ପ୍ରମୂଖ ଖବର
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଆଇଏମ୍‌ଡି ଡିଜି ହେଲେ ଡ. ମୃତ୍ୟୁଞ୍ଜୟ ମହାପାତ୍ର, ପୁଣି ଥରେ ମିଳିଲା ଗୁରୁଦାୟିତ୍ୱ

Published By : Manoj | August 5, 2025 8:51 AM

ଭୁବନେଶ୍ୱର ୦୫/୦୮: ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଭାରତୀୟ  ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍‌ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିଲେ । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର  କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ  ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କେନ୍ଦ୍ର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଆଇଏମ୍‌ଡିର ଡିଜି ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ ।

୬୦ ବର୍ଷୀୟ ଡ଼.ମହାପାତ୍ର ଏବେ ଆଇଏମଡିରେ ମହାନିର୍ଦ୍ଦେଶକ(ଏଡିଜି) ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୨ ଅଗଷ୍ଟ ୧୯୬୫ ଭଦ୍ରକରେ ଜନ୍ମ ଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ପ୍ରଥମେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ରେ ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ । ପରେ କୌଣସି କାରଣରୁ ଚାକିରିରୁ ଇସ୍ତଫା ଦେଇ ଭୁବନେଶ୍ୱର ସ୍ଥିତ ଏକ ସରକାରୀ କଲେଜରେ କିଛି ମାସ ଅଧ୍ୟାପନା କରିଥିଲେ । କିଛି ଦିନ ପରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ରେ ଯୋଗ ଦେଇଥିଲେ ।

ମୃତ୍ୟୁଞ୍ଜୟ ନିଜ କାର୍ଯ୍ୟକାଳରେ ଫାଇଲିନ, ତିତଲି ଓ ଲୁବନା ପରି ଅନେକ ବାତ୍ୟାର ମାର୍ଗ ସଠିକ୍‌ ଭାବେ ଆକଳନ କରିଥିଲେ । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ ଭୁବନେଶ୍ୱର ସ୍ଥିତ ଆଇଏମଡି କାର୍ଯ୍ୟାଳୟର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନରେ କାର୍ଯ୍ୟ କରୁଥିଲେ । ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଏମଡି କାର୍ଯ୍ୟାଳୟକୁ ବଦଳି ହେବା ପରେ ସେ ମୁଖ୍ୟତଃ ବାତ୍ୟାଗୁଡ଼ିକର ମାର୍ଗର ସଠିକ୍‌ ଆକଳନ କରିବା ଏବଂ ଏସମ୍ପର୍କିତ ଅନ୍ୟ ତଥ୍ୟ ନିର୍ଦ୍ଧାରଣରେ ନିୟୋଜିତ ହୋଇଥିଲେ । ସେ ପ୍ରାୟ ୪୦ରୁ ଅଧିକ ବାତ୍ୟା ଉପରେ ନଜର ରଖିଥିଲେ ।

ଏକଦା ସେ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ପିଲାଦିନେ ବାତ୍ୟାର ପ୍ରକୋପ ଏବଂ ତା’ଯୋଗୁ ଲୋକଙ୍କ ଦୁର୍ଦ୍ଦଶାକୁ ଦେଖି ସେ ଖୁବ ପ୍ରଭାବିତ ହୋଇଥିଲେ । ତାଙ୍କର ପୈତୃକ ଗ୍ରାମ ବଙ୍ଗୋପସାଗର ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ। ୧୯୭୧ ଅକ୍ଟୋବରରେ ଏକ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଥିଲା । ତାଙ୍କୁ ସେତେବେଳେ ୬ ବର୍ଷ ବୟସ ହୋଇଥିଲା । ସେ ଏହି ବାତ୍ୟାରେ ନିଜର କେତେକ ସମ୍ପର୍କୀୟଙ୍କୁ ହରାଇଥିଲେ । ସେହିପରି ୧୯୮୨ ଅକ୍ଟୋବରରେ ଆଉ ଏକ ବାତ୍ୟା ଯୋଗୁ ବି ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ଭାଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟାରେ ମୃତ୍ୟୁଞ୍ଜୟଙ୍କ ପରିବାର ଦ୍ୱାରା କରାଯାଇଥିବା ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା । ଏହା ତାଙ୍କ ପରିବାର ପାଇଁ ଆୟର ମୁଖ୍ୟସ୍ରୋତ ହୋଇଥିବାରୁ ସେମାନେ ଭାଙ୍ଗି ପଡ଼ିଥିଲେ ।

ସେସମୟରେ ପାଣିପାଗ ବିଶେଷ କରିବ ବାତ୍ୟା ଏବଂ ତା’ର ମାର୍ଗ ସମ୍ପର୍କରେ ଏଭଳି ଆକଳନ କରାଯାଉନଥିଲା । ତେଣୁ ଧନଜୀବନ କ୍ଷୟକ୍ଷତି ଅଧିକ ହେଉଥିଲା । ଏସବୁ ଘଟଣା ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥିଲା ଯାହାଯୋଗୁ ସେ ପରବର୍ତ୍ତୀ ଜୀବନରେ ପାଣିପାଗ ବିଭାଗରେ କାମ କରିବା ଏବଂ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗତ ୫ ବର୍ଷ ହେବ ଭାରତୀୟ  ପାଣିପାଗ ବିଭାଗ  (ଆଇଏମଡି) ଡିଜି ଭାବେ କାର୍ଯ୍ୟ  ସମ୍ଭାଳି ଆସୁଛନ୍ତି। ପୁଣି ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.