ଆଠମଲ୍ଲିକ,୧୩/୦୮ : ଚଳିତ ବର୍ଷ ଖରିଫ୍ ଋତୁ ଆରମ୍ଭରୁ ବର୍ଷା ସ୍ୱାଭାବିକ ହୋଇଥିଲେ ହେଁ ଗତ ୨୦ ଦିନ ଧରି ଆଠମଲ୍ଲିକ ଉପଖଣ୍ଡରେ ଟୋପାଏ ବି ବର୍ଷା ନାହିଁ । ଧାନଚାଷ ପାଇଁ ଜଳାଭାବ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି । ତଳିରୁଆ, ବିହୁଡ଼ା ହୋଇଥିବା ଧାନବିଲ ଫାଟି ଆଁ’ ହୋଇରହିଛି । ଆଠମଲ୍ଲିକ ଉପଖଣ୍ଡରେ ନିକଟ ଭବିଷ୍ୟତରେ ଭଲ ବର୍ଷା ନହେଲେ ଧାନଚାଷ ସମ୍ପୂର୍ଣ୍ଣ ମାଡ଼ ଖାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଆଠମଲ୍ଲିକ ଏନ୍ଏସି ଓ ଆଠମଲ୍ଲିକ ବ୍ଲକ୍ର ୨୪ଟି ପଞ୍ଚାୟତର ୧୫ ହଜାର ୩୫୬ ହେକ୍ଟର, କିଶୋରନଗର ବ୍ଲକ୍ର ୨୩ଟି ପଞ୍ଚାୟତର ୧୨ ହଜାର ୪୦ ହେକ୍ଟର ଜମିରେ ଧାନଚାଷ ହୋଇଛି । ଜୁନ୍ ମାସରେ ଆଠମଲ୍ଲିକ ଉପଖଣ୍ଡରେ ହାରାହାରି ବୃଷ୍ଟିପାତ ୧୯୭.୬ ମିଲିମିଟର, ଜୁଲାଇ ମାସରେ ୩୨୯.୬ ମିଲିମିଟର ହୋଇଥିବା ଜଣାଯାଇଛି । ସବୁ ଅଞ୍ଚଳରେ ସମାନୁପାତରେ ବର୍ଷା ହୋଇନଥିବାରୁ ଆଠମଲ୍ଲିକ ବ୍ଲକ୍ର ଅଏଡା, ଲୁହାସିଙ୍ଗା, ଜାମୁଡୋଲି, ମଇମୁରା, କନ୍ତପଡ଼ା, ସାପଘରା ଆଦି ପଞ୍ଚାୟତରେ ଚାଷ ପଛେଇ ଯାଇଛି । ଅନ୍ୟ ପଞ୍ଚାୟତରେ କିନ୍ତୁ ବର୍ଷା ସ୍ୱାଭାବିକ ଥିବାରୁ ଚାଷ ଆଗୁଆ ହୋଇଥିଲା । ହେଲେ ଗତ ଜୁଲାଇ ୨୦ ତାରିଖ ପରଠାରୁ ଆଠମଲ୍ଲିକ ଉପଖଣ୍ଡରେ ବର୍ଷା ନାହିଁ । ପାଗ ଶୁଖିଲା ରହିଥିବା ବେଳେ ଦିନରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ରୁଆ ଯାଇଥିବା ଧାନ ବିଲରୁ ପାଣି ଶୁଖି ମାଟି ଫାଟି ଗଲାଣି । ପାହାଡି ଝରଣା ଗୁଡ଼ିକରେ ମଧ୍ୟ ସ୍ରୋତ ଶୁଖିଗଲାଣି । ଏଭଳି ସ୍ଥିତି ଚାଷୀଙ୍କୁ ଚିନ୍ତାରେ ପକାଇଛି ।
ସୂଚନାଯୋଗ୍ୟ, ଆଠମଲ୍ଲିକ ଉପଖଣ୍ଡରେ ସଂଖ୍ୟାଧିକ ସେଚ ପ୍ରକଳ୍ପ ରହିଥିଲେ ମଧ୍ୟ ଅଚଳ ହୋଇପଡ଼ିଛି । ତେଣୁ ବର୍ଷା ଉପରେ ଚାଷୀ ନିର୍ଭର କରୁଛି । ମାନଜୋର ଜଳସେଚନ ପ୍ରକଳ୍ପ ଦ୍ୱାରା ୪୪୫୮ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହୋଇଥାଏ । ତେବେ ପାଣି ପଞ୍ଚାୟତ ଗଠନ ହୋଇନଥିବାରୁ ଜଳର ସୁଷମ ବଣ୍ଟନ ହୋଇପାରୁନି । ପ୍ରତ୍ୟେକ କେନାଲର ତଳ ମୁଣ୍ଡରେ ଥିବା ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ । ସେହିପରି ଭୂତଳ ପାଇପ ମାଧ୍ୟମରେ ମାନଜୋର କେନାଲରୁ ନଅଗାଁ ପଞ୍ଚାୟତ ପର୍ଯ୍ୟନ୍ତ ୨୦୫୩ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ୫୩ କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ । ଅନ୍ୟାନ୍ୟ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଆଡ଼ିବନ୍ଧ ମାଧ୍ୟମରେ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ୧୩୪୭ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ହୋଇଥାଏ । ତେବେ ବର୍ଷା ଅଭାବରୁ ଆଡ଼ିବନ୍ଧ ଗୁଡ଼ିକରେ ପର୍ଯ୍ୟାପ୍ତ ପାଣିନାହିଁ ।
ଆଠମଲ୍ଲିକ ଉପଖଣ୍ଡର ମହାନଦୀ ଅବବାହିକାରେ କାଦପଡ଼ା, କୁମ୍ଭିଆ, କୁଟେଶ୍ୱର୍ ଓ ପତାକାଠାରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି । ଏହି ୪ଟି ପ୍ରକଳ୍ପରୁ ୨୬୭୩ ହେକ୍ଟର ଜମିରେ ପାଣିମାଡ଼ିବା କଥା । ତେବେ ଆଠମଲ୍ଲିକରେ ଏହି ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ । ବିଭାଗର କୌଣସି ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳନ୍ତି ନାହିଁ । କାମ ସରିବା ପରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପଏଣ୍ଟରେ ପାଣି ପହଞ୍ଚିଲା କି ନାହିଁ ତାହା ଅନୁଧ୍ୟାନ ମଧ୍ୟ ହୋଇନାହିଁ । ତେଣୁ ବାସ୍ତବତା ଭିନ୍ନ । ଜମିରେ ପାଇପ ପୋତା ଯାଇଥିଲେ ମଧ୍ୟ ପାଣି ନାହିଁ । ଅଢ଼େଇ ଏକର ଜମି ପାଇଁ ଗୋଟିଏ ପଏଣ୍ଟ ଦିଆଯାଇଛି । ପଏଣ୍ଟ ଗୁଡ଼ିକ ଖାଲ ଜମିରେ ଦିଆଯାଇଥିବାରୁ ଉଚ୍ଚ ଜମିକୁ ପାଣି ଉଠିପାରୁନି । ଆଠମଲ୍ଲିକ ଉପଖଣ୍ଡରେ ପ୍ରାୟ ୪ ଶହ ଉଠା ଜଳସେଚନ ପଏଣ୍ଟ୍ ରହିଛି । ହେଲେ ଅଧିକାଂଶ ଅଚଳ, ମରାମତି କରାଯାଉନାହିଁ । ଏହିସବୁ ପ୍ରକଳ୍ପ ଦ୍ୱାରା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ୧୫୦୧ ହେକ୍ଟର ଜମିକୁ ଜଳସେଚିତ ହୋଇଥାଏ । ଆଠମଲ୍ଲିକ ଉପଖଣ୍ଡରେ ଜଳସେଚନ ଭିତ୍ତିଭୂମି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଉପଖଣ୍ଡରେ ଜଳସେଚନ ବ୍ୟବସ୍ଥା କେବଳ କାଗଜକଲମରେ ବୋଲି ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।