ପାଟଣାଗଡ଼ ୦୮।୭: ଓଡିଶା ଡ୍ରାଇଭର ମହାସଂଘର ସଭାପତି ଅଜୁ ମଣ୍ଡଳୀଙ୍କ ଆହ୍ୱାନ କ୍ରମେ ମଙ୍ଗଳବାର ପାଟଣାଗଡ଼ ଶାଖା ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଇଛି। ସଂଘର ସଭାପତି ଭୀମସେନ ଦୀପ ଓ ସମ୍ପାଦକ ଇସାକ ଖାନଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ପାଟଣାଗଡ଼ରୁ ବେଲପଡା ଓ ହରିଶଙ୍କର ଯାଉଥିବା ରାସ୍ତା ବଥର୍ଲା ଛକ ଠାରେ ଏକତ୍ରିତ ହୋଇଥିଲେ। ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଵିଭିନ୍ନ ଚାରିଚକିଆ ଯାନ ଓ ବାଇକକୁ ଅଟକାଇ ଆସନ୍ତାକାଲି ଠାରୁ ଛକରେ ଧାରଣାରେ ବସିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ କରିଦେବା ପାଇଁ ଚେତାବନୀ ଦେଉଥିଲେ। ପୂର୍ବରୁ ସଂଘର କର୍ମକର୍ତ୍ତା ମାନେ ଏକ ସାତ ଦଫା ସମ୍ମିଳିତ ଦାବିପତ୍ର ଜୁନ ୧୩ ତାରିଖରେ ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ । ଏପରିକି ଦାବି ପୂରଣ ନ ହେଲେ ଆସନ୍ତା ୮ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।

ଦାବି ଗୁଡିକ ମଧ୍ୟରେ ଓଡିଶା ଡ୍ରାଇଭର ମୋଟର୍ସ ୱାର୍କ ବୋର୍ଡରେ ଡ୍ରାଇଭର ମାନଙ୍କୁ ସାମିଲ କରାଯାଉ, ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଆଇନ ଅଣାଯାଉ, ଷାଠିଏ ବର୍ଷ ପରେ ଡ୍ରାଇଭର ମାନଙ୍କୁ ଭତ୍ତା ପ୍ରଦାନ କରାଯାଉ, ଡ୍ରାଇଭର ମାନଙ୍କ ପାଇଁ ପ୍ରତି ଶହେ କିମିରେ ପାର୍କିଙ୍ଗର ବ୍ୟବସ୍ଥା କରାଯାଇ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ କରାଯାଉ, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଓ କଳ କାରଖାନା ଗୁଡିକରେ ଶତକଡା ୭୦ ପ୍ରତିଶତ ସଂଘର ଡ୍ରାଇଭର ମାନଙ୍କୁ ନିଯୁକ୍ତି ପ୍ରଦାନ ଦିଆଯାଉ, ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରିବାର କ୍ଷମତା ପୁଲିସକୁ ବନ୍ଦ କରାଯାଉ। ହେଲେ ଦାବି ପତ୍ର ପ୍ରଦାନ କରିବାର ୨୫ ଦିନ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଡ୍ରାଇଭର ମହା ସଂଘର ଦାବି ଗୁଡିକ ଉପରେ କୌଣସି ପଦକ୍ଷେପ ନନେବାରୁ ଆଜି ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ପାଟଣାଗଡ଼ ଶାଖା ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ରାଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହୋଇଥିବା ସଙ୍ଘ ସଭାପତି ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନ ସମୟରେ ପାଟଣାଗଡ଼ ଡ୍ରାଇଭର ସଂଘର ସଭାପତି ଭୀମସେନ ଦୀପ,ଉପସଭାପତି ଗଙ୍ଗା ମହାଳିଙ୍ଗ,ସମ୍ପାଦକ ଇସାକ ଖାନ,ସହ ସମ୍ପାଦକ ନିରଞ୍ଜନ ବିଶି,କୋଷାଧକ୍ଷ ତରଣୀ ଥପା, ସଦସ୍ୟ ନରୋତ୍ତମ ପୁରୋହିତ, ଅଜୟ ପଟ୍ଟନାୟକ ପ୍ରମୁଖଙ୍କ ସହ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।