ନୂଆଦିଲ୍ଲୀ,୨୮/୦୮: ଆଜିଠୁ ଆରମ୍ଭ ହେବ ଦୁଲୀପ ଟ୍ରଫି । ବେଙ୍ଗାଲୁରୁ  ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀର ୨ଟି  ଗ୍ରାଉଣ୍ଡ୍‌ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ମୋଟ୍‌ ୬ଟି ଜୋନକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ପରସ୍ପରକ ଭେଟିବେ ।  

ସେହିପରି କେନ୍ଦ୍ରାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ  ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ ।  ଉଭୟ ମ୍ୟାଚ୍‌ର ବିଜେତା ସେମି  ଫାଇନାଲରେ ଯଥାକ୍ରମେ ଦକ୍ଷିଣାଞ୍ଚଳ ଓ ପଞ୍ଚିମାଞ୍ଚଳକୁ ଭେଟିବେ । ସେପ୍ଟେମ୍ବର  ୪ରୁ ୭ ତାରିଖ ମଧ୍ୟରେ ଉଭୟ  ସେମି ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।  ସେପ୍ଟେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । 

ଶୁଭମନ ଗିଲଙ୍କୁ ଉତ୍ତରାଞ୍ଚଳ ଅଧିନାୟକ  ନିଯୁକ୍ତ କରାଯାଇଥିଲା । ମାତ୍ର ସେ ଅସୁସ୍ଥ ଥିବାରୁ  ଏହି ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ତାଙ୍କ  ସ୍ଥାନରେ ଅଙ୍କିତ କୁମାର ନେତୃତ୍ୱ ନେବେ ।  ଉତ୍ତରାଞ୍ଚଳ ଦଳରେ ଅର୍ଶଦୀପ ସିଂହ,  ହର୍ଷିତ ରାଣା ଓ ଅଂଶୁଲ କାମ୍ବୋଜଙ୍କ ଭଳି  ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ରହିଛନ୍ତି ।  

ପୂର୍ବାଞ୍ଚଳ ମଧ୍ୟ ଏକ ଶକ୍ତିଶାଳୀ ଦଳ  ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଭିମନ୍ୟୁ  ଈଶ୍ୱରନ, ମୁକେଶ କୁମାର, ମହମ୍ମଦ ସାମିଙ୍କ  ଭଳି ଖେଳାଳି ଏହି ଦଳରେ ରହିଛନ୍ତି । ଇଶାନ  କିଷନ ଓ ଆକାଶ ଦୀପ ମଧ୍ୟ ଏହି ଦଳରେ ସ୍ଥାନ  ପାଇଥିଲେ । ମାତ୍ର ଆହତ ଥିବାରୁ ଉଭୟଙ୍କୁ  ବାଦ ଦିଆଯାଇଥିଲା । ଏହି ମ୍ୟାଚ୍‌ରେ ସବୁ  ପେସ୍‌ ବୋଲରଙ୍କ ଉପରେ ନଜର ରହିବ ।  

କେନ୍ଦ୍ରାଞ୍ଚଳ ଦଳରେ ଧ୍ରୁବ ଜୁରେଲ, ରଜତ  ପାତିଦାର, କୁଲଦୀପ ଯାଦବ, ଦୀପକ ଚହର, ଖଲିଲ  ଅହମ୍ମଦ ଓ ହର୍ଷ ଦୁବେଙ୍କ ଭଳି ଅଭିଜ୍ଞ ଖେଳାଳି  ରହିଛନ୍ତି । ବାମ ହାତି ସ୍ପିନର ହର୍ଷ ଦୁବେ ଗତ ରଣଜୀ  ଟ୍ରଫିରେ ସର୍ବାଧିକ ୱିକେଟ୍‌ ଅକ୍ତିଆର କରିଥିଲେ ।