ନୂଆଦିଲ୍ଲୀ, ୧୪/୦୫: ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଛନ୍ତି ସତ,  କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଉଭୟଙ୍କ କୂଟନୈତିକ  ସମ୍ପର୍କରେ ଚିନ୍ତାର ମାହୋଲ ସ୍ପଷ୍ଟ ଦେଖିବାକୁ ମିଳୁଛି । ଅପରେସନ୍‌ ସିନ୍ଦୂର ମିଶନରେ ଯେଉଁ ଗୋଟିଏ ବିଷୟ ଉପରେ ଲଗାତାର  ଚର୍ଚ୍ଚା ହେଲା, ତାହା ହେଉଛି ଡ୍ରୋନ୍‌ ଆଟାକ୍‌ ।  ଅର୍ଥାତ୍‌ ବାୟୁମାର୍ଗରେ ମାନବ ରହିତ ଆକ୍ରମଣ ।  ଦକ୍ଷିଣ ଏସିଆରେ ପ୍ରଥମ ଥର ଦୁଇ ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ଦେଶ ପରସ୍ପର ଉପରେ  ଡ୍ରୋନ୍‌ ଆକ୍ରମଣ କରିଥିବା ଦେଖିବାକୁ ମିଳିଲା ।  

ଗତ ୮ ତାରିଖ ସକାଳେ ଭାରତ ପାକିସ୍ତାନର ଲାହୋରରେ ଏୟାୟର ଡିଫେନ୍ସ ସିଷ୍ଟମ୍‌କୁ  ଡ୍ରୋନ୍‌ରେ ନଷ୍ଟ କରିଦେଲା । ଏହାର ଜବାବରେ  ପାକିସ୍ତାନ ଭାରତର ଅନେକ ସ୍ଥାନ ଉପରେ ଡ୍ରୋନ୍‌  ଆକ୍ରମଣ କଲା । କିନ୍ତୁ ଭାରତର ମଜଭୁତ ପ୍ରତିରକ୍ଷା  ପ୍ରଣାଳୀ ଏହି ଆକ୍ରମଣକୁ ବିଫଳ କରିଦେଲା । ତେବେ ବର୍ତ୍ତମାନ ସ୍ଥିିତିରେ ପ୍ରଥମ ଥର ଡ୍ରୋନ୍‌  ଆକ୍ରମଣ ବିଷୟରେ ଆଲୋଚନା ହେଉନାହିଁ ।  ରୁଷ୍‌-ୟୁକ୍ରେନ ଯୁଦ୍ଧଠୁ ଇସ୍ରାଏଲ-ଗାଜା ସଂଘର୍ଷ  ପର୍ଯ୍ୟନ୍ତ, ଡ୍ରୋନ୍‌ ଏବେ ଆଧୁନିକ ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ  ଅସ୍ତ୍ର ହୋଇଛି । ଦକ୍ଷଣ ଏସିଆରେ ପ୍ରଥମ ଥର  ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ସ୍ତରର ଡ୍ରୋନ୍‌  ଯୁଦ୍ଧ ଦେଖିବାକୁ ମିଳିଛି । ଡ୍ରୋନ୍‌ ଯୁଦ୍ଧର ମୂଳ  ବର୍ତ୍ତମାନର କୌଶଳରେ ନୁହେଁ, ବରଂ ଇତିହାସ  ପୃଷ୍ଠାରେ ଲୁଚିରହିଛି । ୧୮୪୯ ମସିହାରେ ଅଷ୍ଟ୍ରିଆ  ଭେନିସ୍‌ ଉପରେ ବେଲୁନ୍‌ ବୋମା ପକାଇଥିଲା ।  ଏହାକୁ ମାନବ-ରହିତ ବାୟୁ ଆକ୍ରମଣର ପ୍ରଥମ  ଉଦାହରଣ କୁହାଯାଏ । ତା’ପରେ ବିଂଶ ଶତାବ୍ଦୀରେ  ଏହି କୌଶଳ ଆହୁରି ବିକଶିତ ହେଲା । 

ପ୍ରଥମ ଓ ୨ୟ ବିଶ୍ୱଯୁଦ୍ଧରେ ପାଇଲଟ୍‌-ରହିତ  ବିମାନର ପରୀକ୍ଷଣ ହୋଇଥିଲା । ୧୯୩୫ରେ  ବ୍ରିଟେନ ରେଡିଓ କଣ୍ଟ୍ରୋଲରେ ପରିଚାଳିତ  ‘କ୍ୱିନ୍‌ ବି’ ଡ୍ରୋନ୍‌ ନିର୍ମାଣ କଲା । ଶୀତଳ ଯୁଦ୍ଧ  ସମୟରେ ଗୁଇନ୍ଦାଗିରି ପାଇଁ ପ୍ରଥମ ଥର ଡ୍ରୋନ୍‌  ବ୍ୟବହାର କରାଯାଇଥିଲା । ଆମେରିକା ଛୋଟ  ରିମୋଟ୍‌ କଣ୍ଟ୍ରୋଲ ଡ୍ରୋନ୍‌ ଜରିଆରେ ଶତ୍ରୁ ଉପରେ  ନଜର ରଖିଲା । ଭିଏତନାମ ଯୁଦ୍ଧରେ ମଧ୍ୟ ଏହି  ଡ୍ରୋନ୍‌ ମୁତୟନ ହୋଇଥିଲା । ୨୦୦୦ ମସିହାରେ  ଆମେରିକା ହେଲଫାୟାର ମିସାଇଲଯୁକ୍ତ ପ୍ରିଡେଟର  ଡ୍ରୋନ୍‌କୁ ଯୁଦ୍ଧରେ ଉତାରିଲା । ଏହା ଶତ୍ରୁ କ୍ଷେତ୍ରରେ  ସଠିକ୍‌ ଆକ୍ରମଣ କରିବାରେ ସକ୍ଷମ । ଏହା ପରେ  ଆମେରିକାରେ ଆତଙ୍କବାଦ ବିରୋଧୀ ଅଭିଯାନରେ  ବ୍ୟାପକ ସ୍ତରରେ ଡ୍ରୋନ୍‌ ବ୍ୟବହୃତ ହେଲା ।  

ଡ୍ରୋନ୍‌ ଯୁଦ୍ଧର ପରିଭାଷା ବଦଳାଇ ଦେଇଛି । ଏବେ ସୈନିକଙ୍କ ଜୀବନକୁ ବିପଦରେ  ନ ପକାଇ ଶତ୍ରୁର ଠିକଣା ଉପରେ ଆକ୍ରମଣ ସମ୍ଭବ । ଏହା ଶସ୍ତା, ସଠିକ୍‌ ଓ ବିନାଶକାରୀ ।  ଭାରତ-ପାକ୍‌ ସଂଘର୍ଷରେ ପୁଣି ଥରେ ପ୍ରମାଣିତ ହୋଇଛି ଯେ ଭବିଷ୍ୟତର ଯୁଦ୍ଧ ଭୂପୃଷ୍ଠରେ  ନୁହେଁ, ଆକାଶରେ ଡ୍ରୋନ୍‌ ଲଢ଼ିବେ ।