ନୂଆଦିଲ୍ଲୀ,୦୪/୦୪: ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ବେପରୁଆ ବାଣିଜ୍ୟ ନୀତି ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ କରିବ ଲାଇନଚ୍ୟୁତ । ଏଥିରୁ ନିଜେ ବି ବର୍ତ୍ତିପାରିବନି ଖୋଦ୍‌ ଆମେରିକା । ଟ୍ରମ୍ପଙ୍କ ପାଗଳାମି ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ମହଙ୍ଗା ପଡ଼ିବାକୁ  ଯାଉଛି । ଲିବରେଶନ ଡେ’ ନାଁରେ ଆମେରିକା ରାଷ୍ଟ୍ରପତି ଦେଇଥିବା ଶୁଳ୍କ ଚୋଟ୍‌ ଏକ ବଡ଼ ଧରଣର  ମାନ୍ଦାବସ୍ଥାକୁ ଡାକି ଆଣିବ ବୋଲି କହିଛନ୍ତି ପ୍ରମୁଖ ଅର୍ଥନୀତିଜ୍ଞ ସ୍ୱାମୀନାଥନ ଆୟର ।

ଟ୍ରମ୍ପଙ୍କ ଯେସାକୁ ତେସା ଆମଦାନୀ ଶୁଳ୍କ ନୀତି ଯୋଗୁ ଘମାଘୋଟ ହେବ ବାଣିଜ୍ୟ ଯୁଦ୍ଧ । ‘ଲିବରେଶନ୍‌  ଡେ’ କହି ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଉପରେ ତଗ୍‌ଡ଼ା ଶୁଳ୍କ  ଘୋଷଣା କରିଛନ୍ତି ଟ୍ରମ୍ପ । ଏହାକୁ ସେ ‘ଲିବରେଶନ୍‌  ଡେ’ ବଦଳରେ ‘ରିସେସନ୍‌ ଡେ’ କହିବା ଯଥାର୍ଥ  ହେବ ବୋଲି ଶ୍ରୀ ଆୟର କହିଛନ୍ତି ।  

ଆୟର କହିଛନ୍ତି ଯେ, ଆମେରିକାର ଏହି  ନୀତି ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରିବା  ସହ ଅର୍ଥନୈତିକ ବିକାଶ ଆଗରେ ବାଧକ ସାଜିବ ।  ଏହାସହିତ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥାକୁ ଠେଲିଦେବ । ଟ୍ରମ୍ପଙ୍କ ଏ ନୀତିକୁ ଶ୍ରୀ ଆୟର ‘ଆର୍ଥିକ  ପାଗଳାମି’ ବୋଲି ସମ୍ବୋଧିତ କରିଛନ୍ତି । ଏହାକୁ  ସେ ୧୯୩୦ ଦଶକର ସୁରକ୍ଷାବାଦୀ ସ୍ମୁଥ୍‌-ହଲି ଶୁଳ୍କ  ସହ ତୁଳନା କରିଛନ୍ତି । ପ୍ରକାଶଯୋଗ୍ୟ, ୧୯୩୦ର  ଏହି ନୀତି ଦ୍ୱାରା ବଡ଼ ଧରଣର ମାନ୍ଦାବସ୍ଥାର ସୂତ୍ରପାତ  ହୋଇଥିଲା, ଯାହା ଆମେରିକା ସହ ସମଗ୍ର ବିଶ୍ୱ  ଅର୍ଥନୀତିକୁ ବର୍‌ବାଦ କରିଦେଇଥିଲା । ଟ୍ରମ୍ପଙ୍କ ଶୁଳ୍କ  ନୀତି ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିବା ସହ ବଡ଼ ଧରଣର  ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସୂତ୍ରପାତ କରିବ ବୋଲି  ଆୟର କରିଛନ୍ତି । 

ଟ୍ରମ୍ପଙ୍କ ନୂଆ ନୀତି ଅଧୀନରେ ଆମେରିକାକୁ  ଭାରତର ରପ୍ତାନି ଉପରେ ୨୭% ଶୁଳ୍କ ଲାଗିବ । ଚୀନ୍‌  ଉପରେ ୩୪% ଶୁଳ୍କ ଲଦିଛି ଆମେରିକା । ଭିଏତ୍‌ନାମ  ଉପରେ ୪୬% ଏବଂ ୟୁରୋପୀୟ ସଂଘ ଉପରେ ୨୦%  ଶୁଳ୍କ ଘୋଷଣା କରିଛନ୍ତି ଟ୍ରମ୍ପ । ପ୍ରଭାବିତ ହେବାକୁ ଥିବା  ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ ଉପରେ  ୨୫%, ଜାପାନ ଉପରେ ୨୪%, ତାଇୱାନ ଉପରେ  ୩୨% ଏବଂ ବ୍ରିଟେନ୍‌ ଉପରେ ୧୦% ଶୁଳ୍କ ଘୋଷଣା  ହୋଇଛି । ସୁଇଜରଲାଣ୍ଡ ଏବଂ ବ୍ରାଜିଲ ଯଥାକ୍ରମେ  ୩୪% ଏବଂ ୧୦% ଶୁଳ୍କ ଗଣିବେ । ଏହାସହିତ  ଆମେରିକା ସମସ୍ତ ଆମଦାନି ଉପରେ ୧୦%ର ମୂଳ  ସୁଧ ପ୍ରଚଳନ କରିବ ।  

ଏସବୁ ପଦକ୍ଷେପ ଦ୍ୱାରା ଆମେରିକା ସର୍ବବୃହତ୍‌  ବିନିର୍ମାଣ ଶକ୍ତି ପାଲଟିବ ବୋଲି ଟ୍ରମ୍ପ ଦାବି  କରୁଥିବାବେଳେ ଏହାକୁ ଖାରଜ କରିଛନ୍ତି ଆୟର ।  ସେ କହିଛନ୍ତି ଯେ, ଏହା ଏକ ବିପର୍ଯ୍ୟୟ । ଆର୍ଥିକ  ସୁଧାର ବଦଳରେ ଏହା ଆଣିବ ଆର୍ଥିକ ବିପତ୍ତି ।  ବିଶ୍ୱ ଅର୍ଥନୀତି ପୂର୍ବରୁ ହିଁ ଆହ୍ୱାନର ସାମ୍ନା  କରୁଛି । ଅର୍ଥନୀତିଜ୍ଞମାନେ ମାନ୍ଦାବସ୍ଥାର ପୂର୍ବାନୁମାନ  କରୁଛନ୍ତି । ବର୍ତ୍ତମାନ ଆମେରିକାର ଏହି ଶୁଳ୍କ ବାଣ  ଯୋଗୁ ବିଶ୍ୱ ଜିଡିପି ଖସିବ, ଆମେରିକା ଏବଂ  ଭାରତର ଜିଡିପି ବି ଖସିବ । 

ଶ୍ରୀ ଆୟର ଆଇଫୋନ୍‌  ନିର୍ମାତା ଆପଲ୍‌ର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତରେ ଏହାର ଏକ ବିଶାଳ ପ୍ଲାଣ୍ଟ  ରହିଛି । କିନ୍ତୁ ଉଚ୍ଚ ଶୁଳ୍କ ଯୋଗୁ ଏହା ରପ୍ତାନି କରିବାକୁ  ସମର୍ଥ ହେବ କି? ଏହା ଅତ୍ୟନ୍ତ କଷ୍ଟକର ହେବ ।  ସବୁ ପ୍ରକାର କ୍ଷେତ୍ର ପ୍ରଭାବିତ ହେବ । ଫଳସ୍ୱରୂପ  ଭାରତ, ଆମେରିକା ଏବଂ ମୋଟାମୋଟି ଭାବେ ବିଶ୍ୱ  ଅର୍ଥନୀତି ବର୍‌ବାଦ ହୋଇଯିବ ।  

୧.୩ ପ୍ରତିଶତକୁ ଖସିଯିବ ବିଶ୍ୱ ରପ୍ତାନି ଅଭିବୃଦ୍ଧି  

ଏଚ୍‌ଏସ୍‌ବିସି ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ,  ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁ ଆମେରିକାରେ ଚାହିଦା  ପ୍ରଭାବିତ ହେବ । ଏହା ଦ୍ୱାରା ବିଶ୍ୱ ରପ୍ତାନି ଅଭିବୃଦ୍ଧି  ୨୦୨୫-୨୬ରେ ୧.୩%କୁ ଖସିଯିବ, ଯାହାକି  ୨୦୨୪ରେ ୨.୯% ଥିଲା । ଅନିଶ୍ଚିତତା ଯୋଗୁ  ବିଶ୍ୱ ବଜାରରେ ନିବେଶ ପ୍ରଭାବିତ ହେବ ଏବଂ  ଅର୍ଥନୀତିଗୁଡ଼ିକ ଉପରେ ନିବେଶକଙ୍କ ଆସ୍ଥା କମିଯିବ ।  

ରପ୍ତାନିଭିତ୍ତିକ କ୍ଷେତ୍ରରେ  ବାଧା ପାଇବ ନିବେଶ

ଶ୍ରୀ ଆୟର କହିଛନ୍ତି, ଶେଷରେ ଏହା କୁହାଯିବ  ଯେ, ଭାରତ ଏହି ସଂକଟ ଦ୍ୱାରା ଭୟଙ୍କର ଭାବେ  ପ୍ରଭାବିତ ହେବ । ଆମେରିକୀୟ ବାଣିଜ୍ୟ ନୀତିକୁ ନେଇ  ଅନିଶ୍ଚିତତା ଯୋଗୁ ଭାରତର ରପ୍ତାନିଭିତ୍ତିକ କ୍ଷେତ୍ରରେ  ନିବେଶ କରିବା ପାଇଁ ବିଦେଶୀ ଉତ୍ପାଦନକାରୀମାନେ ଦୂରେଇ ରହିବେ । ଭାରତର ମହତ୍ୱାକାଂକ୍ଷୀ ପିଏଲ୍‌ଆଇ ସ୍କିମ୍‌କୁ ଆମେରିକାର ଶୁଳ୍କନୀତି ପ୍ରଭାବିତ କରିବ ।  ଆପଲ୍‌ ଭଳି କମ୍ପାନିଗୁଡ଼ିକ ଭାରତରେ ସେମାନଙ୍କ  ନିବେଶ ଯୋଜନା ଉପରେ ପୁନର୍ବିଚାର କରିପାରନ୍ତି ।