ନୂଆଦିଲ୍ଲୀ,୨୮/୦୮: ଆଜିଠୁ ଆରମ୍ଭ ହେବ ଦୁଲୀପ ଟ୍ରଫି । ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ୨ଟି ଗ୍ରାଉଣ୍ଡ୍ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ମୋଟ୍ ୬ଟି ଜୋନକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ପରସ୍ପରକ ଭେଟିବେ ।
ସେହିପରି କେନ୍ଦ୍ରାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ଖେଳାଯିବ । ଉଭୟ ମ୍ୟାଚ୍ର ବିଜେତା ସେମି ଫାଇନାଲରେ ଯଥାକ୍ରମେ ଦକ୍ଷିଣାଞ୍ଚଳ ଓ ପଞ୍ଚିମାଞ୍ଚଳକୁ ଭେଟିବେ । ସେପ୍ଟେମ୍ବର ୪ରୁ ୭ ତାରିଖ ମଧ୍ୟରେ ଉଭୟ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
ଶୁଭମନ ଗିଲଙ୍କୁ ଉତ୍ତରାଞ୍ଚଳ ଅଧିନାୟକ ନିଯୁକ୍ତ କରାଯାଇଥିଲା । ମାତ୍ର ସେ ଅସୁସ୍ଥ ଥିବାରୁ ଏହି ମ୍ୟାଚ୍ରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଅଙ୍କିତ କୁମାର ନେତୃତ୍ୱ ନେବେ । ଉତ୍ତରାଞ୍ଚଳ ଦଳରେ ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ଅଂଶୁଲ କାମ୍ବୋଜଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ରହିଛନ୍ତି ।
ପୂର୍ବାଞ୍ଚଳ ମଧ୍ୟ ଏକ ଶକ୍ତିଶାଳୀ ଦଳ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଭିମନ୍ୟୁ ଈଶ୍ୱରନ, ମୁକେଶ କୁମାର, ମହମ୍ମଦ ସାମିଙ୍କ ଭଳି ଖେଳାଳି ଏହି ଦଳରେ ରହିଛନ୍ତି । ଇଶାନ କିଷନ ଓ ଆକାଶ ଦୀପ ମଧ୍ୟ ଏହି ଦଳରେ ସ୍ଥାନ ପାଇଥିଲେ । ମାତ୍ର ଆହତ ଥିବାରୁ ଉଭୟଙ୍କୁ ବାଦ ଦିଆଯାଇଥିଲା । ଏହି ମ୍ୟାଚ୍ରେ ସବୁ ପେସ୍ ବୋଲରଙ୍କ ଉପରେ ନଜର ରହିବ ।
କେନ୍ଦ୍ରାଞ୍ଚଳ ଦଳରେ ଧ୍ରୁବ ଜୁରେଲ, ରଜତ ପାତିଦାର, କୁଲଦୀପ ଯାଦବ, ଦୀପକ ଚହର, ଖଲିଲ ଅହମ୍ମଦ ଓ ହର୍ଷ ଦୁବେଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି । ବାମ ହାତି ସ୍ପିନର ହର୍ଷ ଦୁବେ ଗତ ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିଲେ ।