ଜିରା ଅଧିକାଂଶ ଭାରତୀୟ ପରିବାରରେ ଏକ ମସଲା ଭାବେ ବ୍ୟବହୃତ ହୋଇଥାଏ। ତେବେ ଜିରାର ଅନେକ ଔଷଧୀୟ ଗୁଣ ରହିଛି। ବିଶେଷ କରି ସକାଳେ ଖାଲିପେଟରେ ଜିରା ପାଣି ପିଇବା ଫଳରେ ତାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ। ଜିରାରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକଟେରିୟାଲ୍‌ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି । ଜିରା ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିସହ ଏହା ଗ୍ୟାସ୍‌, ଏସିଡିଟିରୁ ମୁକ୍ତି ଦେବାରେ ସହାୟତା ପ୍ରଦାନ କରିଥାଏ। 

ରାତିରେ ଗୋଟିଏ ଗ୍ଲାସ୍‌ ପାଣିରେ ଅଳ୍ପ ଜିରା ଭିଜାଇ ରଖନ୍ତୁ। ସକାଳେ ସେହି ପାଣିକୁ ଫୁଟାଇ ତାକୁ ପିଅନ୍ତୁ। ଆବଶ୍ୟକ ହେଲେ ସେଥିରେ ଲେମ୍ବୁରସ ମିଶାଇ ପାରିବେ। ଜିରା ପାଣି ପିଇବା ଫଳରେ ଓଜନ ହ୍ରାସ ହୋଇଥାଏ। ଖାଲିପେଟରେ ଜିରା ପାଣି ପିଇବା ଫଳରେ ମେଟାବୋଲିଜିମ୍‌ ବୃଦ୍ଧି ହୋଇଥାଏ। ଫଳରେ ଖାଦ୍ୟ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ଏବଂ ଖାଦ୍ୟରୁ ଜରୁରୀ ପୋଷକତତ୍ତ୍ୱ ଉପଯୁକ୍ତ ଭାବେ ଅବଶୋଷଣ ହୋଇଥାଏ। ଏଥିସହ ଶରୀରରେ ଜମା ହୋଇଥିବା ଚର୍ବି ମଧ୍ୟ କମିଥାଏ। ମଧୁମେହ ରୋଗୀ ଖାଲିପେଟରେ ଜିରା ପାଣି ପିଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ଜିରା ପାଣି ପିଇବା ଫଳରେ ପାଚନତନ୍ତ୍ରର ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ସେହିପରି ଶରୀରରୁ କୋଲେଷ୍ଟୋରଲ୍‌ ହ୍ରାସ ନିମନ୍ତେ ଜିରା ପାଣି ବେଶ୍‌ ଉପଯୋଗୀ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ହୃଦଯନ୍ତ୍ରକୁ ସୁସ୍ଥ ରଖିବାରେ ଏହା ସହାୟକ ହୋଇଥାଏ।