ନୂଆଦିଲ୍ଳୀ,୧୭।୧୨: ଅନେକ ପ୍ରସଙ୍ଗରେ ଦଳଠାରୁ ଭିନ୍ନ ମତ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ସାଂସଦ ଶଶି ଥରୁର। ତେବେ ସେ ସଂସଦର ଶୀତକାଳୀନ ଅଧିବେଶନରେ ମୋଦି ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ବିଲ୍କୁ ଦୃଢ ବିରୋଧ କରିଛ୍ତି। ଥରୁର ‘ସଷ୍ଟେନେବଲ୍ ହାରନେସିଂ ଆଣ୍ଡ୍ ଆଡଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ’ (ଶାନ୍ତି) ବିଲ୍କୁ ଦୃଢ଼ ବିରୋଧ କରିଛନ୍ତି। ଏହି ନୂତନ ବିଲ୍ ପରମାଣୁ ଶକ୍ତି ଆଇନ, ୧୯୬୨ ଏବଂ ସିଭିଲ ଲାୟବିଲିଟି ଫର ନ୍ୟୁକ୍ଲିଅର ଡ୍ୟାମେଜ୍ ଆକ୍ଟ, ୨୦୧୦ର ସ୍ଥାନ ନେବ। ଫଳରେ ଭାରତରେ ନ୍ୟୁକ୍ଲିଅର ଇଣ୍ଡଷ୍ଟ୍ରୀ ପାଇଁ ପ୍ରାଇଭେଟ୍ କମ୍ପାନୀ ପାଇଁ ଖୋଲିଯିବ। ଏହି ବିଲ୍କୁ ନେଇ ଥରୁର ବୁଧବାର ଲୋକସଭାରେ ନିଜର ତର୍କ ରଖିଛନ୍ତି।
ଥିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଏପରି ବ୍ୟାପକ ବ୍ୟକ୍ତିଗତ ଛାଡ ପ୍ରଦାନ କରିବା ଠିକ୍ ନୁହେଁ। ଏହା ଆଇନ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିହେବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ଉପଯୁକ୍ତ ପରିଶ୍ରମରେ ଶିଥିଳତା ଆଣିବ, ଏବଂ ଘରୋଇ କମ୍ପାନୀଗୁଡ଼ିକ ସାଧାରଣ ସୁରକ୍ଷାକୁ ବିପର୍ଯ୍ୟସ୍ତ କରି ଲାଭ ପାଇଁ ଲବି କରିବେ। ଆମେ କୌଣସି ଗଣତାନ୍ତ୍ରିକ ଢାଞ୍ଚା ଅଧୀନରେ ଏହାକୁ ଯଥାର୍ଥ ବୋଲି କହିପାରିବୁନି। ଅନେକ ଧାରା ଅସ୍ପଷ୍ଟ ଆଧାରରେ ବ୍ୟାପକ କ୍ଷମତା ପ୍ରଦାନ କରେ। ବିଲରେ ଜନଭାଗୀଦାରୀ ବ୍ୟବସ୍ଥାର ଅଭାବ ଅଛି। ସୁରକ୍ଷା ଯାଞ୍ଚ କିମ୍ବା ବିକିରଣ ନିରୀକ୍ଷଣର କୌଣସି ନିୟମିତ ସାର୍ବଜନୀନ ରିପୋର୍ଟିଂ ନାହିଁ। ‘ଶାନ୍ତି’ ବିଲ୍ ଘରୋଇକରଣ ପରମାଣୁ ଶକ୍ତି କ୍ଷେତ୍ରରେ ଏକ ବିପଦପୂର୍ଣ୍ଣ ପାଲଟିବ ବୋଲି ଥରୁର କହିଛନ୍ତି।
ଏହା ସହ ସେ ଆହୁରି କହିଛନ୍ତି ଯେ, ଏହା କି ପ୍ରକାରର ଆଇନ? ଏହି ବିଲ୍ କ୍ଷତିପୂରଣ ପାଇଁ ଆବେଦନ କରିବା ପାଇଁ ତିନି ବର୍ଷର ସମୟସୀମା ସ୍ଥିର କରିଛି, ସମ୍ପତ୍ତି କ୍ଷତି ପାଇଁ ୧୦ ବର୍ଷ ଏବଂ ବ୍ୟକ୍ତିଗତ ଆଘାତ ପାଇଁ ୨୦ ବର୍ଷ ପରେ ଛାଡ଼ ଦାବି କରିବାର ଅଧିକାର ସରିଯିବ। ରେଡିଏସନ୍ ସମ୍ପର୍କିତ ରୋଗ ଯେପରିକି କ୍ୟାନସର ୨୦-୩୦ ବର୍ଷ ପରେ ଆଗାମୀ ପୀଡିର ଜେନେଟିକ୍ରେ ଦେଖାଯିବ। ଏହା ଦ୍ବାରା ସମ୍ପୂର୍ଣ୍ଣ ଭାବରେ ନ୍ୟୁକ୍ଳିଅର ସେକ୍ଟର ଖୋଲିଯିବ। ଏହି ବିଲ୍ରେ ଥିବା ତ୍ରୁଟିକୁ ସଂଶୋଧନ ପାଇଁ ଆଗ ଜେପିସି ନିକଟକୁ ଯିବା ଦରକାର।