ମୁମ୍ବାଇ: ମୁମ୍ବାଇ କ୍ରାଇମ ବ୍ରାଞ୍ଚ (ୟୁନିଟ୍ ୭)କୁ ଆଉ ଏକ ବଡ଼ ସଫଳତା ମିଳିଛି । କ୍ରାଇମ ବ୍ରାଞ୍ଚ ଦାଉଦ ଇବ୍ରାହିମ୍ ନେଟୱାର୍କର ସହଯୋଗୀ ସଲିମ୍ ଡୋଲାର ସହଯୋଗୀ ସଲିମ୍ ଶେଖକୁ ଦୁବାଇରୁ ଗିରଫ କରିଛି। ସଲିମ୍ ଶେଖ ଦୁବାଇରେ ରହି ଭାରତରେ ଡ୍ରଗ୍ସ ନେଟୱାର୍କ ପରିଚାଳନା କରୁଥିଲା । ସେ କୁଖ୍ୟାତ ଡ୍ରଗ୍ସ ଚାଲାଣକାରୀ ସଲିମ୍ ଡୋଲାର ଘନିଷ୍ଠ ସହଯୋଗୀ । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଜବତ ହୋଇଥିବା ଏମଡି (ମେଫେଡ୍ରୋନ୍) ଡ୍ରଗ୍ କାରଖାନା ସହିତ ତାର ସିଧାସଳଖ ସମ୍ପର୍କ ଥିବା ଜଣାପଡ଼ିଛି।
ଫେବୃଆରୀ ୧୬, ୨୦୨୪ ରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ୍ ୭କୁ କୁର୍ଲା ଅଞ୍ଚଳରେ ଜଣେ ମହିଳା ଡ୍ରଗ୍ସ ଚାଲାଣ କରୁଥିବା ସୂଚନା ମିଳିଥିଲା। ଏହା ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପରବୀନ ବାନୋ ଗୁଲାମ ଶେଖ ନାମକ ଜଣେ ମହିଳାଙ୍କୁ ୬୪୧ ଗ୍ରାମ ମେଫେଡ୍ରୋନ୍ (୧୨.୨୦ ଲକ୍ଷ ଟଙ୍କା ମୂଲ୍ୟ) ଏବଂ ନଗଦ ୧୨ ଲକ୍ଷ ଟଙ୍କା ସହିତ ଗିରଫ କରିଥିଲା। ପଚରାଉଚରା ସମୟରେ ପରବୀନ ଦୁବାଇସ୍ଥିତ ସଲିମ୍ ଶେଖ୍ ଏବଂ ତା ସହଯୋଗୀ ସଲିମ୍ ଡୋଲାର ଏକ ନେଟୱର୍କରୁ ମୁମ୍ବାଇର ସାଜିଦ୍ ମହମ୍ମଦ ଆସିଫ୍ ଶେଖ୍ ମାଧ୍ୟମରେ ଡ୍ରଗ୍ସ କିଣିଥିବା ସ୍ୱୀକାର କରିଥିଲା।
ମୀରା ରୋଡରୁ ସାଜିଦକୁ ଗିରଫ କରି ତା ଘରୁ ୩ କିଲୋଗ୍ରାମ ଏମଡି (ଯାହାର ମୂଲ୍ୟ ୬ କୋଟି) ଏବଂ ୩.୬୮ କୋଟି ଟଙ୍କା ନଗଦ ଜବତ କରିଥିଲା କ୍ରାଇମ ବ୍ରାଞ୍ଚ । ସାଙ୍ଗଲିରେ ଏକ ମେଫେଡ୍ରୋନ୍ ତିଆରି କାରଖାନା ଚାଲୁଥିଲା। ଅଧିକ ତଦନ୍ତରୁ ଜଣାପଡିଛି ଯେ, ଦୁବାଇସ୍ଥିତ ସଲିମ୍ ଶେଖ୍ ଏବଂ ତା ନେଟୱର୍କର ସାଙ୍ଗଲି ଜିଲ୍ଲାରେ କାର୍ଯ୍ୟ କରୁଥିବା ଏକ ମେଫେଡ୍ରୋନ୍ ତିଆରି ୟୁନିଟ୍ ସହିତ ସମ୍ପର୍କ ଥିଲା। ୨୫ ମାର୍ଚ୍ଚ, ୨୦୨୪ ରେ, କ୍ରାଇମ୍ ବ୍ରାଞ୍ଚ ଟିମ୍ ସେହି ସଂସ୍ଥାରେ ଚଢାଉ କରି ୧୨୨.୫ କିଲୋଗ୍ରାମ ମେଫେଡ୍ରୋନ୍ (ଯାହାର ମୂଲ୍ୟ ୨୪୫ କୋଟି ଟଙ୍କା) ଜବତ କରିଥିଲା। କଞ୍ଚାମାଲ, ଯନ୍ତ୍ରପାତି, ଯାନବାହାନ ଏବଂ ମୋଟ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।