ୱାଶିଂଟନ,୧୦/୧୧: ଆମେରିକାର  ଭାବୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିର୍ବାଚନ ପ୍ରଚାରରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ରୋକିବାକୁ  ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ । ସେ ନିର୍ବାଚିତ ହେବା ପରେ ବିଶେଷକରି ୟୁକ୍ରେନ୍‌ ଆଶ୍ୱସ୍ତ ହୋଇଛି । ଟ୍ରମ୍ପ୍‌ଙ୍କ ଜରିଆରେ ଶାନ୍ତି ଫେରିବ ବୋଲି ଦେଶବାସୀ ଆଶା ବାନ୍ଧିଛନ୍ତି । କୁହାଯାଉଛି ଯେ ଟ୍ରମ୍ପ୍‌ଙ୍କ ଟିମ୍‌ ଏବେଠାରୁ ଯୁଦ୍ଧ ରୋକି ଶାନ୍ତି ଫେରାଇ ଆଣିବା ଲାଗି ବିଭିନ୍ନ  ରଣନୀତି ବନାଇବାରେ ଲାଗିପଡ଼ିଲେଣି । 

ରିପୋର୍ଟ ମୁତାବକ, ୭୮ ବର୍ଷୀୟ ଟ୍ରମ୍ପ୍‌  ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ବିଭିନ୍ନ ଯୋଜନା  ଉପରେ ବିଚାର କରୁଛନ୍ତି । ତନ୍ମଧ୍ୟରେ ୮୦୦  ମାଇଲ୍‌ (ପାଖାପାଖି ୧୩ ଶହ କିଲୋମିଟର) ର ବଫର୍‌ ଜୋନ୍‌ ପ୍ରତିଷ୍ଠା ପ୍ରସ୍ତାବ ରହିଛି । ରୁଷ୍‌  ଓ ୟୁକ୍ରେନ୍‌ ସେନା ମଝିରେ ଏହି ବଫର୍‌ ଜୋନ୍‌ ପ୍ରସ୍ତୁତ ହେବ । ଏଥିରେ କେବଳ ୟୁରୋପୀୟ  ଓ ବ୍ରିଟିଶ ସୈନ୍ୟଙ୍କୁ ମୁତୟନ କରାଯିବ ।  ଆମେରିକା ନିଜ ସୈନ୍ୟ ନିୟୋଜିତ କରିବ  ନାହିଁ କିମ୍ବା ୟୁରୋପୀୟ ଓ ବ୍ରିଟିଶ ସୈନ୍ୟଙ୍କୁ  ଆର୍ଥିକ ପାରିଶ୍ରମିକ ଦେବନାହିଁ । ଏହି ବଫର୍‌  ଜୋନ୍‌ ହେବା ଦ୍ୱାରା ୟୁକ୍ରେନ୍‌ରେ ରୁଷ୍‌ କରିଥିବା ଏହାର ଆଞ୍ଚଳିକ ବିସ୍ତାରଣକୁ ବଜାୟ ରଖିବ ।  

ଅନ୍ୟପକ୍ଷରେ ନାଟୋ (ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି  ଅର୍ଗାନାଇଜେସନ)ରେ ସାମିଲ ହେବା ପାଇଁ  ୟୁକ୍ରେନ୍‌ ଯେଉଁ ଯୋଜନା ରଖିଛି, ତାହାକୁ ୨୦ ବର୍ଷ ପାଇଁ ମନରୁ ପାସୋରି ଦେବ । ଅର୍ଥାତ୍‌  ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ୟୁକ୍ରେନ୍‌ ନାଟୋରେ  ସାମିଲ ହୋଇପାରିବ ନାହିଁ । ବାସ୍ତବରେ ୟୁକ୍ରେନ୍‌ର ଏହି ଯୋଜନାକୁ ଆଧାର କରି ହିଁ  ଯୁଦ୍ଧର ସୂତ୍ରପାତ ହୋଇଥିଲା । ରୁଷ୍‌ ଚାହୁଁ ନ  ଥିଲା ଯେ ଏହାର ପଡ଼ୋଶୀ ଦେଶ ନାଟୋରେ ସାମିଲ ହେଉ । କାରଣ ୟୁକ୍ରେନ୍‌ ନାଟୋରେ  ସାମିଲ ହେବା ଦ୍ୱାରା ଏହାର ସୀମାଞ୍ଚଳରେ  ନାଟୋ ସୈନ୍ୟ ମୁତୟନ ହୋଇଥାନ୍ତେ । ଫଳରେ ସୀମାରେ ବିବାଦ ସୃଷ୍ଟି ହୋଇଥାନ୍ତା । 

ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କର ଏହି  ଯୋଜନାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର  ଜେଲେନସ୍କି କେତେଦୂର ଗ୍ରହଣ କରିବେ,  ତାହା ଦେଖିବାକୁ ହେବ । କାରଣ ଏହା  ରୁଷ୍‌କୁ ଅଧିକ ସୁହାଇବ । ଜେଲେନସ୍କି  ଏହା ପୂର୍ବରୁ ସତର୍କ କରାଇଥିଲେ ଯେ  ରୁଷ୍‌କୁ କୌଣସି ପ୍ରକାରେ ଖୁସି କରାଇବା  ଲାଗି ଯଦି ଶାନ୍ତି ଚୁକ୍ତି ହୁଏ, ତେବେ ଏହା  ସମଗ୍ର ୟୁରୋପ ପାଇଁ ‘ଆତ୍ମହତ୍ୟା’ ଭଳି  ହେବ । ଟ୍ରମ୍ପ୍‌ଙ୍କ ବିଚାରରେ ଆହୁରି ଅନେକ  ଯୋଜନା ରହିଛି । କାହାକୁ ସେ କାର୍ଯ୍ୟକାରୀ  କରିବେ, ତାହା ଉପରେ ସମସ୍ତଙ୍କ ନଜର।

ଜେଲେନ୍‌ସ୍କିଙ୍କ ସହ କଥା ହେଲେ ଟ୍ରମ୍ପ୍‌

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି  ଭୋଲୋଡିମିର ଜେଲେନସ୍କିଙ୍କୁ ଫୋନ୍‌ କରି କଥା ହୋଇଥିଲେ । ଉଭୟ ନେତା ୨୫  ମିନିଟ୍‌ ଧରି ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରେ ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲନ୍‌ ମସ୍କ ବି ସାମିଲ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ  ମୁତାବକ, ଟ୍ରମ୍ପ୍‌ ଯୁଦ୍ଧରେ ସହାୟତା ଦେବା ପାଇଁ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ଟ୍ରମ୍ପ୍‌ କହିଥିଲେ, କୂଟନୀତିକୁ ଆଉ ଏକ ସୁଯୋଗ ଦିଆଯିବା ଉଚିତ । ମୁଁ କଥା ଦେଉଛି  ମୋ ଦ୍ୱାରା ୟୁକ୍ରେନ୍‌ ନିରାଶ ହେବନାହିଁ । ଟ୍ରମ୍ପ୍‌ ଏହା କହିବା ପରେ ଏଲନ୍‌ ମସ୍କଙ୍କୁ ଫୋନ୍‌  ଧରାଇ ଦେଇଥିଲେ । ଏହାପରେ ଜେଲେନସ୍କି-ମସ୍କଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ୟୁକ୍ରେନ୍‌କୁ ଇଣ୍ଟରନେଟ୍‌ ସେବା ଯୋଗାଇଥିବାରୁ ଜେଲେନସ୍କି ତାଙ୍କୁ ଧନ୍ୟବାଦ ଦେଇଥିଲେ