ କମ୍ ବୟସ୍କ ରାଷ୍ଟ୍ରପତି । ସେ ଜଣେ ଅର୍ଥଶାସ୍ତ୍ରୀ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ମଧ୍ୟ ରହିଛନ୍ତି ।

ଏହା ବି ପଢ଼ନ୍ତୁ... ଥରିବ କି ମଧ୍ୟପ୍ରାଚ୍ୟ ? ଟ୍ରମ୍ପଙ୍କ ଚେତାବନୀ ପରେ ଯୁଦ୍ଧ ମୁହାଁ ଆମେରିକା-ଇରାନ ! ଜେନେଭାରେ ହେବ ବଡ଼ ଫୈସଲା

ଗାଜା ପାଇଁ ଖୋଲିଲା ଆମେରିକାର ପାଣ୍ଠି:

ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଗାଜାରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଆମେରିକା ୧୦ ବିଲିୟନ ଡଲାର ପ୍ରଦାନ କରିବ । ଏଥିସହିତ କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ୧-୧ ବିଲିୟନ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲାଇନ୍ ଲେଭିଟ୍‌ଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ମୋଟ ୬.୫ ବିଲିୟନ ଡଲାରରୁ ଅଧିକ ସହାୟତା ମିଳିସାରିଛି ।

‘ବୋର୍ଡ ଅଫ୍ ପିସ୍’ କ’ଣ ?

ପୂର୍ବରୁ ଥିବା 'ୟୁନାଇଟେଡ୍ ଷ୍ଟେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍'କୁ ଟ୍ରମ୍ପ ପ୍ରଶାସନ ଏକ ନୂଆ ରୂପ ଦେଇ 'ବୋର୍ଡ ଅଫ୍ ପିସ୍' ଭାବେ ଗଠନ କରିଛି । ଏହି ବୋର୍ଡରେ ରାଷ୍ଟ୍ରପତିଙ୍କ ପାଖରେ 'ଭିଟୋ' କ୍ଷମତା ରହିବ ଏବଂ ପଦ ଛାଡ଼ିବା ପରେ ମଧ୍ୟ ଟ୍ରମ୍ପ ଏହାର ମୁଖ୍ୟ ରହିପାରିବେ । ଯେଉଁ ଦେଶଗୁଡ଼ିକ ଏହି ବୋର୍ଡର ସ୍ଥାୟୀ ସଦସ୍ୟ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ୧ ବିଲିୟନ ଡଲାର ଅବଦାନ ଦେବାକୁ ପଡ଼ିବ । ଏହି ସମ୍ପୂର୍ଣ୍ଣ ଯୋଜନା ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରତି ପାଇଁ ହୋଇଥିବା ଚୁକ୍ତି ପରେ ଆରମ୍ଭ କରାଯାଇଛି, ଯେଉଁଥିରେ ଗାଜାର ପୁନର୍ନିମାଣ ସହ ହମାସର ନିରସ୍ତ୍ରୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।