ନୂଆଦିଲ୍ଲୀ,୦୩/୦୪: ଡ. ପୁନମ ଗୁପ୍ତା ରିଜର୍ଭ ବ୍ୟାଙ୍କ  ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ନୂଆ ଡେପୁଟି ଗଭର୍ଣ୍ଣର ଭାବେ  ନିଯୁକ୍ତ ହୋଇଛନ୍ତି । ସେ ୩ ବର୍ଷ ଲାଗି ଏହି ପଦବୀରେ  କାର୍ଯ୍ୟ କରିବେ । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ସଦସ୍ୟ ଭାବେ ଅବସ୍ଥାପିତ  ଥିଲେ । ଜାନୁଆରୀରେ ଇସ୍ତଫା ଦେଇଥିବା ଡେପୁଟି ଗଭର୍ଣ୍ଣର ମାଇକେଲ ପାତ୍ରଙ୍କ ସ୍ଥାନରେ ଏବେ ଶ୍ରୀମତି ଗୁପ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି  କମିଟି ତାଙ୍କ ନିଯୁକ୍ତିକୁ  ମଞ୍ଜୁରି ପ୍ରଦାନ କରିଛି । ୫  ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଆର୍‌ବିଆଇର ମୁଦ୍ରାନୀତି  କମିଟି (ଏମ୍‌ପିସି) ବୈଠକ  ପୂର୍ବରୁ ଶ୍ରୀମତି ଗୁପ୍ତାଙ୍କୁ  ନିଯୁକ୍ତି ଦିଆଯାଇଛି । 

୨୦୨୧ରୁ  ଶ୍ରୀମତି ଗୁପ୍ତା ନ୍ୟାସ୍‌ନାଲ  କାଉନସିଲ ଅଫ୍‌ ଆପ୍ଲାଏଡ  ଇକୋନୋମିକ ରିସର୍ଚ୍ଚ (ଏନ୍‌ସିଏଇଆର)ର ମହାନିର୍ଦ୍ଦେଶକ  ଏବଂ ୧୬ତମ ଅର୍ଥ ଆୟୋଗର ସଦସ୍ୟ ରହିଛନ୍ତି । ଏହା ପୂର୍ବରୁ ସେ ନୀତି ଆୟୋଗର ବିକାଶ ପରାମର୍ଶଦାତା କମିଟି  ଏବଂ ଫିକିର ଏକ୍‌ଜିକ୍ୟୁଟିଭ କମିଟିରେ ସଦସ୍ୟ ଥିଲେ ।  ସେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ସ୍ନାତକୋତ୍ତର  ଏବଂ ୟୁଏସ୍‌ଏ ମେରିଲାଣ୍ଡ ୟୁନିଭର୍ସିଟିରୁ ଅର୍ଥନୀତିରେ  ପିଏଚ୍‌ଡି କରିଛନ୍ତି । ଆଇଏମ୍‌ଏଫ୍‌ ଏବଂ ୱାର୍ଲଡ ବ୍ୟାଙ୍କ ଭଳି  ଅନ୍ତର୍ଜାତୀୟ ଅନୁଷ୍ଠାନ ସହ କାମ କରିବାରେ ତାଙ୍କର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ରହିଛି । ବିଶ୍ୱ ବ୍ୟାଙ୍କର ପରାମର୍ଶଦାତା  ପରିଷଦରେ ସେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ସେହିଭଳି  ଜି ୨୦ ପ୍ରେସିଡେନ୍ସିରେ ମାଇକ୍ରୋ ଇକୋନୋମିକ୍ସ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ଶ୍ରୀମତି ଗୁପ୍ତା କାର୍ଯ୍ୟ କରିଥିଲେ ।