ନୂଆଦିଲ୍ଲୀ, ୨୩।୬: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଏକ ବଡ଼ ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଆମେରିକା ସହ ହୋଇଥିବା ଚୁକ୍ତିକୁ ପାଳନ ନକରେ, ତେବେ ୱାଶିଂଟନ ପକ୍ଷରୁ କଡ଼ା ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ସାମ୍ପ୍ରତିକ ସଂଘର୍ଷ ଯୋଗୁଁ ତେହେରାନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି ଏବଂ ଏହାର ନୌସେନା ଓ ବାୟୁସେନା ପ୍ରାୟ ଶେଷ ହୋଇଯାଇଛି । ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିର ଭବିଷ୍ୟତକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, "ଯଦି ଇରାନ ଚୁକ୍ତିର ସର୍ତ୍ତ ମାନିବ ନାହିଁ କିମ୍ବା ସଠିକ୍ ବ୍ୟବହାର ପ୍ରଦର୍ଶନ କରିବ ନାହିଁ, ତେବେ ମୋତେ ଯାହା କରିବାକୁ ପଡ଼ିବ ମୁଁ ତାହା ନିଶ୍ଚୟ କରିବି ।"
'ଇରାନର ନୌସେନା ଓ ବାୟୁସେନା ସମ୍ପୂର୍ଣ୍ଣ ଧ୍ୱଂସ':
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ମଧ୍ୟରେ ଏକ ଅନ୍ତରୀଣ ଚୁକ୍ତି ସ୍ୱାକ୍ଷରିତ ହେବାର ମାତ୍ର କିଛି ଦିନ ପରେ ଟ୍ରମ୍ପଙ୍କର ଏହି ଚେତାବନୀ ସାମ୍ନାକୁ ଆସିଛି । ଚୁକ୍ତି ଯୋଗୁଁ ଇରାନ ଏବେ ଆମେରିକା ଉପରେ ଚାପ ପକାଇବାକୁ ସକ୍ଷମ କି ଏନେଇ ପ୍ରଶ୍ନ ପଚରାଯିବାରୁ ଟ୍ରମ୍ପ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଇରାନର ନୌସେନା ଶେଷ ହୋଇଯାଇଛି । ବାୟୁସେନା ମଧ୍ୟ ଶେଷ । ସେମାନଙ୍କର ସମସ୍ତ ଶୀର୍ଷ ନେତା ପ୍ରାଣ ହରାଇଛନ୍ତି । ସାରା ଦେଶ ଏବେ ବେହାଲ ସ୍ଥିତିରେ ଅଛି ଏବଂ ସେମାନଙ୍କ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବର୍ବାଦ ହୋଇଯାଇଛି ।"
ଏହା ବି ପଢ଼ନ୍ତୁ... Food safety : ସ୍ୱର୍ଣ୍ଣ ପଦକ ବିଜେତା ରେସ୍ତୋରାଁର ସଫଳତା ପଛରେ ସାଙ୍ଘାତିକ୍ ରାଜ୍, ୬୬ ବର୍ଷରୁ ବଦଳିନି ଛଣା ତେଲ
୪ ମାସରେ ଇରାନର ବଡ଼ କ୍ଷତି: ଟ୍ରମ୍ପଙ୍କ ଦାବି
ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଗତ ୪ ମାସ ମଧ୍ୟରେ ଇରାନ ବ୍ୟାପକ କ୍ଷତି ସହିଛି । ୪ ମାସ ପୂର୍ବରୁ ଇରାନ ପାଖରେ ୧୫୯ଟି ଯୁଦ୍ଧ ଜାହାଜ ଥିଲା, ଯାହା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଇରାନର ୨୫୦ଟି ଯୁଦ୍ଧ ବିମାନ ସହ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଏବଂ ସମସ୍ତ ରାଡାର ବ୍ୟବସ୍ଥା ଧ୍ୱଂସ ହୋଇଯାଇଛି । ଇରାନର ଅଧିକାଂଶ ମିସାଇଲ୍ ଭଣ୍ଡାର, ଲଞ୍ଚ୍ ଫେସିଲିଟି ଏବଂ ଡ୍ରୋନ୍ ନିର୍ମାଣ କ୍ଷମତା ପ୍ରାୟ ୮୭ ପ୍ରତିଶତ ନଷ୍ଟ ହୋଇସାରିଛି । ଇରାନର ନେତୃତ୍ୱକୁ ନେଇ ଟ୍ରମ୍ପ କହିଛନ୍ତି ଯେ ସେମାନଙ୍କୁ ଗଭୀର ଆଘାତ ଲାଗିଛି । "ଇରାନର ପ୍ରଥମ ଏବଂ ଦ୍ୱିତୀୟ ସ୍ତରର ସମସ୍ତ ବଡ଼ ନେତା ଶେଷ ହୋଇଯାଇଛନ୍ତି । ଏବେ ସେମାନଙ୍କର ତୃତୀୟ ସ୍ତରର ନେତାମାନେ କ’ଣ ଆଲୋଚନା କରୁଛନ୍ତି, ତାହା ଆପଣଙ୍କୁ ଶୁଣିବାକୁ ପଡ଼ିବ" ବୋଲି ଟ୍ରମ୍ପ କହିଛନ୍ତି । ଏହା ସହିତ ଟ୍ରମ୍ପ କିଛି ଗଣମାଧ୍ୟମ ସଂସ୍ଥାକୁ ସମାଲୋଚନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଗଣମାଧ୍ୟମ ଗୁଡ଼ିକ ଇରାନ ସଂଘର୍ଷର ପ୍ରକୃତ ପ୍ରଭାବକୁ ଠିକ୍ରେ ପରିବେଶଣ କରୁନାହାନ୍ତି ଏବଂ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ଟ୍ରମ୍ପଙ୍କ ଅନୁଯାୟୀ, ଇରାନର ସାମରିକ ଭିତ୍ତିଭୂମି ଯେଉଁଭଳି ଭାବେ ଧ୍ୱଂସ ପାଇଛି, ତାହାକୁ ଅନେକ ରିପୋର୍ଟରେ ଅଣଦେଖା କରାଯାଉଛି ।