ୱାଶିଂଟନ,୨୪/୦୫: ଟ୍ରମ୍ପଙ୍କ ଟାରିଫ୍ ଛାଟ । ପୁଣି ଥରେ ବ୍ୟବସାୟର ଜଗତରେ ହଲଚଲ ଦେଖିବାକୁ ମିଳିଛି । ଟେକ୍ କମ୍ପାନୀକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଛାଟ । ଆମେରିକା ବାହାରେ ତିଆରି ହେଉଥିବା ଫୋନ୍ ସମେତ ଆଇଫୋନ୍‌କୁ ନାଲି ଆଖି ଦେଖାଇଛନ୍ତି ଟ୍ରମ୍ପ । ଜୁନ୍ ପହିଲାରୁ ୟୁରୋପୀୟ ସଂଘର ସମସ୍ତ ଜିନିଷ ଉପରେ ୫୦ ପ୍ରତିଶତ ଟାରିଫ୍ ଏବଂ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି ।

ଭାରତରେ ଆଇଫୋନ୍‌ ଉତ୍ପାଦନକୁ ନେଇ ପୁଣି ଥରେ ଆପଲ୍‌ ସିଇଓ ଟିମ୍‌ କୁକ୍‌ଙ୍କୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶୁକ୍ରବାର ଟ୍ରମ୍ପ କହିଲେ ଯେ, ଆମେରିକାରେ ବିକ୍ରି ହେଉଥିବା ଆଇଫୋନ୍‌ ଭାରତ କିମ୍ବା ଅନ୍ୟ କୌଣସି ଦେଶ ନୁହେଁ ବରଂ ଆମେରିକାରେ ନିର୍ମାଣ ହୋଇଥିବା ଦରକାର । ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଆଇଫୋନ୍‌ ଉତ୍ପାଦନ କଲେ କମ୍ପାନି ଉପରେ ଅନ୍ୟୁନ ୨୫% ଟାରିଫ୍‌ ଲଗାଯିବ । ଏ ନେଇ ଟ୍ରମ୍ପ ସିଧାସଳଖ ଆପଲ୍‌ ସିଇଓ ଟିମ୍‌ କୁକ୍‌କୁ ଜଣାଇ ଦେଇଥିବା ସୂଚନା ଦେଇଛନ୍ତି । 

ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଯେ, ମୁଁ ବହୁ ଦିନ ତଳେ ଆପଲ୍‌ ସିଇଓ ଟିମ୍‌ କୁକ୍‌କୁ ସୂଚିତ କରିଦେଇଥିଲି ଯେ, ଯେଉଁ ଆଇଫୋନ୍‌ ଆମେରିକାରେ ବିକ୍ରି ହେବ ତାହା ଆମେରିକାରେ ହିଁ ନିର୍ମାଣ ହେବ । ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ନୁହେଁ । ଯଦି ଏହା ନ ହୁଏ ତେବେ ଆପଲ୍‌କୁ ଆମେରିକାକୁ ଅନ୍ୟୁନ ୨୫% ଟାରିଫ୍‌ ଦେବାକୁ ପଡ଼ିବ । ଟ୍ରମ୍ପ୍‌ଙ୍କ ଏ ବିବୃତି ପରେ ଆଇଫୋନ୍‌ ନିର୍ମାତା ଆପଲ୍‌ର ସେୟାର ମୂଲ୍ୟରେ ୩%ରୁ ଅଧିକ ହ୍ରାସ ଦେଖାଦେଇଛି । ଚୀନ୍‌ ଉପରେ ଟ୍ରମ୍ପଙ୍କ ମୋଟା ଟାରିଫ୍‌ ପରେ ଯୋଗାଣ ଶୃଙ୍ଖଳକୁ ଭାରତକୁ ଆଣିବା ପାଇଁ ଚାହୁଁଛି ଆପଲ । ଏହା ଆମେରିକା ରାଷ୍ଟ୍ରପତିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତରେ ପ୍ଲାଣ୍ଟ ବସାଇବା ପାଇଁ ଆମର କୌଣସି ପ୍ରକାର ଆଗ୍ରହ ନାହିଁ । ଭାରତ ନିଜ ଧ୍ୟାନ ନିଜେ ରଖିପାରିବ । ଆପଲ୍‌କୁ ଆମେରିକାରେ ଉତ୍ପାଦନ ବଢ଼ାଇବାକୁ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପଙ୍କ ତାଗିଦ୍‌ ସତ୍ତେ୍ୱ ଆପଲ୍‌ର ସର୍ବବୃହତ୍‌ କଣ୍ଟ୍ରାକ୍ଟ ମାନୁଫ୍ୟାକ୍‌ଚରର୍‌ ଫକ୍ସକନ୍‌ ଭାରତରେ ୧.୪୯ ବିଲିୟନ ଡଲାର(ପ୍ରାୟ ୧୨,୭୦୦ କୋଟି ଟଙ୍କା) ନିବେଶ କରିଛି । ଫକ୍ସକନ୍‌ ଏହାର ସିଙ୍ଗାପୁର ୟୁନିଟ୍‌ ଜରିଆରେ ଗତ ୫ ଦିନରେ ତାମିଲ୍‌ନାଡୁର ୟୁଜ୍‌ହାନ୍‌ ଟେକ୍ନୋଲୋଜି (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ରେ ଏହି ନିବେଶ କରିଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତି ବଜାର ଉପରେ ପ୍ରଭାବ ପକାଇବ । ଆମେରିକା ଏବଂ ୟୁରୋପୀୟ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାକୁ ନେଉ ଲୁମବର୍ଗର ଆର୍ଥିକ ଗବେଷଣା କହିଛନ୍ତି, ବୈଶ୍ୱିକ ବଜାରର ସ୍ଥିତି ସୁଧୁରିଥିଲା । ଏବେ ପୁଣି ଥିରେ ଅସ୍ଥିରତା ଫେରିଛି ।