ନୂଆଦିଲ୍ଲୀ,୩୦/୦୧: ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ସମେତ ଅନ୍ୟାନ୍ୟ  ରାଷ୍ଟ୍ରଗୁଡ଼ିକ ଉପରେ ‘ଯେସାକୁ ତେସା ଶୁଳ୍କ ନୀତି’ ଲାଗୁ  କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ଭାରତରେ ସମ୍ଭାବ୍ୟ  ଅସ୍ଥିରତାର ମାହୋଲ ଦେଖିବାକୁ ମିଳିପାରେ । 

ସଦ୍ୟ ପ୍ରକାଶିତ ଏମ୍‌କେ ରିପୋର୍ଟ ଅନୁସାରେ, ଯଦି  ଆମେରିକା ଭାରତ ଉପରେ ୧୦% ଶୁଳ୍କ ଲଦେ ତେବେ ଭାରତ  ରପ୍ତାନି ବାବଦ ପ୍ରାୟ ୬୦୦ କୋଟି ଡଲାର(ଦେଶର ଜିଡିପିର  ୦.୧୬%) ହରାଇପାରେ । ସେହିଭଳି ଯଦି ଟ୍ରମ୍ପ ଭାରତ  ଉପରେ ୨୫% ଶୁଳ୍କ ଲଗାନ୍ତି, ତେବେ ରପ୍ତାନି ବାବଦ ଭାରତ  ହରାଇବ ୩୧୦୦ କୋଟି ଡଲାର । ଭାରତର ଏକ ପ୍ରମୁଖ  ବାଣିଜ୍ୟିକ ସହଯୋଗୀ ହେଉଛି ଆମେରିକା । ଆମେରିକାର  ଆକ୍ରାମକ ବାଣିଜ୍ୟ ନୀତି ଭାରତର ବାଣିଜ୍ୟିକ ଦୃଶ୍ୟପଟକୁ  ଅସ୍ଥିର କରିପାରେ । 

ରିପୋର୍ଟରେ କୁହାଯାଇଛି ଯେ, ଯେସାକୁ  ତେସା ଶୁଳ୍କ ନୀତିର କାର୍ଯ୍ୟକାରୀକୁ ନେଇ ସ୍ଥିତି ଅସ୍ପଷ୍ଟ ରହିଛି ।  ତେବେ ଯଦି ଏହାକୁ ଆମେରିକା ଲାଗୁ କରେ ତେବେ ଭାରତ  ବଡ଼ ଆକାରରେ ପ୍ରଭାବିତ ହେବ । ଏହା ଦ୍ୱାରା ରତ୍ନପଥର  ଏବଂ ଗହଣା, ଅଟୋ ଉପକରଣ, ଫାର୍ମା ଏବଂ ଇଲେକ୍ଟ୍ରୋନିକ୍ସ  କ୍ଷେତ୍ର ବେଶି ପ୍ରଭାବିତ ହେବ । ତେବେ ଏହି କ୍ଷେତ୍ରଗୁଡ଼ିକ  ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ଦେଶର ଅଟୋ ଶିଳ୍ପ ଉପରେ  ଶୁଳ୍କ ବୃଦ୍ଧିର ବ୍ୟାପକ ପ୍ରଭାବ ପଡ଼ିବ । 

ସମ୍ପୂର୍ଣ୍ଣ ଆସେମ୍ବଲ୍‌ଡ  ଗାଡ଼ି ଅର୍ଥାତ ଆମଦାନି କରାଯାଉଥିବା ବିଦେଶୀ କାରଗୁଡ଼ିକ  ଉପରେ ୨୫% ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି,  ଯାହାକି ଏପ୍ରିଲ ୩ରୁ ଲାଗୁ ହେବ । ମେ’ ୩ ସୁଦ୍ଧା ଅଟୋ  ଉପକରଣ ଶିଳ୍ପ ମଧ୍ୟ ସମାନ ଶୁଳ୍କର ସାମ୍ନା କରିବ । ଏହା ଆମେରିକାର ଯେସାକୁ ତେସା ଶୁଳ୍କ ନୀତିରୁ ବର୍ତ୍ତିବା ପାଇଁ  ଭାରତ ମଧ୍ୟ ପଦକ୍ଷେପ ନେଉଛି । ଏହା ଅନେକ ଆମେରୀକିୟ  ଉତ୍ପାଦ ଉପରୁ ଆମଦାନି ଶୁଳ୍କ ହ୍ରାସ କରିଛି । ଏକ ରିପୋର୍ଟ  ଅନୁସାରେ, ଯେସାକୁ ତେସା ଶୁଳ୍କ ନୀତି ଯୋଗୁ ଆମେରିକାକୁ  ଯାଉଥିବା ଭାରତର ୮୭% ରପ୍ତାନି ପ୍ରଭାବିତ ହେବ, ଯାହାର  ମୂଲ୍ୟ ପାଖାପାଖି ୬୬୦୦ କୋଟି ଡଲାର ହେବ ।