ନୂଆଦିଲ୍ଲୀ,୨୬/୦୯: ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ। ଶେହବାଜ ସରିଫଙ୍କ ସହିତ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ମଧ୍ୟ ଉପସ୍ଥିତ ଥିଲେ। ଗୁରୁବାର ସନ୍ଧ୍ୟାରେ ହ୍ୱାଇଟ୍ ହାଉସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରିଫଙ୍କୁ ଓ୍ବେଷ୍ଟ ଏକଜିକ୍ୟୁଟିଭ୍ ଆଭେନ୍ୟୁ ପ୍ରବେଶ ପଥରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସ୍ୱାଗତ କରିଥିଲେ। ଏହା ୨୦୧୯ ପରେ ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସରକାରୀ ଓଭାଲ୍ ଅଫିସ୍ ଗସ୍ତ ଥିଲା ।
ଏହି ରୁଦ୍ଧଦ୍ୱାର ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଆଞ୍ଚଳିକ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ସରିଫଙ୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ପୂର୍ଣ୍ଣ ଅଟେ। କାରଣ ଶେଷ ଗସ୍ତ ଜୁଲାଇ ୨୦୧୯ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରିଥିଲେ।ସରିଫଙ୍କ ୱାଶିଂଟନ ଗସ୍ତ ତାଙ୍କର ପାଞ୍ଚ ଦିନିଆ ଆମେରିକା ଗସ୍ତର ଏକ ଅଂଶ, ଯାହା ଜାତିସଂଘ ସାଧାରଣ ପରିଷଦ ବୈଠକକୁ ଦୃଷ୍ଟିରେ ରଖି ସ୍ଥିର କରାଯାଇଛି। ସେ ପୂର୍ବରୁ ନ୍ୟୁୟର୍କରେ ଜଳବାୟୁ ସମ୍ମିଳନୀରେ ଉଦବୋଧନ ଦେଇଥିଲେ ଏବଂ ଶୁକ୍ରବାର ଜାତିସଂଘ ସାଧାରଣ ପରିଷଦରେ ଏକ ଆନୁଷ୍ଠାନିକ ଭାଷଣ ଦେବେ।ତେବେ ଗତ ଜୁନ୍ ମାସରେ ଟ୍ରମ୍ପ ସେନା ମୁଖ୍ୟ ମୁନିରଙ୍କୁ ହ୍ୱାଇଟ୍ ହାଉସ୍ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ମୁନିର ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ଷଣସ୍ଥାୟୀ ବିବାଦର ମଧ୍ୟସ୍ଥତାରେ ଟ୍ରମ୍ପଙ୍କ ଭୂମିକା ଉଲ୍ଲେଖ କରି ପାକିସ୍ତାନ ସରକାର ପରେ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ।ଏହି ଆନୁଷ୍ଠାନିକ ବୈଠକ ସ୍ପଷ୍ଟ ଭାବରେ ସୂଚାଇ ଦେଇଥିଲା ଯେ ପାକିସ୍ତାନ ୱାଶିଂଟନ ସହିତ ଉଚ୍ଚସ୍ତରୀୟ ଆଲୋଚନା ବଜାୟ ରଖିବାକୁ ଚାହୁଁଛି, ଯଦିଓ ଏହାର ବର୍ତ୍ତମାନର କୂଟନୈତିକ ଧ୍ୟାନ ଜାତିସଂଘର କାର୍ଯ୍ୟକଳାପ ଉପରେ ରହିଛି।