ପୁରୀ,୧୪/୧୧: ତୁମକୁ କିଏ କହିଲା ମୋତେ ଏଠାକୁ ଆଣିବାକୁ... । ମୋର୍‌ କିଛି  ହୋଇନି... । ମୋତେ ତୁରନ୍ତ ଛାଡ଼... । ଏମିତି  ଚିତ୍କାର କରି କହୁଥିଲେ ଜଣେ ଯୁବତୀ । କୁମ୍ଭାରପଡ଼ା ଥାନା ଦୂଆରେ ଯୁବତୀ ଏଭଳି କହି ଉତ୍ପାତ ହେଉଥିବା ବେଳେ ବନ୍ଦ ଥିବା ଗେଟ୍‌ର ଅପରପାଶ୍ୱର୍ରେ ରହି ଧୀର ମନ୍ଥର ସ୍ୱରରେ ମା’  ବୋଲି ସମ୍ବୋଧନ କରି ବୁଝାଉଥିଲେ ଆଇଆଇସି ।  ଏମିତି ପ୍ରାୟ ୧୦ ମିନିଟ୍‌ ପରେ ଶେଷରେ ଯୁବତୀଙ୍କୁ  ଡାକ୍ତରଖାନା ନେଇ ଚିକିତ୍ସା କରାଇବା ପରେ ଆଶ୍ରୟ  ସ୍ଥଳୀରେ ଛାଡ଼ିଲା ପୁଲିସ । ମଙ୍ଗଳବାର ରାତିରେ  ଏଭଳି ଏକ ଘଟଣା ଷ୍ଟେସନ୍‌ ରୋଡ୍‌ରୁ ଥାନା ଓ  ଡାକ୍ତରଖାନାରୁ ସର୍ବୋଦୟ ନଗର ଅଞ୍ଚଳ ଯାଏ  ଚର୍ଚ୍ଚାର ବିଷୟ ପାଲଟିଛି । 

ଖବର ଅନୁସାରେ କେନ୍ଦ୍ରାପଡ଼ାର ଜଣେ ଯୁବତୀ ତାଙ୍କ ବନ୍ଧୁଙ୍କ ସହ ପୁରୀ ଆସିଥିଲେ । ବନ୍ଧୁ ଜଣକ କେଉଁଆଡ଼େ ଚାଲି ଯାଇଥିବା  ବେଳେ ଏକାକୀ ନିଶାସକ୍ତ ଅବସ୍ଥାରେ ଜିଲ୍ଲା ସ୍କୁଲ୍‌ ସମ୍ମୁଖ ଷ୍ଟେସନ୍‌ ରୋଡ୍‌ରେ ପଡ଼ିଥିଲେ ଯୁବତୀ । ରାତିରେ ପିସିଆର୍‌ ତାଙ୍କୁ ଉଦ୍ଧାର କରି ସିଧା ଥାନାକୁ ନେଇଆସିଥିଲା । ସେହି ସମୟରେ କିଛି ଅଭିଯୁକ୍ତଙ୍କୁ ଥାନା ଭିତରେ ଯାଞ୍ଚ୍‌ କରାଯାଉଥିବା ବେଳେ ଗେଟ୍‌ ବନ୍ଦ ଥିଲା । ଠିକି ଏତିକିବେଳେ ପହଞ୍ଚିଗଲେ ଯୁବତୀ । ଭ୍ୟାନ୍‌ରୁ  କୁଦା ମାରି ଓହ୍ଲାଇବା ପରେ ଥାନା ଭିତରକୁ ଦୌଡ଼ି ଆସିଥିଲେ । ଗେଟ୍‌ର ଗୋଟିଏ ପାଶ୍ୱର୍ରେ ଯୁବତୀ ଓ ଅନ୍ୟ ପାଶ୍ୱର୍ରେ ଆଇଆଇସି ଜୟଦୀପ ମହାନ୍ତି । କାନ୍ଧରେ ତିନିଟି ତାରା ଦେଖି ବାବୁଙ୍କୁ ତେଢ଼ା ଚାହାଣୀ ମାରି ଯୁବତୀ ଆରମ୍ଭ କରିଥିଲେ  ଚିତ୍କାର । ମୋର କିଛି ହୋଇନି ମୋତେ ଛାଡ଼ିଦିଅ  କହି ଗୋଟିଏ ଜିଦ୍‌ରେ ଅଟଳ ଥିଲେ ଯୁବତୀ ।  ହେଲେ ଏଭଳି ଅସହାୟ ଅବସ୍ଥାରେ ତାଙ୍କୁ ଛାଡ଼ିବା  ଅନୁଚିତ୍‌ ବୋଲି କହି ବୁଝାଇଥିଲେ ଆଇଆଇସି  ଶ୍ରୀ ମହାନ୍ତି । କିନ୍ତୁ ଯୁବତୀ ନଛୋଡ଼ ବନ୍ଧା । 

ନିକଟ  ଅତୀତରେ ଭରତପୁର ଥାନାର ଏଭଳି ଏକ  ଘଟଣାକୁ ନେଇ ଥାନା ପୁଲିସ ଅଧିକାରୀ ଓ ମହିଳା  କର୍ମଚାରୀ ଅତ୍ୟନ୍ତ ସନ୍ତର୍ପଣରେ ଯୁବତୀଙ୍କୁ ଘେରି  ରହି ବୁଝାଶୁଝା କରିଥିଲେ ।ତାଙ୍କୁ ଛାଡ଼ିଲେ ସମସ୍ୟା  ଓ ଥାନା ଭିତରେ ବସାଇଲେ ବି ଉନ୍ମତ୍ତ କାଣ୍ଡ ପାଇଁ  କିଛି ବି ଅଘଟଣା ଘଟିବାର ଆଶଙ୍କାରେ ପଡ଼ି ବିଚରା  ପୁଲିସ ହଟହଟା ହେଇଥିଲା । ଶେଷରେ ତାଙ୍କୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଥିଲା  ପୁଲିସ । ଡାକ୍ତରଖାନାରେ ବି ଯୁବତୀଙ୍କ ଉନ୍ମତ୍ତକାଣ୍ଡ  ସୀମା ଟପିଥିଲା । ପୁଲିସର ଚଉଦ ପୁରୁଷ  ଉଝାଳିବା ବେଳେ ଡାକ୍ତର ଓ କର୍ମଚାରୀମାନେ  ମଧ୍ୟ ନାକେଦମ୍‌ ହୋଇଥିଲେ । ଚିକିତ୍ସା ପରେ  ତାଙ୍କୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସର୍ବୋଦୟ  ନଗରସ୍ଥିତ ଆଶ୍ରୟ କେନ୍ଦ୍ରକୁ ନିଆଯାଇଥିଲା ।