ଦୁବାଇ, ୦୪/୦୪: ସଦ୍ୟ ଘୋଷିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ନ୍ୟୁଜିଲାଣ୍ଡ ପେସ୍‌ ବୋଲର ଜାକବ୍‌ ଡଫିଙ୍କ ସ୍ଥାନରେ ଉନ୍ନତି ଘଟିଛି । ବୋଲିଂ ମାନ୍ୟତାରେ ସେ ୪ଟି ସ୍ଥାନ ଉଠି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ତାଙ୍କ ରେଟିଂ ପଏଣ୍ଟ ୭୨୩ ରହିଛି । ପୂର୍ବରୁ  ଏହି ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜର ଅକିଲ ହୋସେନ ଦ୍ୱିତୀୟକୁ ଏବଂ ଭାରତର ବରୁଣ ଚକ୍ରବର୍ତ୍ତୀ ତୃତୀୟକୁ  ଖସିଛନ୍ତି । 




ପାକିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଡଫି  ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୫ଟି ମ୍ୟାଚ୍‌ ଖେଳି ମୋଟ ୧୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଡଫି ପ୍ରଥମ ଥର କୌଣସି ଫର୍ମାଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ପୂର୍ବରୁ ୨୦୧୮ରେ ନ୍ୟୁଜିଲାଣ୍ଡ ସ୍ପିନର ଆଇସ୍‌ ସୋଧି ଟି-ଟ୍ୱେଣ୍ଟିରେ ଏକ ନମ୍ବର ସ୍ଥାନ ଦଖଲ କରିଥିଲେ । 

ବ୍ୟାଟିଂ ମାନ୍ୟତା ତାଲିକାରେ ନ୍ୟୁଜିଲାଣ୍ଡର ଟିମ୍‌ ସାଇଫର୍ଟ ୫ଟି ସ୍ଥାନ ଉନ୍ନତି ଘଟାଇ ଅଷ୍ଟମରେ ରହିଛନ୍ତି । ସେହିପରି ଫିନ୍‌ ଆଲେନ ୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଓପନର ଟ୍ରେଭିସ୍‌ ହେଡ (୮୫୬), ଭାରତର ଅଭିଷେକ  ଶର୍ମା (୮୨୯) ଓ ଇଂଲଣ୍ଡର ଫିଲ୍‌ ସଲ୍ଟ (୮୧୫)  ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।  ଭାରତୀୟ ବ୍ୟାଟର ତିଳକ ବର୍ମା ଚତୁର୍ଥ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପଞ୍ଚମ ସ୍ଥାନ ସୁରକ୍ଷିତ ରହିଛି ।