ନୂଆଦିଲ୍ଲୀ,୨୧/୧୦: ଟାରିଫ୍ ଧମକ ପରେ ଧମକ ଦେଇ ଚାଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ପରେ ଏବେ ଚୀନକୁ ଟାରିଫ୍ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଭଲ ବାଣିଜ୍ୟିକ ଚୁକ୍ତି ନକଲେ ନଭେମ୍ବରରୁ ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଆଲବନୀଜଙ୍କ ସହିତ ମିନେରାଲ ବୁଝାମଣା ପରେ ଏହା କହିଛନ୍ତି ଟ୍ରମ୍ପ । ବର୍ତ୍ତମାନ ଚୀନ ଉପରେ ଆମେରିକା ୫୫ ପ୍ରତିଶତ ଟାରିଫ୍ ଲଗାଇଛି । ସପ୍ତାହେ ଶେଷ ଆଡ଼କୁ ଆମେରିକା ଓ ଚୀନ ମଧ୍ୟରେ ମାଲେସିଆରେ ବାଣିଜ୍ୟିକ ଚୁକ୍ତି ବାବଦରେ ଆଲୋଚନା ହେବ ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ଚୀନ ଟାରିଫ୍ ଆକାରରେ ଆମେରିକାକୁ ଭଲ ପରିଣାମର ଟଙ୍କା ଦେଇ ଆସୁଛି । ସେମାନେ ଏବେ ୫୫ ପ୍ରତିଶତ ଶୁଳ୍କ ଦେଉଛନ୍ତି । ସେମାନଙ୍କୁ ନଭେମ୍ବରରୁ ୧୫୫ ପ୍ରତିଶତ ଟାରିଫ୍ ଦେବାକୁ ପଡିବ । ଅନେକ ଦେଶ ସହିତ ବାଣିଜ୍ୟ ଚୁକ୍ତି କରାଯାଉଛି । ଉକ୍ତ ଦେଶ ଗୁଡିକ ଏହାର ଫାଇଦା ନେଇପାରିବେ । ଆଶା କରାଯାଉଛି କି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଭଲ ଟ୍ରେଡ୍ ଡିଲ ହେବ । ଏହାକୁ ନେଇ ମୁଁ ଉତ୍ସାହିତ । ଯଦି ଭଲ ଚୁକ୍ତି ନହୁଏ ତେବେ ଚୀନକୁ ୧୫୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ । ଆମେ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ କିନ୍ତୁ ସେମାନଙ୍କୁ ଆମ ପାଇଁ କିଛି କରିବାକୁ ପଡିବ । ଏହା ଏକପାଖିଆ ରାସ୍ତା ନୁହେଁ । ''
ଅଷ୍ଟ୍ରେଲିଆ-ଆମେରିକା ମଧ୍ୟରେ ଡିଲ୍- ଚୀନ ପାଇଁ ଅଡୁଆ ସୃଷ୍ଟି କରିପାରେ ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟରେ ହୋଇଥିଲା ରେୟାର ଆର୍ଥ ଡିଲ । ଏହି ଖଣିଜ ପଦାର୍ଥ ଚୁକ୍ତି ଡ୍ରାଗନ ପାଇଁ କଣ୍ଟା ସାଜିପାରେ । ଡିଲ୍ ଦ୍ୱାରା ବିରଳ ଖଣିଜ ପଦାର୍ଥ ପ୍ରକ୍ରିୟାକରଣରେ ଚୀନର ଆଧିପତ୍ୟ ଉପରେ ପ୍ରଭାବ ପକାଇପାରେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବନୀଜଙ୍କ ସହ ରେୟାର ଆର୍ଥ ମିନେରାଲ ଡିଲ୍ରେ ସାଇନ ହୋଇଛି । ଅମେରିକା ଅଷ୍ଟ୍ରେଲିଆକୁ ନ୍ୟୁକ୍ଲିୟର ବୁଡ଼ାଜାହଜ ଯୋଗାଇବ । ହ୍ୱାଇଟ୍ ହାଉସରେ ଦୁଇନେତାଙ୍କ ମଧ୍ୟରେ ବୈଠକ ପରେ ୮.୫ ବିଲିୟନ ଡଲାରର ଚୁକ୍ତି ହୋଇଛି । ଚୀନ ଉପରେ ଲଗମ ଲଗାଇବାକୁ ଏହି ପ୍ରସ୍ତୁତି ହେଉଥିବା କୁହାଯାଉଛି ।