ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଯଥେଷ୍ଟ କ୍ଷତି ପହଞ୍ଚାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆମେରିକାର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ । ଏହି ଅଧିକାରୀ ଜଣକ ହେଉଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଏବଂ ଜାପାନରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ । ଗୁରୁବାର ସେ କହିଛନ୍ତି ଯେ, ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛନ୍ତି। ଇମାନୁଏଲ୍ ଟ୍ରମ୍ପଙ୍କୁ ଜଣେ ଲୋଭୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଟ୍ରମ୍ପ ଅହଂକାର ଏବଂ ପାକିସ୍ତାନରୁ ପାଇଥିବା କିଛି ଟଙ୍କା ପାଇଁ ଭାରତ ସହିତ ସମ୍ପର୍କକୁ ନଷ୍ଟ କରିଛନ୍ତି।
ଇମାନୁଏଲ୍ ଏକ ସାକ୍ଷାତକାରରେ କହିଛନ୍ତି କି, "ଭାରତ ଚୀନ୍ ବିରୁଦ୍ଧରେ ଆମେରିକା ପାଇଁ ଏକ ପ୍ରମୁଖ ରଣନୈତିକ ସନ୍ତୁଳନ ହୋଇପାରିଥାନ୍ତା। ଏହା ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସାମରିକ ସହଯୋଗରେ ମଧ୍ୟ ଆମେରିକା ପାଇଁ ଲାଭଦାୟକ ହୋଇପାରିଥାନ୍ତା। କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଭାରତ ସହିତ ସମ୍ପର୍କକୁ ନଷ୍ଟ କରିଦେଇଛି। ସେ ୪୦ ବର୍ଷର ଆମେରିକାର ରଣନୈତିକ ପ୍ରସ୍ତୁତିକୁ ନଷ୍ଟ କରିଦେଇଛନ୍ତି।"
ଇମାନୁଏଲ୍ ଭାରତ ସହିତ ସମ୍ପର୍କର ଅବନତି ପାଇଁ ଟ୍ରମ୍ପଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ସେ ଏହାକୁ ଟ୍ରମ୍ପଙ୍କ ସବୁଠାରୁ ବଡ଼ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି, "ଉଭୟ ଦେଶର ଗଣତାନ୍ତ୍ରିକ ସରକାର ଏହି ସହଭାଗୀତାକୁ ବିଶ୍ୱାସର ଭିତ୍ତିଭୂମି ଉପରେ ନିର୍ମାଣ କରିଥିଲେ, ଯାହା ନଷ୍ଟ ହୋଇଯାଇଛି।"
ଗତ କିଛି ମାସ ଧରି ଭାରତ-ଆମେରିକା ସମ୍ପର୍କ ଖରାପ ରହିଛି। ଅପରେସନ ସିନ୍ଦୁର ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନ ସହିତ ନିକଟତର ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ଟ୍ରମ୍ପଙ୍କୁ ଭେଟିଥିଲେ। ଅନ୍ୟପକ୍ଷରେ ଟ୍ରମ୍ପ ଭାରତ ସହିତ ସମ୍ପର୍କ ଖରାପ କରିଛନ୍ତି। ସେ ଭାରତକୁ ଟାର୍ଗେଟ କରିଛନ୍ତି। ୫୦ ପ୍ରତିଶତ ଶୁଳ୍କ ମଧ୍ୟ ଲାଗୁ କରିଛନ୍ତି ।