ନୂଆଦିଲ୍ଲୀ: ଭାତତୀୟ ସେନାକୁ ମିଳିବାକୁ ଯାଉଛି ଦୂରଗାମୀ କ୍ଷମତା ବିଶିଷ୍ଚ ଗାଇଡେଡ ମିଶାଇଲ । ଏହା ଚାଇନାର କ୍ଷେପଣାସ୍ତ୍ରକୁ ସହ ମୁକାବିଲା କରିବାକୁ ସକ୍ଷମ । ଚାରି ବର୍ଷ ଧରି ଅନୁଧ୍ୟାନ ପରେ ନଭେମ୍ବର ୧୦ରେ ହୋଇଥିବା ଶେଷ ପରୀକ୍ଷଣରେ ପିନାକା ରକେଟକୁ ସେନାରେ ବ୍ୟବହାର ପାଇଁ ମିଳିଛି ସବୁଜ ସଙ୍କେତ । ଏହି ଗାଇଡେଡ ପିନାକା ରକେଟର ଲକ୍ଷ୍ୟଭେଦ କ୍ଷମତା ୭୫ କିଲୋମିଟରରୁ ଅଧିକ ରହିଛି । ଏଥିରେ ଲାଗିଥିବା ଗାଇଡାନ୍ସ କିଟ୍ ଏହାକୁ ଯେକୈଣସି ଦିଗରେ ଗତି କରିବା ପାଇଁ ସାହାଯ୍ୟ କରିବ ।
ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ପର୍ଯ୍ୟାୟରେ ପିନାକା ରକେଟର ଲକ୍ଷ୍ୟଭେଦ କ୍ଷମତା ପ୍ରଥମେ ୧୨୦ କିଲୋମିଟର ଓ ପରେ ୨୦୦ କିଲୋମିଟର ଯାଏ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ୪ଟି କମ୍ପାନି ସହ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି । ଏହାର ଉତ୍ପାଦନ ପାଇଁ ଅନେକ ଫ୍ୟାକ୍ଟ୍ରି ପ୍ରସ୍ତୁତ ଅଛନ୍ତି । ଋଷ–ୟୁକ୍ରେନ ଯୁଦ୍ଧରେ ଦୂରଗାମୀ କ୍ଷମତା ବିଶିଷ୍ଟ ମିଶାଇଲର ସଫଳତା ଦେଖିବା ପରେ ଏହାର ଚାହିଦା ଅହେତୁକ ଭାବେ ବୃଦ୍ଧି ଘଟିଛି। କିନ୍ତୁ ଏହାର ଉତ୍ପାଦନ କ୍ଷମତା ସୀମିତ ରହିଛି । ଭାରତ ପାଖରେ ପ୍ରତିବର୍ଷ ଶହ ଶହ ରକେଟ ନିର୍ମାଣ କରିବାର କ୍ଷମତା ଥିବାବେଳେ ଆବଶ୍ୟକତା ଅନୁସାରେ ଏହାର କ୍ଷମତା ହଜାରେକୁ ବୃଦ୍ଧି କରାଯିବ।
ପୁରୁଣା ପିନାକାର କ୍ଷମତା ୩୭ କିଲୋମିଟର ଥିଲାବେଳେ ଏହାର ଉତ୍ପାଦନ ଏବେ ବି ଜାରି ରହିଛି । ଏହା ବଦଳରେ ଦୂରଗାମୀ ରକେଟ ମଧ୍ୟ ନିର୍ମାଣ କରାଯାଇ ପାରିବ। କାରଣ ଏଥିରେ ସହଯୋଗ କରୁଥିବା ୪ଟି କମ୍ପାନି ମଧ୍ୟରୁ ଟାଟା ଆଡଭାନ୍ସ ସିଷ୍ଟମ ଓ ଲାର୍ସନ ଆଣ୍ଡ ଟୁବ୍ରୋ ପ୍ରଥମରୁ ଲଞ୍ଚର ବନାଉଥିଲା ବେଳେ ଇକୋନୋମି ଏକ୍ସପ୍ଲୋସିସ ଲିମିଟେଡ ଓ ମ୍ୟୁନିସନ ଇଣ୍ଡିଆ ଲିମିଟେଡ ଗୋଳା-ବାରୁଦ ପ୍ରସ୍ତୁତ କରୁଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ମଞ୍ଜୁରି ଦେଇଥିବା ବେଳେ ସେନା ଶୀଘ୍ର ଏହାର ନିର୍ମାଣ ପାଇଁ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି । ଏହି ଗାଇଡେଡ ମିସାଇଲକୁ ରପ୍ତାନି କରିବାକୁ ମଧ୍ୟ ମଞ୍ଜୁରି ମିଳିଥିବାରୁ ଆର୍ମେନିଆ ଦେଶ ଏହାର ଅର୍ଡର ଦେଇସାରିଛି । ଅନ୍ୟ ମିତ୍ର ଦେଶ ଗୁଡିକୁ ଏହାକୁ ବିକ୍ରୟ କରିବା ନେଇ ଆଲୋଚନା ଚାଲିଛି । ଏହି ଭାରତୀୟ ରକେଟକୁ ସେନା ପାଖରେ ଥିବା ପୁରୁଣା ପିନାକା ମଲ୍ଟି ବ୍ୟାରେଲ ରକେଟ ଲଞ୍ଚରରୁ ଲଞ୍ଚ କରିବା ପାଇଁ ଡିଜାଇନ କରାଯାଇଛି । ନିକଟରେ ପାକିସ୍ତାନ ନିଜର ଫତେ-୨ର ପରୀକ୍ଷଣ କରିଥିଲା । ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିଲୋମିଟର ହୋଇଥିବା ନେଇ ପାକିସ୍ତାନ ଦାବି କରୁଥିଲା ବେଳେ ଏନେଇ କୈଣସି ସ୍ପଷ୍ଟ ସୂଚନା ମିଳିନାହିଁ।