ନୂଆଦିଲ୍ଲୀ ୦୧/୦୯: ସୋସିଆଲ୍‌ ମିଡିଆରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା ଦୁବାଇ ରାଜକୁମାରୀ ଶେଖା ମାହରା ଏବେ ପୁଣି ଚର୍ଚ୍ଚାରେ । ମରୋକ୍କୀୟ-ଆମେରିକୀୟ ରାପର୍‌ ଫ୍ରେଞ୍ଚ ମୋଣ୍ଟାନାଙ୍କ ସହ ତାଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଚଳିତବର୍ଷ ଜୁନ୍‌ରେ ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌ ସମୟରେ ଦମ୍ପତିଙ୍କ ନିର୍ବନ୍ଧ ହୋଇଥିଲା । ନିକଟରେ ମୋଣ୍ଟାନାଙ୍କର ମୁଖପାତ୍ର ଆନୁଷ୍ଠାନିକ ଭାବେ ସେହି ଖବର ସଂପର୍କରେ ପ୍ରକାଶ କରିଛନ୍ତି । ତାଙ୍କ ଅନୁସାରେ, ଦମ୍ପତି ବିବାହ ଲାଗି ଯୋଜନା କରୁଛନ୍ତି । ମଧ୍ୟପ୍ରାଚ୍ୟ କିମ୍ବା ୟୁରୋପରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇପାରେ । 

ମାହରା ଦୁବାଇର ଶାସକ ଏବଂ ୟୁଏଇ ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମଖତୁମ୍‌ଙ୍କ ଝିଅ । ଗତବର୍ଷ ଶେଷ ଆଡ଼କୁ ମାହରା ଓ ମୋଣ୍ଟାନାଙ୍କ ପ୍ରେମ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦୁବାଇରେ ଏକ କାର୍ଯ୍ୟକ୍ରମରେ ମୋଣ୍ଟାନା ଯୋଗ ଦେବା ପରେ ତାର ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ ମାହରା । ଏହା ସେମାନଙ୍କ ମଧ୍ୟରେ ବର୍ଦ୍ଧିଷ୍ଣୁ ଘନିଷ୍ଠତାର ସଙ୍କେତ ଦେଇଥିଲା । ସେବେଠାରୁ ଦୁବାଇ ଓ ମରକ୍କୋରେ ଦମ୍ପତିଙ୍କୁ ବିଭିନ୍ନ ରେସ୍ତୋରାଁ, ଐତିହ୍ୟସ୍ଥଳ ଏପରିକି ଫ୍ୟାଶନ୍‌ ଶୋ’ରେ ଏକତ୍ର ଦେଖିବାକୁ ମିଳୁଥିଲା । ଚଳିତବର୍ଷ ଆରମ୍ଭରେ ଏକ ଫ୍ୟାଶନ୍‌ ଶୋ’ରେ ଉଭୟ ନିଜର ସଂପର୍କକୁ ସାର୍ବଜନୀନ କରିଥିଲେ । 

ସୂଚନାଥାଉକି, ସ୍ୱାମୀ ଶେଖ୍‌ ମାନା ବିନ୍‌ ମହମ୍ମଦ ବିନ୍‌ ରଶିଦ୍‌ ବିନ୍‌ ମାନା ଅଲ ମଖତୁମ୍‌ ତାଙ୍କୁ ଧୋକ୍କା ଦେଉଥିବା ଅଭିଯୋଗ ଆଣି ଗତବର୍ଷ ଜୁଲାଇରେ ଇନ୍‌ଷ୍ଟାଗ୍ରାମ ଜରିଆରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ମାହରା । ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ରହିଛି । ଛାଡ଼ପତ୍ର ପରେ ମାହରା ‘ଡିଭୋର୍ସ ଫରଫ୍ୟୁମ୍‌’ ନାମରେ ଏକ ପରଫ୍ୟୁମ୍‌ ମଧ୍ୟ ଲଞ୍ଚ କରିଥିଲେ ।