ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟକୁ ଫୁ କରିଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାମ୍ପ୍ରତିକ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ଅଣଦେଖା କରି ଏକ ବଡ଼ ଗ୍ଲୋବାଲ ଟାରିଫ୍ ବୃଦ୍ଧି ଘୋଷଣା କରିଛନ୍ତି। ଶୁକ୍ରବାର ଦିନ, ସୁପ୍ରିମକୋର୍ଟ ଟ୍ରମ୍ପ ପ୍ରଶାସନର ବ୍ୟାପକ ଟାରିଫକୁ ଖାରଜ କରି ଏହାକୁ ଅସାମ୍ବିଧାନିକ ଏବଂ ବେଆଇନ ଘୋଷଣା କରିଥିଲେ, କିନ୍ତୁ ମାତ୍ର ଗୋଟିଏ ଦିନ ପରେ, ରାଷ୍ଟ୍ରପତି ତାଙ୍କର ନୀତିକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ତୁରନ୍ତ ପ୍ରଭାବଶାଳୀ ହୋଇ, ବିଶ୍ୱର ସମସ୍ତ ଦେଶରୁ ଆମଦାନୀ ଉପରେ ଟାରିଫ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯିବ।

ଟ୍ରମ୍ପ କ’ଣ କହିଛନ୍ତି ?

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, "ତୁରନ୍ତ ପ୍ରଭାବଶାଳୀ ଭାବରେ ବିଶ୍ୱର ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ଟାରିଫକୁ ୧୫ ପ୍ରତିଶତକୁ ବୃଦ୍ଧି କରାଯିବ। ଟ୍ରମ୍ପ କହିଛନ୍ତି ଯେ, ଅନେକ ଦେଶ ଦଶନ୍ଧି ଧରି ଆମେରିକାର ସୁବିଧା ନେଉଛନ୍ତି, କିନ୍ତୁ ଏବେ ତାଙ୍କ ସରକାର ସେମାନଙ୍କୁ ବନ୍ଦ କରୁଛନ୍ତି। ସେ କହିଛନ୍ତି ଯେ ଆଗାମୀ ମାସ ଗୁଡ଼ିକରେ, ସେ ଅଧିକ ନୂତନ ଟିକସ ଚୂଡ଼ାନ୍ତ କରିବେ, ଯାହା ଆଇନଗତ ହେବ। ତାଙ୍କର ଲକ୍ଷ୍ୟ ହେଉଛି ଆମେରିକାକୁ ଶକ୍ତିଶାଳୀ ଏବଂ ମହାନ କରିବା, ଯାହାକି ପୂର୍ବ ଅପେକ୍ଷା ଅଧିକ ।

ଟ୍ରମ୍ପ କେଉଁ ଆଧାରରେ ତାଙ୍କର ନିଷ୍ପତ୍ତି ନେଇଛନ୍ତି ? 

ଟ୍ରମ୍ପ ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୧୨୨ ଅନୁଯାୟୀ ଏହି ନିଷ୍ପତ୍ତି ନେଇଛନ୍ତି, ଯାହା ଆର୍ଥିକ ସନ୍ତୁଳନ ନିଅଣ୍ଟ ହେଲେ ରାଷ୍ଟ୍ରପତିଙ୍କୁ ୧୫୦ ଦିନ ପର୍ଯ୍ୟନ୍ତ ୧୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଅନୁମତି ଦିଏ। ପୂର୍ବରୁ, ଟ୍ରମ୍ପ ଶୁକ୍ରବାର ଦିନ ୧୦ ପ୍ରତିଶତର ଏକ ଅସ୍ଥାୟୀ ଗ୍ଲୋବାଲ ଟାରିଫ ଲାଗୁ କରିଥିଲେ। ଏବେ, ୧୫ ପ୍ରତିଶତକୁ ବୃଦ୍ଧି ସହିତ, ଏହି ଶୁଳ୍କ ସର୍ବାଧିକ ସୀମାରେ ପହଞ୍ଚିଛି।