ଜହ୍ନ।ପଙ୍କ, ୮।୪  : ବୌଦ୍ଧ ଜିଲ୍ଲାରେ ସପ୍ତାହେ ହେଲା  ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ତାତି ଯୋଗୁ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ପାନୀୟ ଜଳ  ପାଇଁ ପୋଖରୀ ହିଁ ଭରସା। ସକାଳ ହେଲେ ଗରା, ବାଲଟି ଧରି ମହିଳାମାନେ   ପୋଖରୀରୁ ପାଣି ଆଣିଥାନ୍ତି। ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ବେନ୍ଦିଲିପାଲି ଓ ଶରଧାପୁର  ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। 

 ସକାଳ ହେଲେ ଗାଁ ର ଶତାଧିକ ମହିଳା ପୋଖରୀକୁ ଗରା ବାଲ୍‌ଟି ଧରି ପାଣି ଆଣିବାକୁ ଯାଇଥାନ୍ତି। ସେହି ପାଣିକୁ ଆଣି ଫୁଟେଇକି ପାନୀୟ ଜଳ ପାଇଁ ବ୍ୟବହାର କରିଥାନ୍ତି। ଆଉ କେହି କେହି ୩ କିମି ମହାନଦୀ କୁ ଚାଲିଚାଲି ପାଣି ଆଣିବାକୁ ଯାଇଥାନ୍ତି। ଗାଁ ରେ ୩ ଟି ନଳକୂଅ ଥିଲେ ମଧ୍ୟ ନଳକୂଅ ରୁ ପର୍ଯ୍ୟାପ୍ତ  ପାଣି ବାହାରୁ ନାହିଁ। ଅନ୍ୟପକ୍ଷରେ  ପଞ୍ଚାୟତ ତରଫରୁ ୨୦୧୬-୧୭ ମସିହାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅନୁଦାନରେ ୫ଲକ୍ଷ ୩୫ହଜାର ଟଙ୍କା ରେ ନିର୍ମାଣ ହୋଇଛି ସୋଲାର କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ। ନିର୍ମାଣର ୫ ରୁ ୬ ମାସ ପରେ ତାହା ମଧ୍ୟ କାମ କରୁନାହିଁ। ପ୍ରତ୍ୟେକ ବର୍ଷ ମରାମତି ନାଁ ରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଣି ବୁନ୍ଦାଏଁ ପାଇଁ କିଏ ଗରା ବାଲଟି ଧରି  ୩ କିମି ଯିବାକୁ ପଡୁଛି ତ ଆଉ କିଏ ଗାଁ ପୋଖରୀରୁ ଅପରିସ୍କାର ପାଣି ଆଣି ଫୁଟେଇ ପିଉଛନ୍ତି। 

ଏ ନେଇ ଅଭିଯୋଗ କଲେ ବି ଶୁଣୁ ନାହାନ୍ତି କୌଣସି ଅଧିକାରୀ ବା ସରପଞ୍ଚ । ଗାଁରେ ମେଗା ପାନୀୟ ଜଳର ଯୋଗାଣ ପାଇଁ ପାଇପ ପଡି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ହେଲେ ପାଣି ଆସୁନାହିଁ। ତେବେ ଗ୍ରୀଷ୍ମ ଆରମ୍ଭରୁ ଅବସ୍ଥା ଏଭଳି ହେଲାଣି ଆଗକୁ ଅବସ୍ଥା କିପରି ହେବ ସହଜେ ଅନୁମେୟ। ତୁରନ୍ତ ଉକ୍ତ ଗ୍ରାମକୁ   ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜଳ ଯୋଗାଣ ନହେଲେ ମହିଳାମାନେ  ଗରା ବାଲ୍‌ଟି ଧରି ରାଜରାସ୍ତାକୁ ଓହ୍ଲେଇବାକୁ  ଚେତାବନୀ ଦେଇଛନ୍ତି।