ନୂଆଦିଲ୍ଲୀ ୨୦/୦୫: ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍‌ଡିଓ) ନିଜର ଷ୍ଟାର୍‌ ମିସାଇଲ ପ୍ରୋଜେକ୍ଟର ୩ୟ ସୋପାନରେ ପହଞ୍ଚିଛି। ଏହି ସୋପାନରେ ମିସାଇଲକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ଅନେକ ଥର ଉଡ଼ାଣ ପରୀକ୍ଷଣ  କରାଯାଉଛି । ଷ୍ଟାର୍‌ ମିସାଇଲ ଏକ ସ୍ୱତନ୍ତ୍ର ସ୍ୱଦେଶୀ ମିସାଇଲ । ଏହା ବାୟୁସେନା, ସ୍ଥଳସେନା ଓ ନୌସେନା ପାଇଁ ଦ୍ରୁତ ବେଗଯୁକ୍ତ ବିପଦକୁ ପିଛା କରେ । ଅର୍ଥାତ୍‌ ଟାର୍ଗେଟ୍‌ ଅଭ୍ୟାସ କରିପାରେ। ଏହା ଶସ୍ତା ହେବା ସହିତ ବ୍ରହ୍ମୋସ ଭଳି ମିସାଇଲର ବିକଳ୍ପ ହୋଇପାରେ ।  

୩ୟ ଚରଣରେ ଡିଆର୍‌ଡିଓର ଇଞ୍ଜିନିୟର ମିସାଇଲର ସମସ୍ତ ଅଂଶ  ଯଥା- ଇଞ୍ଜିନ୍‌, ନାଭିଗେସନ୍‌ ସିଷ୍ଟମ୍‌ ଓ ନିୟନ୍ତ୍ରଣ ପ୍ରଣାଳୀକୁ ଏକସଙ୍ଗେ ଯୋଡ଼ି ପୂର୍ଣ୍ଣ ମିସାଇଲ ନିର୍ମାଣ କରନ୍ତି । ତା’ପରେ ଏହାକୁ ଯୁଦ୍ଧ ଭଳି ପରିସ୍ଥିତିରେ ଅନେକ ଥର ଉଡ଼ାଯାଏ । ମିସାଇଲ କେତେ ସଠିକ୍‌, ଭରସାଯୋଗ୍ୟ ଓ ପ୍ରଭାବଶାଳୀ ଏହି ପରୀକ୍ଷଣରୁ ଜଣାପଡ଼େ । 

ପରୀକ୍ଷଣରୁ ହାସଲ କରାଯାଉଥିବା ତଥ୍ୟ ସାହାଯ୍ୟରେ ମିସାଇଲକୁ  ଆହୁରି ଶକ୍ତିଶାଳୀ କରାଯାଏ, ଯାହା ଫଳରେ ଏହା ସୈନ୍ୟବାହିନୀର ଆବଶ୍ୟକତା ପୂରଣ କରିପାରିବ । ଡିଆର୍‌ଡିଓ ଭିନ୍ନ ଭିନ୍ନ ପାଣିପାଗ  ଓ ପରିସ୍ଥିତିରେ ମିସାଇଲକୁ ପରୀକ୍ଷା କରୁଛି । ଭୂପୃଷ୍ଠ ଓ ଆକାଶର ଉପକରଣ ସହିତ ଏହା ଠିକ୍‌ରେ କାମ କରୁଛି କି ନାହିଁ, ତାହା ବି  ଯାଞ୍ଚ୍‌ କରାଯାଉଛି । ପରୀକ୍ଷଣ ସଫଳ ହେଲେ, ଡିଆର୍‌ଡିଓ ମିସାଇଲର ସୀମିତ ଉତ୍ପାଦନ ଆରମ୍ଭ କରିପାରେ, ଯାହାକୁ ସୈନ୍ୟବାହିନୀ ପ୍ରଶିକ୍ଷଣ  ଓ ପରବର୍ତ୍ତୀ ପରୀକ୍ଷଣରେ ଉପଯୋଗ କରିବ । ଆଧୁନିକ ମିସାଇଲ ଭଳି ଦ୍ରୁତ ଗତି କରିବା ଓ ସେଗୁଡ଼ିକର କାର୍ଯ୍ୟକୁ  ନକଲ କରିବା ଉଦ୍ଦେଶ୍ୟରେ ଷ୍ଟାର୍‌ ମିସାଇଲକୁ ନିର୍ମାଣ କରାଯାଇଛି ।  ଏହା ୨.୫ ମାକ୍‌, ଅର୍ଥାତ୍‌ ହାରାହାରି ଘଣ୍ଟାପ୍ରତି ୩,୦୬୨ କିମିରୁ  ଅଧିକ ଦ୍ରୁତ ବେଗରେ ଗତି କରିପାରେ । ଏହା ଦ୍ରୁତ ବେଗରେ ଦିଗ  ମଧ୍ୟ ବଦଳାଇପାରେ । ଉଡ଼ାଣ ଉଚ୍ଚତା କମ୍‌-ବେଶି କରିପାରେ । ଏହା  ତାଲିମ ନେଉଥିବା ସୈନ୍ୟଙ୍କୁ ଅସଲ ଯୁଦ୍ଧରେ ଦ୍ରୁତ ନିଷ୍ପତ୍ତି ନେବା ଓ ସଠିକ୍‌ ପ୍ରତିକ୍ରିୟା ଦେବା ପାଇଁ ପ୍ରସ୍ତୁତ କରେ ।  

ଭିନ୍ନ ଭିନ୍ନ ମିଶନ ଓ ଆବଶ୍ୟକତା ହିସାବରେ ସହଜରେ ପରିବର୍ତ୍ତନ  ହୋଇପାରିବା ପାଇଁ ଷ୍ଟାର୍‌ ମିସାଇଲକୁ ଡିଜାଇନ୍‌ କରାଯାଇଛି । ଏହା ୩ ସେନା ପାଇଁ କାମ କରିପାରେ । ଅପରେସନ୍‌ ସିନ୍ଦୂରରେ ଭାରତ ‘ବଂଶୀ  ଟାର୍ଗେଟ୍‌’ ଡ୍ରୋନ୍‌ଗୁଡ଼ିକୁ ଶତ୍ରୁକୁ ଚକ୍‌ମା ଦେବାକୁ ଉପଯୋଗ କରିଥିଲା ।  ଷ୍ଟାର୍‌ ମିସାଇଲ ଏହି କାମରେ ଅଧିକ ଉପଯୋଗୀ ହୋଇପାରେ ।  

ଡିଆର୍‌ଡିଓ ଷ୍ଟାର୍‌ର ଏଭଳି ଏକ ସଂସ୍କରଣ ନିର୍ମାଣ କରୁଛି, ଯାହାକୁ ତେଜସ୍‌  ଭଳି ଲଢୁଆ ବିମାନରୁ ଛଡ଼ା ଯାଇପାରିବ । ଏହା ବାୟୁରୁ ବାୟୁକୁ କିମ୍ବା ବାୟୁରୁ  ଭୂପୃଷ୍ଠକୁ ହମ୍‌ଲା କରିବାରେ ସାହାଯ୍ୟ କରିବ । ଏହା ଶତ୍ରୁର ରାଡାର କିମ୍ବା  ବାୟୁମାର୍ଗର ଚେତାବନୀ ପ୍ରଣାଳୀକୁ ନଷ୍ଟ କରିବାରେ ମଧ୍ୟ ଉପଯୋଗୀ  ହେବ । ଏହି ମିସାଇଲ ବଡ଼ ମିଶନରେ ଭାରତର ଶକ୍ତି ବଢ଼ାଇବ ।  

ଷ୍ଟାର୍‌ ମିସାଇଲକୁ ଭୂମିରୁ ନିକ୍ଷେପ ପାଇଁ ଏଥିରେ ବୁଷ୍ଟର୍‌ ଯୋଡ଼ିବାକୁ  ପଡ଼ିବ । ଫଳରେ ଏହା ଦୂରକୁ ଉଡ଼ିପାରିବ । ଏହାକୁ ଯାନ  କିମ୍ବା ସ୍ଥିର ପ୍ଲାଟ୍‌ଫର୍ମରୁ ଲଞ୍ଚ୍‌ କରାଯାଇ ପାରିବ ।  ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ କିମ୍ବା ତଟରୁ ଜାହାଜକୁ  ଆକ୍ରମଣର ଅଭ୍ୟାସରେ ସାହାଯ୍ୟ କରିବ ।  ଷ୍ଟାର୍‌ ମିସାଇଲରେ ଲିକ୍ୱିଡ୍‌ ଫ୍ୟୁଲ ରାମ୍‌ଜେଟ୍‌  ଇଞ୍ଜିନ୍‌ ରହିଛି । ଏହା ବାୟୁରୁ ଅମ୍ଳଜାନ ଗ୍ରହଣ  କରେ, ଯାହା ଦ୍ୱାରା ମିସାଇଲକୁ କମ୍‌ ଇନ୍ଧନ ନେବାକୁ ପଡ଼େ । ଫଳରେ ଏହା ହାଲୁକା ରହେ  ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଦ୍ରୁତ ଗତିରେ  ଉଡ଼ିପାରେ ।  

ଷ୍ଟାର୍‌ ମିସାଇଲ କେବଳ ପ୍ରଶିକ୍ଷଣ ପାଇଁ  ନୁହେଁ । ଏହା ଡିଆର୍‌ଡିଓର ରାମ୍‌ଜେଟ  ଇଞ୍ଜିନ୍‌ ଓ ନୂଆ ମିସାଇଲ ପାଇଁ ଏକ ଟେଷ୍ଟିଂ  ପ୍ଲାଟ୍‌ଫର୍ମ ମଧ୍ୟ । ଏହା ଦ୍ୱାରା ନୂଆ ମିସାଇଲ  ନିର୍ମାଣରେ ସମୟ ଓ ବିପଦ କମ୍‌ ହେବ ।  ଷ୍ଟାର୍‌ ମିସାଇଲ ଭାରତକୁ ଦ୍ରୁତ ଓ  ଆଧୁନିକ ମିସାଇଲ ନିର୍ମାଣରେ ସାହାଯ୍ୟ  କରିବ । ଭବିଷ୍ୟତର ନୂଆ ମିସାଇଲ  ପାଇଁ ଏହା ମାର୍ଗଦର୍ଶକ ହେବ ।