ନୂଆଦିଲ୍ଲୀ, ୨୯।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଚାଲିଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ବିଶେଷକରି ହୋର୍ମୁଜ ପ୍ରଣାଳୀକୁ ନେଇ ସ୍ଥିତି ଏବେ ବିସ୍ଫୋରକ ମୋଡ଼ରେ ପହଞ୍ଚିଛି । ଏସବୁ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆର୍ଥିକ ସ୍ତରରେ ପଙ୍ଗୁ କରିବା ପାଇଁ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି। ଇରାନର ମେରୁଦଣ୍ଡ କୁହାଯାଉଥିବା 'ତେଲ ରପ୍ତାନି' ଉପରେ ଟ୍ରମ୍ପ ଏକକାଳୀନ ୩ଟି ବଡ଼ ଆକ୍ରମଣ କରିଛନ୍ତି, ଯାହାକୁ 'ଟ୍ରିପଲ ଆଟାକ୍' କୁହାଯାଉଛି । ଏହି କଟକଣା ଯୋଗୁଁ ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି ।
୧. ପ୍ରଥମ ଆକ୍ରମଣ: ଅଏଲ୍ ଷ୍ଟୋରେଜ୍ କ୍ରାଇସିସ୍
ଇରାନ ଏବେ ଏକ ଅଭାବନୀୟ ସ୍ଥିତି ଦେଇ ଗତି କରୁଛି । ଆମେରିକା ନୌସେନା ହୋର୍ମୁଜ ପ୍ରଣାଳୀରେ ନାକାବନ୍ଦୀ ଜାରି ରଖିଥିବାରୁ ଇରାନ ନିଜର କ୍ରୁଡ୍ ଅଏଲ୍ ବା କଞ୍ଚା ତେଲ ବାହାର ଦେଶକୁ ପଠାଇପାରୁ ନାହିଁ । ତେଲ ଉତ୍ପାଦନ ଜାରି ରହିଛି କିନ୍ତୁ ରପ୍ତାନି ବନ୍ଦ ଅଛି । ଫଳରେ ଇରାନର ସମସ୍ତ ତେଲ ଟାଙ୍କି ଏବଂ ସମୁଦ୍ରରେ ଭାସୁଥିବା ଟ୍ୟାଙ୍କରଗୁଡ଼ିକ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଗଲାଣି । ବିଶ୍ଳେଷକଙ୍କ ଅନୁସାରେ, ଇରାନ ପାଖରେ ତେଲ ରଖିବାକୁ ଆଉ ଜାଗା ନାହିଁ । ଯଦି ଏହିପରି ସ୍ଥିତି ଲାଗିରହେ, ତେବେ ଇରାନକୁ ତାର ତେଲ କୂଅଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ, ଯାହା ଦୀର୍ଘକାଳୀନ ଭାବେ ଦେଶର ଉତ୍ପାଦନ କ୍ଷମତାକୁ ନଷ୍ଟ କରିଦେବ ।
୨. ଦ୍ୱିତୀୟ ଆକ୍ରମଣ: ଇରାନୀ ତେଲ ଟ୍ୟାଙ୍କର ଜବତ
ଆମେରିକା କେବଳ ବାଟ ଓଗାଳି ନାହିଁ, ବରଂ ନିୟମ ଉଲ୍ଲଂଘନ କରୁଥିବା ଇରାନୀ ଜାହାଜଗୁଡ଼ିକୁ ଜବତ କରିବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ଆମେରିକୀୟ ସେନା ହୋର୍ମୁଜ ପ୍ରଣାଳୀ ଦେଇ ଚୋରା ଚାଲାଣ କରୁଥିବା ଅନେକ ଇରାନୀ ଜାହାଜକୁ କବଜା କରିଛନ୍ତି । ଏଥିରେ ଲକ୍ଷ ଲକ୍ଷ ବ୍ୟାରେଲ କଞ୍ଚା ତେଲ ରହିଛି । ଇରାନ ଏହାକୁ 'ସାମୁଦ୍ରିକ ଡକାୟତି' ବୋଲି କହିଛି । କିନ୍ତୁ ଆମେରିକା ସ୍ପଷ୍ଟ କରିଛି ଯେ ବେଆଇନ ତେଲ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ଏହି ଅଭିଯାନ ଜାରି ରହିବ ।
୩. ତୃତୀୟ ଆକ୍ରମଣ: ଶେଷ ହେଉଛି ତେଲ ରିଜର୍ଭ
ବ୍ଲୁମବର୍ଗ ଏବଂ ଗବେଷଣା ସଂସ୍ଥା 'କେପଲର'ର ରିପୋର୍ଟ ଅନୁସାରେ, ଇରାନ ପାଖରେ ଏବେ ମାତ୍ର ୧୨ରୁ ୨୨ ଦିନର ତେଲ ସଂରକ୍ଷଣ ବଳକା ଅଛି । ଏପ୍ରିଲ ପହିଲାରୁ ୧୩ ତାରିଖ ମଧ୍ୟରେ ଇରାନ ଦୈନିକ ୨.୧ ମିଲିୟନ ବ୍ୟାରେଲ ତେଲ ରପ୍ତାନି କରୁଥିଲା, କିନ୍ତୁ ଆମେରିକାର ନାକାବନ୍ଦୀ ପରେ ଏହା ମାତ୍ର ୫ ଲକ୍ଷ ୬୭ ହଜାର ବ୍ୟାରେଲକୁ ଖସି ଆସିଛି । ମେ ମଧ୍ୟଭାଗ ସୁଦ୍ଧା ଇରାନକୁ ନିଜର ଦୈନିକ ଉତ୍ପାଦନରେ ପ୍ରାୟ ୧.୫ ମିଲିୟନ ବ୍ୟାରେଲ କାଟ୍ କରିବାକୁ ପଡ଼ିପାରେ, ଯାହା ଇରାନର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ ।
ଆମେରିକା ଅର୍ଥମନ୍ତ୍ରୀଙ୍କ ଚେତାବନୀ:
ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସେଣ୍ଟ ଏକ୍ସରେ ଏକ ଟ୍ୱିଟ୍ କରି କହିଛନ୍ତି ଯେ, "ଇରାନର ତେଲ ଶିଳ୍ପ ଏବେ ବନ୍ଦ ହେବା କୂଳରେ ପହଞ୍ଚିଛି । ଆମେରିକାର ନାକାବନ୍ଦୀ ଯୋଗୁଁ ଆଇଆରଜିସି (IRGC) ନେତାମାନେ ଏବେ ସ୍ୱେରେଜ୍ ପାଇପରେ ବୁଡ଼ି ରହିଥିବା ମୂଷା ଭଳି ଫସି ଯାଇଛନ୍ତି ।" ଇରାନ ଏବେ ଏକ ବଡ଼ ଦ୍ୱନ୍ଦ୍ୱରେ । ଯଦି ସେ ଉତ୍ପାଦନ ବନ୍ଦ କରେ ତେବେ ଅର୍ଥନୀତି ଭୁଶୁଡ଼ିପଡ଼ିବ, ଆଉ ଯଦି ଉତ୍ପାଦନ ଜାରି ରଖେ ତେବେ ତେଲ ରଖିବାକୁ ଜାଗା ନାହିଁ । ଟ୍ରମ୍ପଙ୍କ ଏହି 'ଇକୋନୋମିକ ଓ୍ୱାରଫେୟାର' ବା ଅର୍ଥନୈତିକ ଯୁଦ୍ଧ ଇରାନ ପାଇଁ କୌଣସି ପରମାଣୁ ବୋମାଠାରୁ କମ୍ ନୁହେଁ ।
ଆହୁରି ପଢ଼ନ୍ତୁ... Robot News: ଏୟାରଲାଇନ୍ସ ସେକ୍ଟରରେ ରୋବଟର ଏଣ୍ଟ୍ରି, ବିମାନ ବନ୍ଦରରେ ଜିନିଷ ଉଠାଇବ କୁଲି ରୋବଟ୍